• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସରକାରୀ କର୍ମଚାରୀଙ୍କ ପାଇଁ ନୈରାଶ୍ୟ ଜନକ ଖବର ! ଲାଗୁ ହୋଇନପାରେ ପୁରୁଣା ପେନ୍‌ସନ୍‌ ଯୋଜନା । କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍ ସ୍କିମ୍ (OPS) ଫେରି ନପାରେ । କାରଣ ଏ ସମ୍ପର୍କରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୂଚନା ଦେଇଛନ୍ତି । ଲୋକସଭାରେ ଏନେଇ ବିବୃତି ରଖିବା ସହ ସରକାରୀ କର୍ମଚାରୀଙ୍କ ପୁରୁଣା ପେନ୍‌ସନ୍‌ ନଫେରିବା ନେଇ ସିଧାସଳଖ ନକହିଥିଲେ ମଧ୍ୟ ସ୍ପଷ୍ଟ କରିଛନ୍ତି ।

ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୋମବାର ଲୋକସଭାକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍‌ ସ୍କିମ୍‌ (OPS) ଫେରାଇ ଆଣିବା ପାଇଁ ସରକାର କୌଣସି ଯୋଜନା କରିନାହାନ୍ତି  କି ଏ ସମ୍ପର୍କରେ କିଛି ବିଚାର କରାଯାଇନାହିଁ । ଏଥି ସହିତ ଗୃହରେ ସେ ଆହୁରି କହିଛନ୍ତି ଯେ, ମାର୍ଚ୍ଚ ୩୧ ତାରିଖ ୨୦୨୩ ସୁଦ୍ଧା ପ୍ରତିରକ୍ଷା କ୍ଷେତ୍ରରେ ପେନ୍‌ସନ୍‌ ଭୋଗୀଙ୍କ ସମେତ ମୋଟ୍‌ ୬୭.୯୫ ଲକ୍ଷରୁ ଅଧିକ କେନ୍ଦ୍ର ସରକାର ପେନ୍‌ସନ୍‌ଭୋଗୀ ରହିଛନ୍ତି ।

ସେଣ୍ଟ୍ରାଲ୍ ପେନ୍‌ସନ୍‌ ଆକାଉଣ୍ଟିଂ ଅଫିସ୍, ଡିଫେନ୍ସ ଆକାଉଣ୍ଟସ୍ କଣ୍ଟ୍ରୋଲର୍ ଜେନେରାଲ୍, ରେଳ ମନ୍ତ୍ରଣାଳୟ, ଟେଲିକମ୍ ବିଭାଗ ଏବଂ ପୋଷ୍ଟ ବିଭାଗ ଦ୍ୱାରା ପରିଚାଳିତ ଡାଟାବେସ୍ ଆଧାରରେ ପେନ୍‌ସନ୍‌ଭୋଗୀ କଲ୍ୟାଣ ବିଭାଗ ଦ୍ୱାରା ତଥ୍ୟ ପ୍ରଦାନ କରାଯାଇଛି । ସେହି ଅଥ୍ୟ ଅନୁସାରେ ମାର୍ଚ୍ଚ ୩୧ ତାରିଖ ୨୦୨୩ ସୁଦ୍ଧା ମୋଟ୍‌ ୬୭ଲକ୍ଷ ୯୫ ହଜାର ୪୪୯ ଜଣ ପେନ୍‌ସନ୍‌ ଭୋଗୀ ରହିଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାକୁ ସୂଚନା ଦେଇଛନ୍ତି ।

ଖାଲି ଏତିକି ଯେ ତାହା ନୁହେଁ, ପଙ୍କଜ ସମସ୍ତ ବିଭାଗର ପେନ୍‌ସନ୍‌ଭୋଗୀଙ୍କ ତାଲିକାର ଗୋଟି ଗୋଟି ତଥ୍ୟ ପ୍ରଦାନ କରିଛନ୍ତି । ଗୃହରେ ଆହୁରି ତଥ୍ୟ ଦିଆଯାଇଛି ଯେ, ଅର୍ଥ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ ସରକାରୀ କମିଟି ଗଠନ କରାଯାଇଛି । ଯିଏ କି ସରକାରୀ କର୍ମଚାରୀଙ୍କ ପେନ୍‌ସନ୍‌କୁ ନେଇ ଅନୁଧ୍ୟାନ କରୁଛନ୍ତି । ନ୍ୟାସନାଲ ପେନ୍‌ସନ୍‌ ସିଷ୍ଟମ (NPS) ଉପରେ ବିଚାର କରିବା ସହ ଯାଞ୍ଚ ଜାରି ରଖିଛନ୍ତି । ଯାହାକି ପରବର୍ତ୍ତୀ ସମୟରେ କିଛି ପରିବର୍ତ୍ତନ କରାଯାଇପାରେ ।

ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆହୁରି କହିଛନ୍ତି ଯେ, ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ପୁରୁଣା ପେନ୍‌ସନ୍‌କୁ ଫେରାଇଆଣିବା ନେଇ କେନ୍ଦ୍ର ସରକାର ଓ (PFRDA)କୁ ସୂଚନା ଦେଇଛନ୍ତି ।

OPS ଅଧୀନରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ମାସିକ ପେନସନ୍ ଭାବରେ ସେମାନଙ୍କର ଶେଷ ବେତନର ୫୦ ପ୍ରତିଶତ ପାଉଥିଲେ । ହେଲେ ପରେ କେନ୍ଦ୍ର ସରକାର ସଶସ୍ତ୍ର ବାହିନୀ ବ୍ୟତୀତ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ NPS ଲାଗୁ କରିଛନ୍ତି । ଆଉ ଏହି ଆଧାରରେ ଅଧିକାଂଶ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସରକାର ମଧ୍ୟ ସେମାନଙ୍କ ନୂତନ କର୍ମଚାରୀଙ୍କ ନିମନ୍ତେ NPS ଲାଗୁ କରିସାରିଛନ୍ତି ।

NPS ଲାଗୁ ହେବା ଫଳରେ ପେନ୍‌ସନ୍‌ ଭୋଗୀମାନେ ବହୁତ୍‌ କମ୍‌ ପେନ୍‌ସନ୍‌ ପାଉଛନ୍ତି । ଯାହା ଦ୍ୱାରା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ପୂର୍ବପରି ସରକାର OPS ଲାଗୁ କରିବାକୁ କର୍ମଚାରୀମାନେ ଦାବି କରିଆସୁଛନ୍ତି ।