• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି କାଲି ମଦ୍ୟପାନ କରିବା ଏକ ସଉକ୍‌ ପାଲଟିଗଲାଣି । ବିବାହ ଭୋଜିଠୁ ଆରମ୍ଭ କରି ବାର୍ଥ ଡେ’ ପାର୍ଟି ଯାଏଁ ସବୁଠି ମଦ୍ୟପାନ କରାଯାଉଥିବା ଦେଖିବାକୁ ମିଳୁଛି । କିଛି ଲୋକ ନିଜର କ୍ଲାନ୍ତିକୁ ଦୂରେଇବାକୁ ଅଫିସ କାର୍ଯ୍ୟ ସରିବା ପରେ ବନ୍ଧୁମାନଙ୍କ ସହ ମିଶି ମଦ୍ୟପାନ କରିଥା’ନ୍ତି । ଯାହାଫଳରେ ସେମାନଙ୍କୁ ଭଲ ଲାଗିଥାଏ ।

ହେଲେ ଏପରି ସମୟରେ, ଏକ ଖବର ସାମ୍‌ନାକୁ ଆସିଛି ଯାହା ଆପଣଙ୍କୁ ଚିକତ କରିଦେବ । କାରଣ ଏଣିକି ଅଫିସରେ ମଦ୍ୟପାନ କରିବାକୁ ସରକାର ଅନୁମତି ଦେଇଛନ୍ତି । ହେଲେ ଏହା ମାତ୍ର କିଛି କାର୍ଯ୍ୟାଳୟରେ ଲାଗୁ ହୋଇପାରିବ ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ...।

ସାଧାରଣତଃ କର୍ପୋରେଟ୍ ଅଫିସରେ କାମ କରିବା ହେଉଛି ଚାପଗ୍ରସ୍ତ ବିଷୟ । ତେଣୁ ହରିୟାଣା ମଦ ନୀତି ୨୦୨୩-୨୦୨୪ରେ କିଛି ପରିବର୍ତ୍ତନ କରାଯାଇଛି । ଫଳରେ ଅଫିସରେ କର୍ମଚାରୀମାନେ ବିୟର ସହ କିଛି ଆଲକୋହଲ ପିଇ ପାରିବେ ।

ହରିୟାଣାର ନୂତନ ମଦ ନୀତି ଅନୁଯାୟୀ, ରାଜ୍ୟର ବୃହତ କର୍ପୋରେଟ୍ ଅଫିସରେ ବିୟର ଏବଂ ମଦ ପିଇବାକୁ ଅନୁମତି ଦିଆଯାଇଛି । ଏନେଇ ମେ’ ୯ ତାରିଖରେ ବସିଥିବା କ୍ୟାବିନେଟ୍‌ ବୈଠକ ଏହି ନିଷ୍ପତ୍ତି ନେଇଛି । ଯେଉଁ କାର୍ଯ୍ୟାଳୟରେ ଅତି କମ୍ରେ ୫ ହଜାର ଲୋକ କାମ କରନ୍ତି ଏବଂ କାର୍ଯ୍ୟାଳୟର କ୍ଷେତ୍ରଫଳ ୧ ଲକ୍ଷ ବର୍ଗଫୁଟ ହୋଇଥିବ ସେଠାକାର କର୍ମଚାରୀ ବିୟର ପିଇପାରିବେ ।

କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ହରିୟାଣାର କର୍ପୋରେଟ୍ ଅଫିସ୍ ଗୁଡିକୁ L-10F ମଦ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡିବ । ଆବେଦନ ଅନୁଯାୟୀ ସେମାନଙ୍କୁ ବିୟର ଏବଂ କିଛି ଆଲକୋହଲ ପିଇବାକୁ ଅନୁମତି ଦିଆଯିବ । ହେଲେ ଏଥିପାଇଁ ଅଫିସରେ କ୍ୟାଣ୍ଟିନ କିମ୍ବା ଭୋଜନର ସର୍ବନିମ୍ନ କ୍ଷେତ୍ର ୨,୦୦୦ ବର୍ଗଫୁଟରୁ କମ୍ ହୋଇନଥିବା ଆବଶ୍ୟକ ବୋଲି କୁହାଯାଇଛି । ଯଦି ୨୦୦୦ ବର୍ଗ ଫୁଟର କମ୍‌ ହୋଇନଥାଏ ତେବେ ସେହି କର୍ପୋରେଟ୍ ଅଫିସ୍ ଲାଇସେନ୍ସ ମିଳିପାରିବ । ଏହା ବ୍ୟତୀତ ଆହୁରି କିଛି ନୟମ ରଖାଯାଇଛି ।