Advertisment

ନିର୍ବାଚନ ପାଇଁ ବାଜିଲା ପ୍ରାଥମିକ ବିଗୁଲ; ଗାଦି ମଡ଼ା ଅଫିସରଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶ

ଦୀର୍ଘ ଦିନ ଧରି ଗାଦି ମାଡି ବସିଛନ୍ତି ବାବୁ । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି SPଙ୍କ ଯାଏ । ସବୁଠି ଯେମିତି କୋଳି ଖାଇ ମଞ୍ଜି ପୋତିଛନ୍ତି ଅଫିସର । ଗାଦି ମଡା ଅଧିକାରୀଙ୍କ ତାଲିକା ବି ରାଜ୍ୟରେ ବେଶ ଲମ୍ବା ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

election commissioner of india

ବାଜିଲା ନିର୍ବାଚନୀ ପ୍ରସ୍ତୁତିର ପ୍ରାଥମିକ ବିଗୁଲ । ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ଗାଦି ମଡ଼ା ଅଫିସରଙ୍କ ବଦଳି ପାଇଁ ନିର୍ବାଚନ କମିଶନ ଜାରି କଲେ ନିର୍ଦ୍ଦେଶ । ଆଶ୍ଚର୍ଯ୍ୟର କଥା ହେଲା ଦୀର୍ଘ ଦିନ ଧରି ଗୋଟିଏ ସ୍ଥାନରେ ଥିବା ଅଫିସରଙ୍କ ତାଲିକା ବେଶ୍ ଲମ୍ୱା । ତେବେ କାହିଁକି ଏତେଦିନ ଧରି ଗୋଟିଏ ସ୍ଥାନରେ ରହୁଛନ୍ତି ଅଫିସର, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

Advertisment

ଦୀର୍ଘ ଦିନ ଧରି ଗାଦି ମାଡି ବସିଛନ୍ତି ବାବୁ । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି SPଙ୍କ ଯାଏ । ସବୁଠି ଯେମିତି କୋଳି ଖାଇ ମଞ୍ଜି ପୋତିଛନ୍ତି ଅଫିସର । ଗାଦି ମଡା ଅଧିକାରୀଙ୍କ ତାଲିକା ବି ରାଜ୍ୟରେ ବେଶ ଲମ୍ବା । ମୟୂରଭଞ୍ଜରେ ଦୀର୍ଘ ପାଞ୍ଚ ବର୍ଷ ଆଠ ମାସ ହେଲା ଜିଲ୍ଲାପାଳ ଅଛନ୍ତି ବିନିତ ଭରଦ୍ୱାଜ । ୨୦୧୨ ବ୍ୟାଚର ଏଇ ଆଇଏଏସ୍ ଅଧିକାରୀ ଜଣକ ଏପ୍ରିଲ୍ ୨୦୧୮ରେ ପୋଷ୍ଟିଂ ପାଇଥିଲେ ଜିଲ୍ଲାରେ ।

କୋଭିଡ ପରିଚାଳନାରେ ତ୍ରୁଟି, ବାଲି ଚୋରା କାରବାରରେ ଗ୍ରୀନ୍ ଟ୍ରିବୁନାଲଙ୍କ ତିନି ତିନି ଥର ନୋଟିସ୍, ଶିମିଳିପାଳ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଭର୍ତ୍ସନା, ନବୀନ ଛପା ଟି ସାର୍ଟ ପିନ୍ଧି ବିବାଦ ଘେରରେ ଥିଲେ ବି ସରକାର ତାଙ୍କୁ ବଦଳି କରିନାହାନ୍ତି । ସେହିପରି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ ପ୍ରାୟ ୬ ବର୍ଷ, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ତିନି ବର୍ଷରୁ ଅଧିକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ୍ ପି ଏମ୍. ସନ୍ଦୀପ ସମ୍ପତ୍ ଏବଂ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଗୋଟିଏ ସ୍ଥାନରେ ପ୍ରାୟ ତିନିବର୍ଷ ଧରି କାର୍ଯ୍ୟ କରିଥିଲେ ସୁଦ୍ଧା ଏଯାଏ ବଦଳି ହୋଇନି ।

Advertisment

ସେପଟେ ଦୀର୍ଘ ଦିନ ଧରି ଗୋଟିଏ ପଦବିରେ ଥିବା ଅଫିସରଙ୍କ ପୋଷ୍ଟିଂକୁ ନେଇ ତେଜିଛି ରାଜନୀତି । ବିରୋଧୀ ବିଜେପି ଓ କଂଗ୍ରେସର ଅଭିଯୋଗ, ସରକାରୀ ଦଳ ଅଫିସରଙ୍କୁ ହାତବାରିସି କରି ଭୋଟ୍ ପାଇବାକୁ ଏଭଳି ପ୍ରୟାସ କରିଛି । ଶାସକ ଦଳର ଯୁକ୍ତି ଏହା ଗତାନୁଗତିକ ପ୍ରକ୍ରିୟା ।

ଆଉ ଏପଟେ ନିର୍ବାଚନ କମିଶନ ସବୁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ଉଲ୍ଲେଖ ଅଛି ଓଡିଶା ସମେତ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଆସନ୍ତା ବର୍ଷ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିଲାଗି ଅଫିସରଙ୍କ ବଦଳି ଓ ପୋଷ୍ଟିଂ ଉପରେ ନିୟମ କଡାକଡି କରାଯିବ । ଯେଉଁ ସବୁ ସ୍ଥାନରେ ତିନି ବର୍ଷରୁ ଅଧିକ ସମୟ ହେବ ସରକାରୀ ଅଧିକାରୀମାନେ ଅଛନ୍ତି ସେମାନଙ୍କୁ ବଦଳି କରାଯିବ ।

ଗତ ୪ ବର୍ଷ ମଧ୍ୟରେ ଯେଉଁମାନେ ତିନିବର୍ଷ ପୂରଣ କରିଥିବେ ଅଥବା ୩୦ ଜୁନ୍ ୨୦୨୪ ପୂର୍ବରୁ ତିନି ବର୍ଷ ପୂରଣ କରୁଥିବେ କିମ୍ବା ନିଜ ଜିଲ୍ଲାରେ ଥିବେ ସେମାନଙ୍କ ବଦଳି କରାଯିବ । ଏଠି ପ୍ରଶ୍ନ ଉଠୁଛି ସ୍ବଚ୍ଛତାର କଥା କହୁଥିବା ରାଜ୍ୟ ସରକାର ଦୀର୍ଘ ଦିନ ଧରି ଜଣକୁ କିପରି ଗୋଟିଏ ପଦରେ ରଖୁଛନ୍ତି ? ଏହା ଦ୍ୱାରା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ।

Transfer
Advertisment
Advertisment