/odishatv-khabar/media/post_attachments/uploadimage/library/16_9/16_9_0/wall_1751719307.jpg)
wall
ସରକାରୀ କାମ କେମିତି ହେଉଛି, ଟଙ୍କା ଯାଉଛି କୁଆଡେ ? ଏହାର ଉଦାହରଣ ହେଉଛି ଏହି ସ୍କୁଲ୍ । ସ୍କୁଲ କାମରେ ଏମିତି ହୋଇଛି ବିଲ୍ । ଯିଏ ଦେଖୁଛି, କହୁଛି ସବୁ ଖାଇଗଲେ । ଗୋଟିଏ କାନ୍ଥରେ ଲଗାଯାଇଛି ୪ ଲିଟରର ପେଣ୍ଟ୍ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି କାମ ପାଇଁ ଲାଗିଛନ୍ତି ୧୬୮ ଜଣ ଶ୍ରମିକ ଓ ୬୫ ଜଣ ମିସ୍ତ୍ରୀ । ଏ କାମ ହୋଇଛି ଗୋଟିଏ ସରକାରୀ ସ୍କୁଲରେ । ସୋସିଆଲ୍ ମିଡିଆରେ ଏହି ତଥ୍ୟ ଘୂରି ବୁଲିବା ପରେ ସରକାରଙ୍କ ଦୃଷ୍ଟିକୁ ଆସିଛି ।
ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଥିବା ସାକଣ୍ଡି ସ୍କୁଲର ଗୋଟିଏ କାନ୍ଥ ପେଣ୍ଟିଂ କରିବା ପାଇଁ ଖର୍ଚ୍ଚ ହୋଇଛି ୧ ଲକ୍ଷ ୭ ହଜାର ଟଙ୍କା । ସରକାରୀ ତହବିଲରୁ ଏହି ଟଙ୍କା ମଧ୍ୟ ଉଠିଯାଇଛି । ସେହିପରି ନିପାନିୟା ସ୍କୁଲର ୪ଟି କବାଟ ଓ ୧୦ଟି ଝରକା ପେଣ୍ଟ କରାଯାଇଛି । ଏ ବାବଦରେ ଖର୍ଚ୍ଚ ହୋଇଛି ୨ ଲକ୍ଷ ୩୦ ହଜାର ଟଙ୍କା । ଏହା ହେଉଛି ମଧ୍ୟପ୍ରଦେଶ ବ୍ୟୋହରି ନିର୍ବାଚନ ମଣ୍ଡଳୀର କଥା । ନିପାନିୟାରେ ଏହି କାମ ପାଇଁ ୨୭୫ ଜଣ ଶ୍ରମିକ ଓ ୧୫୦ ଜଣ ମିସ୍ତ୍ରୀ କାମରେ ଲାଗିଥିଲେ ବୋଲି ସରକାରୀ ରେକର୍ଡ କହୁଛି । କାମ କରିଥିବା ସଂସ୍ଥା ଗତ ମେ ୫ ତାରିଖରେ ଏହି ବିଲ୍ କରି ଟଙ୍କା ନେଇଯାଇଛି । କିନ୍ତୁ ତାର ମାସକ ତଳେ ଏହି କାମ ଶେଷ ହୋଇ ଭେରିଫାଏ ହୋଇସାରିଥିଲା ।
ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିଲ୍ ଗୁଡିକ ପଇଠ ହେଲା ବେଳେ କାମ ପୂର୍ବର ଓ କାମ ପରର ଫଟୋ ଦିଆଯିବାର ବ୍ୟବସ୍ଥା ଅଛି । କିନ୍ତୁ ବିନା ଫଟୋରେ ଏହି କାମକୁ ଅନୁମୋଦନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଏହା ଉପରେ କହିଛନ୍ତି ଯେ, ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ପୋଷ୍ଟ ଉପରେ ତଦନ୍ତ କରାଯାଉଛି । ସ୍କୁଲ କାମ କରିଥିବା ସଂସ୍ଥା ଠିକ ଭାବେ କାମ କରିଛି ନା ମିଛ ବିଲ୍ ଦେଇଛି, ତାହାର ତଦନ୍ତ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)