• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କିଟିମିଟଆ ରାତି ଅନ୍ଧାରରେ ବିକଟାଳ ରୂପ ନେଇ ମାଡ଼ିଆସିଲା ମୃତ୍ୟୁ । ନିଦ ଭାଙ୍ଗିବା ପୂର୍ବରୁ ଖଣ୍ଡ ବିଖଣ୍ଡିତ ହୋଇଗଲା ଲୌହ ଦାନବ । ଆଉ ତା’ର ଆକ୍ରୋଶରେ ରକ୍ତ ମାଂସର ଶରୀର ଗୁଡ଼ିକ ଚାରିଆଡ଼େ ଖଣ୍ଡ ଖଣ୍ଡ ହୋଇ ବିଛେଇ ହୋଇଗଲା । କରମଣ୍ଡଳ ଏକ୍ସପ୍ରେସ୍ ସେଦିନ ଯେପରି ମୃତ୍ୟୁର ଦୂତକୁ ସାଥୀରେ ନେଇ ଆସିଥିଲା । କ୍ଷଣିକରେ ଶହ ଶହ ଲୋକଙ୍କ ସଂସାର ଉଚ୍ଛନ୍ନ ହୋଇଗଲା । କାହାର ଜୀବନ ଗଲା, କିଏ ହାତ ଠାରି ସାହାଯ୍ୟ ମାଗୁଥିଲା .. କିଛି ଜାଣି ହେଉନଥିଲା । ବାଲେଶ୍ୱର ବାହାନଗା ରେଳ ଷ୍ଟେସନ୍‌ରେ ବହିଲା ରକ୍ତର ନଦୀ । ଆଉ ସେହି ମୃତ୍ୟୁର ସାଗର ଭିତରେ ଥଳକୂଳ ପାଉନଥିବା ଜଣେ ମଣିଷ ହେଲେ କୋଲକାତାର ହାୱଡ଼ାରେ ଦୋକାନ କରିଥିବା ହେଳାରାମ ମଲିକ । ତାଙ୍କ ପୁଅ ମଧ୍ୟ ସେହି ଟ୍ରେନ୍‌ରେ ଯାତ୍ରା କରୁଥିଲେ ।

ଶୁକ୍ରବାର ଦିନ ଶାଲିମାର୍‌ ଷ୍ଟେସନ୍‌ରେ ପୁଅ ବିଶ୍ୱଜିତଙ୍କୁ ଛାଡ଼ି ଆସିବାର କିଛି ସମୟ ପରେ ହେଳାରାମ ଟ୍ରେନ୍‌ ଦୁର୍ଘଟଣା ଖବର ପାଇଥିଲେ । ଦୁର୍ଘଟଣାର ଖବର ଶୁଣି ସେ ଗୋଟାପଣେ ଥରିବାକୁ ଲାଗିଲେ । ସେ କ୍ଷଣିକ ପାଇଁ ସ୍ଥାଣୁ ପାଲଟି ଯାଇଥିଲେ । ହେଲେ ସାହସ ସଞ୍ଚୟ କରି ତୁରନ୍ତ ସେ ବିଶ୍ୱଜିତ୍‌ଙ୍କୁ ଫୋନ୍‌ କରିଥିଲେ । ବିଶ୍ୱଜିତ ଫୋନ୍‌ ଉଠାଇଲେ ସତ କିନ୍ତୁ ତାଙ୍କର ଜୀବନ ବଞ୍ଚିବ ବୋଲି ଆଶା ନଥିଲା । କ୍ଷୀଣ ସ୍ୱରରେ ସେ କହିଥିଲେ, ମୁଁ ବଞ୍ଚିଛି ବାପା, ଆଗକୁ କ’ଣ ହେବ ଜାଣିନି.. ହେଲେ ଏବେ ଭାରି କଷ୍ଟ ହେଉଛି । ହାତ ଗୋଡ଼ ଅଛି କି ନାହିଁ ଜାଣି ପାରୁନି . . .କୁଢ଼ କୁଢ଼ ଶବ ତଳେ ମୁଁ ପୋତି ହୋଇଯାଇଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: କେମିତି ହେଲା ଦୁର୍ଘଟଣା..କଳାରାତିର କାହାଣୀ ବଖାଣିଲେ ଟ୍ରେନ୍‌ ଡ୍ରାଇଭର୍‌

ପୁଅର ସ୍ୱର ଶୁଣି ହେଳାରାମ୍‌ ତାଙ୍କୁ ଖୋଜିବା ପାଇଁ ରାତାରାତି ବାହାରିଥିଲେ । କୋଲକାତାରୁ ଏକ ଆମ୍ବୁଲାନ୍ସ ଭଡ଼ା କରି ଜଣେ ସମ୍ପର୍କୀୟଙ୍କ ସହ ୨୩୦ କିଲୋମିଟର୍‌ ଦୂର ବାଲେଶ୍ୱର ହସ୍ପିଟାଲରେ ପହଞ୍ଚି ଯାଇଥିଲେ । ହେଲେ ସେଠାରେ ହସ୍ପିଟାଲରୁ ହସ୍ପିଟାଲ ବୁଲିଲେ ସୁଦ୍ଧା ଆହତ ପୁଅର କୌଣସି ଖୋଜଖବର ମିଳିନଥିଲା । ତଥାପି ସେ ଆଶା ଛାଡ଼ିନଥିଲେ । ଶେଷରେ ଭଗବାନ୍‌ ତାଙ୍କ ଡାକ ଶୁଣିଲେ । 

 ବାଲେଶ୍ୱର ହସ୍ପିଟାଲରେ ପୁଅକୁ ଗୁରୁତର ଅବସ୍ଥାରେ ଠାବ କରିଥିଲେ ହେଳାରାମ୍‌ । ସେପଟେ ବିଶ୍ୱଜିତ୍‌ ସତେ ଯେପରି ବାପାଙ୍କ ରାସ୍ତାକୁ ଅପେକ୍ଷା କରିଥିଲା । ଭଗବାନଙ୍କ ଠାରୁ ବଳି ଚଳନ୍ତି ଠାକୁର ବାପା ଆସି ତାକୁ ରକ୍ଷା କରିବେ ବୋଲି ସେ ଯେପରି ଜାଣିଥିଲେ । ଆଉ ବିଶ୍ୱଜିତ୍‌କୁ ପରିବାର ଲୋକ ଚିହ୍ନିବା ପରେ ହିଁ ସେ ଅଚେତ ହୋଇ ଯାଇଥିଲେ ।

 ବାଲେଶ୍ୱରରେ ବିଶ୍ୱଜିତଙ୍କୁ କିଛି ଇଞ୍ଜେକ୍‌ସନ୍‌ ଦେବାପରେ କଟକ ବଡ଼ ମେଡିକାଲ୍‌କୁ ରେଫର୍‌ କରିଥିଲେ ଡାକ୍ତର । କିନ୍ତୁ ପୁଅକୁ ଅନ୍ୟ ରାଜ୍ୟରେ ଛାଡ଼ି ଯିବାପାଇଁ ଠିକ୍‌ ମନେ କରିନଥିଲେ ବାପା । ବାଲେଶ୍ୱର ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଇ ଅଚେତ ହୋଇପଡ଼ିଥିବା ବିଶ୍ୱଜିତକୁ ଆମ୍ବୁଲାନ୍‌ସ୍‌ରେ ନେଇ କୋଲ୍‌କାତା ଫେରି ଯାଇଥିଲେ । ଆଉ ସେଠାରେ ତା’ପର ଦିନ ସକାରେ ୮.୩୦ରେ ଏସ୍‌‌ଏସ୍‌କେଏମ୍‌ ହସ୍ପିଟାଲରେ ଆଡ଼ମିଟ୍‌ କରିଥିଲେ ।

କୋଲ୍‌କାତାର ଏସ୍‌‌ଏସ୍‌କେଏମ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବିଶ୍ୱଜିତଙ୍କର ଏବେ ସୁଦ୍ଧା ଚେତା ଫେରିନାହିଁ । ରବିବାର ଦିନ ତାଙ୍କ ପାଦରେ ଅସ୍ତ୍ରୋପଚାର କରାଯାଇଛି । ଏବେ ସେ ଗୁରୁତର ଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି ।

ସୂଚନାଯୋଗ୍ୟ, କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବିଶ୍ୱଜିତଙ୍କୁ ଶବଘରୁ ଉଦ୍ଧାର କରାଯାଇଥିଲା ବୋଲି ପ୍ରଥମେ ଖବର ପ୍ରକାଶ ପାଇଥିଲା। ତେବେ ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ଓ ହେଳାରାମଙ୍କ ସହ ଯୋଗାଯୋଗ ପରେ ବିଶ୍ୱଜିତ ଡାକ୍ତରଖାନାରୁ ଉଦ୍ଧାର ହୋଇଥିଲେ ବୋଲି ଜଣାପଡ଼ିଛି।