• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା ମାମଲା । ତଦନ୍ତ ବେଳେ ୬ ଜଣଙ୍କୁ ଗିରଫ କଲା ପୋଲିସ । ଘଟଣାର ୭୨ ଘଣ୍ଟା ପରେ ମାମଲାରେ ପୋଲିସ ଗିରଫଦାରୀ କରିଛି । ହାଥରସରେ ଭୋଲେ ବାବାଙ୍କ ସତସଙ୍ଗ ବେଳେ ଅଘଟଣ ହୋଇଥିଲା । ଘଟଣାସ୍ଥଳରୁ ଫେରାର ମାରିଥିଲେ ଭୋଲେ ବାବା ଏବଂ ଆୟୋଜକ । ଆଜି ଗିରଫ ହୋଇଥିବା ସମସ୍ତ ୬ଜଣ ଆୟୋଜକ ବୋଲି ଜଣାପଡିଛି ।

ତେବେ ଏଯାଏଁ ଭୋଲେ ବାବାଙ୍କର ପତ୍ତା ମିଳୁନି । ମୁଖ୍ୟ ଆୟୋଜକ ଦେବ ପ୍ରକାଶ ମଧ୍ୟ ଫେରାର ଅଛି । ତାକୁ ଖୋଜିଲେ ପୋଲିସ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରିଛି । ହାଥରସରେ ଦଳାଚକଟାରେ ୧୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମସ୍ତଙ୍କ ପରିଚୟ ମିଳିଛି ।

ଉତ୍ତରପ୍ରଦେଶ ହାଥରସରେ ହୋଇଥିଲା ମର୍ମନ୍ତୁଦ ଦଳାଚକଟା । ଆଉ ଶତାଧିକ ମୃତକଙ୍କ ଭିତରେ ଥିଲେ ଅଧିକାଂଶ ମହିଳା ଓ ଅବୋଧ ଶିଶୁ । ଏବେ ହାଥରସକୁ ଖାଲି ବର୍ଷା ଭିଜାଉନି । ଭିଜାଉଛି-କାଲିଠୁ ବାହୁନି ବାହୁନି କାନ୍ଦୁଥିବା ଅନେକ ହତଭାଗାଙ୍କ ଲୁହ । ହସ୍ପିଟାଲ ଓ ଶବଗୃହ ପାଖରେ ଅତି କରୁଣ ପରିବେଶ । ଏହି ଘଟଣାରେ ଏବେବି ପ୍ରାୟ ୩୦ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି।

କୁହାଯାଉଛି, ଗତକାଲି ନାରାୟଣ ସାକାର ହରି ଓରଫ୍ ଭୋଲେ ବାବାଙ୍କ ସତସଙ୍ଗ ବେଳରେ ପ୍ରବଳ ଭିଡ଼ଥିଲା । କିଏ କହୁଛି ୨୦ ହଜାର, କିଏ କହୁଛି ଲକ୍ଷାଧିକ। ତେବେ ସତସଙ୍ଗ ସରିବା ପରେ, କାହିଁକି ଉପୁଜିଲା ଦଳାଚକଟା ସ୍ଥିତି ? ଏହି ଟ୍ରାଜେଡି ପଛର କାରଣ କଣ ? ସାମ୍ନାକୁ ଆସୁଛି ଏକାଧିକ ଥିଓରି । କିଏ କହୁଛି, ସତସଙ୍ଗ ସରିବା ପରେ ଭୋଲେ ବାବା ଯେତେବେଳେ ଯିବାକୁ ବାହାରିଲେ, ତାଙ୍କ କାର୍ ଚକର ଧୂଳିକୁ 'ଚରଣ ରଜ' ଭାବେ ପାଇବା ପାଇଁ ଲୋକମାନେ ଗାଡ଼ି ପଛରେ ଦୌଡ଼ିଥିଲେ ।

ହେଲେ ଆୟୋଜକ କର୍ମକର୍ତ୍ତା ଲୋକଙ୍କୁ ରୋକିବାରୁ ଧକ୍କାମୁକ୍କା ସ୍ଥିତି ଉପୁଜିଥିଲା । ଆଉ କେହି କେହି କହୁଛନ୍ତି, ଅଳ୍ପ ବର୍ଷା ପରେ ଖସଡ଼ା ଜମି ଓ ରାସ୍ତାରେ ଦୌଡ଼ିବା ବେଳେ କିଛି ଲୋକ ତଳେ ପଡ଼ିଗଲେ ଏବଂ ଅନ୍ୟମାନେ ସେମାନଙ୍କ ଉପର ଦେଇ ମାଡ଼ିଗଲେ । ଆହୁରି ମଧ୍ୟ କୁହାଯାଉଛି ଯେ, ଭୀଷଣ ଗୁଳୁଗୁଳି ହେଉଥିବାରୁ ଲୋକେ ଆବଦ୍ଧ ଟେଣ୍ଟରୁ ବାହାରିବାକୁ ଚାହୁଁଥିଲେ । ହେଲେ ସେମାନଙ୍କୁ ବାବାଙ୍କ କାଫିଲା ଯିବା ପର୍ଯ୍ୟନ୍ତ ଅଟକାଯାଇଥିଲା । ଏହାପରେ ସଂକୀର୍ଣ୍ଣ ବାଟଦେଇ ଏକାସାଙ୍ଗରେ ସମସ୍ତେ ବାହାରିବା ବେଳେ, ଏକ ନାଳରେ ପଡ଼ି ଲୋକେ ଦଳାଚକଟା ହେଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now