Advertisment

Air India Plane Crash: ଗୁମୁରି ଗୁମୁରି କାନ୍ଦୁଛି ମେଘାନୀ ନଗର, ଜୀବନ ସହ ଉଜୁଡ଼ିଛି ଜୀବିକା

ବିମାନ ଦୁର୍ଘଟଣାକୁ ବିତିଛି ୨ ଦିନ । ଲୁହ ଆଉ ଲହୁର ଛାତିଥରା ଦୃଶ୍ୟ ଭିତରେ ଏବେ ବି କଷ୍ଟ ହେଉଛି ପରିଚୟ ଖୋଜିବା । ସେପଟେ ଛୋଟମୋଟ ବ୍ୟବସାୟ କରି ପରିବାର ଚଳାଉଥିବା ମେଘାନୀ ନଗରରେ ସାଧାରଣ ଖଟିଖିଆଙ୍କ ବସ୍ତିର ଆଜି ଯୁଆଡ଼େ ଯିବେ, ମାଡ଼ି ବସିଛି ଭୟ ।

author-image
Namita Biswal
ଅଦ୍ୟତନ ହୋଇଛି
Air India Plane Crash

Air India Plane Crash

ଆଶା, ଆଶଙ୍କା ଆଉ ଆତଙ୍କର ନାଁ ଏବେ ମେଘାନୀନଗର । ଅହମ୍ମଦାବାଦର ଯେଉଁ ଇଲାକାରେ ଅଗ୍ନିପିଣ୍ଡୁଳା ସାଜି ଦୁର୍ଘଟଣାଗ୍ରସ୍ତ ହେଲା ଏୟାର ଇଣ୍ଡିଆ ବିମାନ, ସେହି ଇଲାକା ଉପରେ ଏବେ ସାରା ବିଶ୍ୱର ନଜର । ଛୋଟମୋଟ ବ୍ୟବସାୟ କରି ପରିବାର ଚଳାଉଥିବା ସାଧାରଣ ଖଟିଖିଆଙ୍କ ବସ୍ତିର ଆଜି ଯୁଆଡ଼େ ଯିବେ, ମାଡ଼ି ବସିଛି ଭୟ । କାରଣ ଏଠି ବି ମୃତ୍ୟୁର ତାଣ୍ଡବ । ଅପରପକ୍ଷେ ଶୋକାକୂଳ ପରିବେଶରେ ଭାସୁଛି ଅହମ୍ମଦାବାଦ୍ ସିଭିଲ ହସ୍ପିଟାଲ । ଯେଉଁଠି ଚାଲିଛି DNA ଟେଷ୍ଟ ସହ ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜା । ଦେଖିବା ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ । 

Advertisment

ଆଖିକୁ ନିଦ ନାହିଁ...କି ପେଟକୁ ଦାନା ନାହିଁ...ଶୂନ୍ୟ ଆକାଶରୁ ମୃତ୍ୟୁର ଦୂତ ସାଜି କ୍ଷେପଣାସ୍ତ୍ର ଭଳି ଯେଭଳି ମାଡ଼ କଲା ଏୟାରଇଣ୍ଡିଆ ବିମାନ, ଆଜି ବି ଆଖି ସାମ୍ନାରେ ନାଚି ଉଠୁଛି ସେହି ଭୟଙ୍କର ଦୃଶ୍ୟ । ଅହମ୍ମଦାବାଦ ଏୟାରପୋର୍ଟ ନିକଟ ମେଘାନୀନଗର ବସ୍ତି, ଯେଉଁ ଅଞ୍ଚଳରେ କ୍ରାସ୍ ହୋଇଥିଲା ଏୟାରଇଣ୍ଡିଆର AI-171 ଫ୍ଳାଇଟ୍ । ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରୁ କିଏ ଚା’ ବିକି ପେଟ ପୋଷୁଥିଲେ ତ ଆଉ କିଏ ଛୋଟମୋଟ ବ୍ୟବସାୟୀ କରି ପରିବାର ଚଳାଉଥିଲେ । ଆଉ କିଛି ବ୍ୟକ୍ତି ବିମାନ ମାଡ଼ରେ ଧ୍ୱଂସବିଧ୍ୱସ୍ତ ମେଡ଼ିକାଲ୍ କଲେଜରେ କାମ କରୁଥିଲେ । ଦୁଇ ଦିନ ହେଲା ରୋଜଗାର ବନ୍ଦ, ହାତକୁ କାମ ନାହିଁ...ଶୋକ ଆଉ ଆତଙ୍କ ଭିତରେ କଟୁଛି ଦିନ ରାତି । ବିମାନ ଦୁର୍ଘଟଣା ପରଠୁ ସତେ ଯେମିତି ସେମାନଙ୍କ ଉପରେ ପଡ଼ିଛି ଦାନାପାଣିର ଚଡ଼କ ।  

ଅଧିକ ପଢ଼ନ୍ତୁ: ଲିଙ୍କଡିନ୍‌ ପ୍ରୋଫାଇଲକୁ ନେଇ ମହାଭାରତ, ଅଫିସରେ ଚାପ ପକାଇଲେ ସିନିୟର

Advertisment

୧୪ ବର୍ଷିୟ ପୁଅ ଆକାଶ ପଟଣୀ । ମା’ସୀତା ବେନ୍ କରିଥିବା ଏକ ଛୋଟିଆ ଚା’ ଦୋକାନରେ କଟେ ସଞ୍ଜ ଆଉ ସକାଳ । କିନ୍ତୁ ଦୁର୍ଭାଗ୍ୟ, ସେଦିନ ଆଉ କିଛି ସମୟ ଶୋଇବା ପାଇଁ ଜିଦ୍ ଧରିଥିଲା ପୁଅ । କିନ୍ତୁ ମା’ ବାଧ୍ୟ କରି ଡାକିଦେବାରୁ ଦୋକାନ ଯାଇ ସାହାଯ୍ୟ କରୁଥିବାବେଳେ ଘଟିଗଲା ବିମାନ ଦୁର୍ଘଟଣା । ଚାରିଆଡ଼େ ମାଡ଼ିଗଲା ନିଆଁ ଆଉ ଧୂଆଁ । ଆଉ ତାହାରି ଭିତରେ ଚାଲିଗଲା ଆକାଶର ଜୀବନ । ମା’ ସୀତା ବେନଙ୍କ ଅବସ୍ଥା ଏବେ କେମିତି, କେହି ଜାଣିପାରୁନାହାଁନ୍ତି । ଏହି ବସ୍ତିର ଆଉ ୬ରୁ ୭ ଜଣଙ୍କ ଏଯାଏଁ ପତ୍ତା ମିଳୁନାହିଁ । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । 

ଏୟାର ଇଣ୍ଡିଆର ବୋଇଂ 787-8 ବିମାନ ଦୁର୍ଘଟଣାକୁ ବିତିଛି ୨ ଦିନ । ଲୁହ ଆଉ ଲହୁର ଛାତିଥରା ଦୃଶ୍ୟ ଭିତରେ ଏବେ ବି କଷ୍ଟ ହେଉଛି ପରିଚୟ ଖୋଜିବା । ନିଆଁ ଆଉ ଧୂଆଁ ମାଡ଼ରେ ବୀଭତ୍ସ ଏବଂ ଛିନଛତ୍ର ହୋଇଥିବା ଶବଗୁଡ଼ିକର ସରିନି ଚିହ୍ନଟ ପ୍ରକ୍ରିୟା। ଯାହାକୁ ନେଇ ଅହମ୍ମଦାବାଦ୍ ସିଭିଲ ହସ୍ପିଟାଲରେ ଭିଡ଼ ଜମାଇଥିବା ସମ୍ପର୍କୀୟଙ୍କ ମଧ୍ୟରେ ବଢ଼ିଛି ଅସନ୍ତୋଷ । ୨୪୮ଟି ମୃତଦେହର DNA ପରୀକ୍ଷା ପାଇଁ ଲକ୍ଷ୍ୟ ଥିବାବେଳେ ଆଜି ଅପରାହ୍ନ ସୁଦ୍ଧା ୨୪୦ ସଂପର୍କୀୟଙ୍କ ଠାରୁ ନମୁନା ନିଆଯାଇଛି । ସେଥିମଧ୍ୟରୁ ୬ଟି ଚିହ୍ନଟ ହେବା ପରେ ତାଙ୍କ ସଂପର୍କୀୟ ତଥା ପରିବାରକୁ ସୂଚନା ଦିଆଯାଇଥିବା କହିଛନ୍ତି ଅହମ୍ମଦାବାଦ୍ ସିଭିଲ ହସ୍ପିଟାଲ୍ କର୍ତ୍ତୃପକ୍ଷ । ମୃତ ବିମାନ ଯାତ୍ରୀଙ୍କ ଛଡ଼ା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଉ ୧୩ ସାଧାରଣ ନାଗରିକଙ୍କ DNA ଟେଷ୍ଟ ପାଇଁ ମଧ୍ୟ ନମୂନା ସଂଗ୍ରହ କରାଯାଇଛି । ତେବେ ସମସ୍ତ DNA ରିପୋର୍ଟ ଆସିବା ପାଇଁ ଆଉ ୨/୩ ଦିନ ଲାଗିଯିବ ବୋଲି ସୂଚନା ଦେଇଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ । 

ଅଧିକ ପଢ଼ନ୍ତୁ: ଲିଙ୍କଡିନ୍‌ ପ୍ରୋଫାଇଲକୁ ନେଇ ମହାଭାରତ, ଅଫିସରେ ଚାପ ପକାଇଲେ ସିନିୟର

Ahmedabad Air India Plane Crash
Advertisment
Advertisment