Advertisment

ୟୁପି ହାଥରସ୍ ଦଳାଚକଟାରେ ୧୨୧ ମୃତ ! ହସ୍ପିଟାଲ-ଶବଗୃହ ପାଖରେ କରୁଣ ପରିବେଶ...

ଉତ୍ତରପ୍ରଦେଶ ହଥରାସର ଏଇ ସ୍ଥାନରେ କାଲି ହୋଇଥିଲା ମର୍ମନ୍ତୁଦ ଦଳାଚକଟା। ଆଉ ଶତାଧିକ ମୃତକଙ୍କ ଭିତରେ ଥିଲେ ଅଧିକାଂଶ ମହିଳା ଓ ଅବୋଧ ଶିଶୁ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Hathras Accident

କାଲି ଯେଉଁ ସ୍ଥାନ ହୁରି ବୋବାଳିରେ ଫାଟି ପଡ଼ୁଥିଲା, ଆଜି ସେଠି ଝିପି ଝିପି ବର୍ଷା ଭିତରେ ବି ଅସମ୍ଭବ ନିରବତା । କାଲି ଯେଉଁଠି ଶତାଧିକ ଆକୁଳ ଚିତ୍କାର ଅକାଳରେ ନିରବିଗଲା, ଆଜି ସେଠି ଗୁମୁରି କାନ୍ଦୁଛି କିଛି ଅଧାଛିଣ୍ଡା ବ୍ୟାଗପତ୍ର, ଜୋତା, ଚପଲ, ଟିଫିନ ଡବା ଓ କଅଁଳା ଛୁଆର କ୍ଷୀର ବୋତଲ । ସେଠାରେ ପଡ଼ିଥିବା କୁନି ଚପଲ ହଳକୁ ଦେଖିଲେ ଛାତି ଥରି ଉଠୁଛି, କଣ୍ଠ ରୁନ୍ଧି ଯାଉଛି।

Advertisment

ଉତ୍ତରପ୍ରଦେଶ ହଥରାସରେ କାଲି ହୋଇଥିଲା ମର୍ମନ୍ତୁଦ ଦଳାଚକଟା। ଆଉ ଶତାଧିକ ମୃତକଙ୍କ ଭିତରେ ଥିଲେ ଅଧିକାଂଶ ମହିଳା ଓ ଅବୋଧ ଶିଶୁ। ଏବେ ହାଥରସକୁ ଖାଲି ବର୍ଷା ଭିଜାଉନି । ଭିଜାଉଛି-କାଲିଠୁ ବାହୁନି ବାହୁନି କାନ୍ଦୁଥିବା ଅନେକ ହତଭାଗାଙ୍କ ଲୁହ । ହସ୍ପିଟାଲ ଓ ଶବଗୃହ ପାଖରେ ଅତି କରୁଣ ପରିବେଶ। ଏହି ଘଟଣାରେ ଏବେବି ପ୍ରାୟ ୩୦ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି।

କୁହାଯାଉଛି, ଗତକାଲି ନାରାୟଣ ସାକାର ହରି ଓରଫ୍ ଭୋଲେ ବାବାଙ୍କ ସତସଙ୍ଗ ବେଳରେ ପ୍ରବଳ ଭିଡ଼ଥିଲା । କିଏ କହୁଛି ୨୦ ହଜାର, କିଏ କହୁଛି ଲକ୍ଷାଧିକ। ତେବେ ସତସଙ୍ଗ ସରିବା ପରେ, କାହିଁକି ଉପୁଜିଲା ଦଳାଚକଟା ସ୍ଥିତି ? ଏହି ଟ୍ରାଜେଡି ପଛର କାରଣ କଣ ? ସାମ୍ନାକୁ ଆସୁଛି ଏକାଧିକ ଥିଓରି । କିଏ କହୁଛି, ସତସଙ୍ଗ ସରିବା ପରେ ଭୋଲେ ବାବା ଯେତେବେଳେ ଯିବାକୁ ବାହାରିଲେ, ତାଙ୍କ କାର୍ ଚକର ଧୂଳିକୁ 'ଚରଣ ରଜ' ଭାବେ ପାଇବା ପାଇଁ ଲୋକମାନେ ଗାଡ଼ି ପଛରେ ଦୌଡ଼ିଥିଲେ ।

Advertisment

ହେଲେ ଆୟୋଜକ କର୍ମକର୍ତ୍ତା ଲୋକଙ୍କୁ ରୋକିବାରୁ ଧକ୍କାମୁକ୍କା ସ୍ଥିତି ଉପୁଜିଥିଲା। ଆଉ କେହି କେହି କହୁଛନ୍ତି, ଅଳ୍ପ ବର୍ଷା ପରେ ଖସଡ଼ା ଜମି ଓ ରାସ୍ତାରେ ଦୌଡ଼ିବା ବେଳେ କିଛି ଲୋକ ତଳେ ପଡ଼ିଗଲେ ଏବଂ ଅନ୍ୟମାନେ ସେମାନଙ୍କ ଉପର ଦେଇ ମାଡ଼ିଗଲେ। ଆହୁରି ମଧ୍ୟ କୁହାଯାଉଛି ଯେ, ଭୀଷଣ ଗୁଳୁଗୁଳି ହେଉଥିବାରୁ ଲୋକେ ଆବଦ୍ଧ ଟେଣ୍ଟରୁ ବାହାରିବାକୁ ଚାହୁଁଥିଲେ। ହେଲେ ସେମାନଙ୍କୁ ବାବାଙ୍କ କାଫିଲା ଯିବା ପର୍ଯ୍ୟନ୍ତ ଅଟକାଯାଇଥିଲା। ଏହାପରେ ସଂକୀର୍ଣ୍ଣ ବାଟଦେଇ ଏକାସାଙ୍ଗରେ ସମସ୍ତେ ବାହାରିବା ବେଳେ, ଏକ ନାଳରେ ପଡ଼ି ଲୋକେ ଦଳାଚକଟା ହେଲେ।

ତେବେ ପ୍ରକୃତ କାରଣ ଖୋଜିବାକୁ ଆଜି ସକାଳୁ ଡଗ୍ ସ୍କ୍ବାଡ ସହ ସ୍ପଟରେ ତଦନ୍ତ କରିଛି ଫରେନ୍ସିକ ଟିମ୍। ପ୍ରମାଣ ଲୁଚାଇବାକୁ ଜମି ଭିତରକୁ ଫିଙ୍ଗାଯାଇଥିବା ମୃତାହତଙ୍କ ସାମଗ୍ରୀକୁ ଉଦ୍ଧାର କରିଛି।

ସେପଟେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ସହ, ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ହାଥରସ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି। ଏଥିସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ସହିତ, ଦୋଷୀଙ୍କୁ ଛଡ଼ାଯିବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ନାରାୟଣ ସାକାର ହରି, ସାକାର ବିଶ୍ୱ ହରି, ଭୋଲେବାବା । କିନ୍ତୁ ଅସଲ ପରିଚୟ ୟୁପି ଏଟା ଅନ୍ତର୍ଗତ ବାହାଦୂର ଗାଁର ସୁରଜ ପାଲ୍। ଅଧିକାଂଶ ସତସଙ୍ଗରେ ସୁଟ୍-ଟାଏ ଥ୍ରୀପିସ୍ ପିନ୍ଧି ପ୍ରବଚନ ଦିଅନ୍ତି। ଏହି ଆତ୍ମଘୋଷିତ ବାବା ୨୬ ବର୍ଷ ତଳେ ଗୁଇନ୍ଦା ବିଭାଗ ଚାକିରି ଛାଡ଼ି ପ୍ରବଚନ ଆରମ୍ଭ କରିଥିବା ଦାବି କରନ୍ତି। ଉତ୍ତର ଭାରତରେ ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀ।

ତେବେ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ତାଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ରହିଛି। ପୂର୍ବରୁ ସେ କାଳେ ଗିରଫ ବି ହୋଇଥିଲେ। ଆଜି ତାଙ୍କ ମୈନପୁରୀ ଆଶ୍ରମରେ ପୋଲିସ ପହଞ୍ଚିଥିବା ବେଳେ, ଭୋଲେ ବାବା ଫେରାର୍ ଥିବା ସୂଚନା ମିଳିଛି।

Advertisment
Advertisment