• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପେଟରେ ଓଦାକନା ଦେଇ, ପର ଘରେ ବାସନ ମାଜି, ଦେଶକୁ ଜଣେ ପ୍ରଧାନମନ୍ତ୍ରୀ ଦେଇଥିବା ସେହି ମାଙ୍କ ଆଜି ଥିଲା ଅନ୍ତିମ ଯାତ୍ରା । ତପ-ଜପ, ସଂଘର୍ଷ ଓ ସଂସ୍କାରକୁ ସାଥି କରି ଶତ ବର୍ଷର ଅର୍ଥପୂର୍ଣ୍ଣ ଜୀବନ ଶେଷରେ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖିଆ ପୁଅର କାନ୍ଧରେ ।

ଗାନ୍ଧିନଗର ଶ୍ମଶାନରେ ଆଜି ପଞ୍ଚତତ୍ତ୍ୱରେ ମିଶିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆଙ୍କ ପାର୍ଥିବ ଶରୀର । ହଠାତ୍ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ପାଇଁ ବୁଧବାର ଅହମ୍ମଦାବାଦର ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ହୀରାବେନ୍ । ମାଆ ଅସୁସ୍ଥ ଖବର ଶୁଣିବା କ୍ଷଣି ସେଇଦିନ ପ୍ରଧାନମନ୍ତ୍ରୀ ହସ୍ପିଟାଲ୍ ପହଞ୍ଚି ମାଆଙ୍କୁ ଭେଟିଥିଲେ । ମେଡିକାଲ୍ କର୍ତ୍ତୃପକ୍ଷଙ୍କଠୁ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାରି ଭିତରେ କାଲି ହୀରା ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଥିବା ନେଇ ଖବର ବି ଆସିଥିଲା ।

ହେଲେ ଆଜି ଭୋର ପ୍ରାୟ ସାଢ଼େ ୩ଟାରେ ଇହଧାମ ତ୍ୟାଗ କଲେ ହୀରା ମାଆ । ଖବର ପାଇ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳୁ ଗାନ୍ଧିନଗର ସ୍ଥିତ ବାସଭବନ ପହଞ୍ଚି ପ୍ରଥମେ ମାଆଙ୍କ ଶେଷ ଦର୍ଶନ କରିବା ପରେ ପରିଜନଙ୍କ ସହ ମରଦେହକୁ ପ୍ରଥମେ ଆମ୍ବୁଲାନ୍ସ ଓ ପରେ କାନ୍ଧ ଦେଇ ଶ୍ମଶାନ ଯାଏ ନେଇଥିଲେ । ହିନ୍ଦୁ ରୀତିନୀତି ଅନୁସାରେ ସମସ୍ତ ବିଧି ସଂପନ୍ନ ପରେ ବଡ଼ ଭାଇ ପଙ୍କଜ ମୋଦିଙ୍କ ସହ ମାଆଙ୍କୁ ମୁଖାଗ୍ନି ଦେଇଥିଲେ ପ୍ରଧାନମନ୍ତ୍ରୀ ।

ମା ପ୍ରତି ପୁଅର କର୍ତ୍ତବ୍ୟ.. ଆଉ ଏପଟେ ଦେଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ କର୍ତ୍ତବ୍ୟ । ଶ୍ମଶାନରେ ମାଆଙ୍କ ଜୁଇ ଲିଭି ନଥିଲା । ପିଲାଟି ବେଳୁ ମାଆଙ୍କ ସଂସ୍କାରକୁ ଧରି ବାଟ ଚାଲୁଥିବା ନରେନ୍ଦ୍ର କିନ୍ତୁ ମାଆଙ୍କୁ ହରାଇବାର ଦୁଃଖକୁ ଚାପି ପ୍ରଧାନମନ୍ତ୍ରୀର ଦାୟିତ୍ୱ ନିର୍ବାହ କରିବାକୁ ବାହାରି ପଡିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଭିଡିଓ କନ୍‌ଫରେନ୍ସିଂରେ ପଶ୍ଚିମବଙ୍ଗ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ସମେତ ୭ ହଜାର ୬ ଶହ କୋଟିର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । କର୍ମଯୋଗୀ ମାଆଙ୍କ କର୍ମଯୋଗୀ ପୁଅ । ଏପରିକି ଏଭଳି ଦୁଃଖଦ ମୂହର୍ତ୍ତରେ କାର୍ଯ୍ୟକ୍ରମକୁ ଯଥାସମ୍ଭବ ସଂକ୍ଷିପ୍ତ କରିବାକୁ ଅନୁରୋଧ କରି ବିଶ୍ରାମ କରିବାକୁ ଅନୁରୋଧ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ମା କାହା ପାଇଁ ପ୍ରିୟ ନୁହନ୍ତି । କିଏ ନିରବରେ ମା ଗୁଣକୁ ଗୁମୁରେ, ତ କିଏ ମା ପ୍ରତି ଭଲ ପାଇବାକୁ ଦୁନିଆ ସାମ୍ନାକୁ ନେଇ ଆସେ । ପ୍ରଧାନମନ୍ତ୍ରୀ ମୋଦି ବି ନିଜ ମାଙ୍କ ପ୍ରତି ଭଲ ପାଇବା, ତାଙ୍କ ତ୍ୟାଗ ସମର୍ପଣକୁ ଦୁନିଆ ସାମ୍ନାକୁ ଆଣିବାକୁ ଟିକେ ବି ପଛାନ୍ତିନି । ସେଇଥିପାଇଁ ତ ବେଳେ ବେଳେ ମାଙ୍କ ସଂଘର୍ଷର କାହାଣୀ ମନେ ପକାଇ ଲୁହ ଛଳ ଛଳ ହୁଅନ୍ତି ପ୍ରଧାନମନ୍ତ୍ରୀ ।

ଚା ବିକାଳିରୁ ସ୍ୱୟଂ ସେବକ ରାଜନୈତିକ ଜୀବନ ଆରମ୍ଭରୁ, ଗୁଜୁରାଟ ସିଏମ୍ ପରେ ଦେଶର ପ୍ରଧାନମନ୍ତ୍ରୀ । ସଫଳତା ଆଡ଼କୁ ପ୍ରତିଟି ଯାତ୍ରାରେ ନରେନ୍ଦ୍ର ମୋଦିଙ୍କ ମଥାରେ ଥିଲା ମା ହୀରାବେନ୍‌ଙ୍କ ହାତ । ସେ ଶ୍ରୀନଗର ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇ ଅହମ୍ମଦାବାଦ ଫେରିବା ବେଳେ ଏକ ସାର୍ବଜନିକ କାର୍ଯ୍ୟକ୍ରମ ହେଉ କି ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ପରେ ଏକ ପାରିବାରିକ କାର୍ଯ୍ୟକ୍ରମ ଏସବୁ ଫଟୋ ବଖାଣୁଛି ମାଆଙ୍କ ସହ ମୋଦିଙ୍କ ନିବିଡ଼ତାର କଥା । ପ୍ରଧାନମନ୍ତ୍ରୀ ହେବା ପରେ ଯେବେ ଯେବେ ମୋଦି ଗୁଜରାଟ ଯାଇଛନ୍ତି, ସେବେ ସେବେ ମାଆଙ୍କୁ ଭେଟିଛନ୍ତି । ଆଶୀର୍ବାଦ ନେଇଛନ୍ତି । ହେଲେ କର୍ମଯୋଗୀ ହୀରାବେନ୍ କିନ୍ତୁ ଶେଷ ଜୀବନ ଯାଏଁ କେବେ ବି ପ୍ରଧାନମନ୍ତ୍ରୀ ପୁଅ ହାତକୁ ଅନାଇ ନାହାନ୍ତି ।