• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବ୍ୟାନ୍‌ ହେଲା ୩୪୮ ଆପ୍‌ । ଚୀନ୍‌ ଏବଂ ଅନ୍ୟ କିଛି ଦେଶ ଦ୍ୱାରା ଏହି ଆପ୍‌ ଗୁଡ଼ିକୁ ପ୍ରସ୍ତୁତ କରାଯାଇଥିଲା । ଯାହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାନ୍‌ କରାଯାଇଛି । ବୁଧବାର ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ, ଏହି ଆପ୍‌ ମାଧ୍ୟମରେ ବେଆଇନ ଭାବେ ଆମ ଦେଶର ସାଧାରଣ ନାଗରିକମାନଙ୍କର ତଥ୍ୟ ବା ଡାଟା ଚୋରି କରାଯାଉଥିଲା ।

ଏହି ଆପ୍‌ଗୁଡ଼ିକ ମାଧ୍ୟମରେ ଲୋକଙ୍କ ତଥ୍ୟ ଏକାଠି କରି ବିଦେଶୀ ସର୍ଭରକୁ ବେଆଇନ ଭାବେ ଦିଆଯାଉଥିଲା । ଯାହାକି ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଆପ୍‌ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଇଲେକ୍ଟ୍ରୋନିକ ଓ ସୂଚନା ପ୍ରାଦ୍ୟୋଗିକ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ଲୋକସଭାରେ ଏହି ଉତ୍ତର ରଖିଛନ୍ତି । ରୋଡମଲ ନାଗରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ରାଜୀବ ଲିଖିତ ଭାବେ ଏହି ଉତ୍ତର ରଖିଛନ୍ତି । ରୋଡମଲ ପ୍ରଶ୍ନ କରିଥିଲେ ଯେ, ଦେଶ ବାହାରକୁ ସୂଚନା ଦେଉଥିବା କିଛି ବେଆଇନ୍‌ ଆପ୍‌କୁ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି ନା ନାହିଁ ? ଆଉ ଯଦି କିଛି ସେହିଭଳି ଆପ୍‌ ଚିହ୍ନଟ କରାଯାଇଛି ତେବେ ତା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି ନା ନାହିଁ ?

ଏଭଳି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ରାଜୀବ କହିଛନ୍ତି, ଏବେ ସୁଦ୍ଧା ୩୪୮ ଆପ୍‌କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରଥମେ ଏହି ଆପ୍‌ ଗୁଡ଼ିକୁ ଚିହ୍ନଟ କରାଯାଇଥିଲା । ପରେ ମନ୍ତ୍ରାଳୟର ଅନୁରୋଧ କ୍ରମେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରାଳୟ ଏହି ଆପ୍‌ଗୁଡ଼ିକୁ ବ୍ଲକ୍‌ କରିଦିଆଯାଇଛି । କାରଣ ଏଭଳି ଡାଟା ଚୋରି କରି ବିଦେଶକୁ ଦେବା, ଦେଶ ପାଇ ବିପଦ ସାଜିପାରେ । ଦେଶର ସୁରକ୍ଷା ଓ ଅଖଣ୍ଡତା ପ୍ରତି ଏହା ବିପଦ ଆଣିପାରେ । ତେଣୁ ଏସବୁକୁ ତୁରନ୍ତ ବ୍ୟାନ୍‌ କରି ଦିଆଯାଇଛି ।