Advertisment

୨ ଦିନ ପରେ G20 ସମ୍ମିଳନୀ; ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ ଅପେକ୍ଷାରେ ଭାରତ ମଣ୍ଡପମ୍

କାଲି ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମିଲେଟ୍ ମିଶନ ଅଭିଜ୍ଞତା ବଖାଣିବେ ଦୁଇ ଓଡ଼ିଆ ମହିଳା ଚାଷୀ ।

author-image
Satyendu Shekher Mishra
undefined

Bharat Mandapam

ସଜେଇ ହୋଇଛି ଦିଲ୍ଲୀ, ଝଲସୁଛି ପ୍ରଗତୀ ମୈଦାନ। ବିଶ୍ବର ୨୦ରୁ ଅଧିକ ପ୍ରଭାବଶାଳୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସ୍ୱାଗତ ପାଇଁ ଅପେକ୍ଷା କରିଛି ଭାରତ ମଣ୍ଡପମ୍। ଆସନ୍ତା ୯ରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଥିବା ଅଷ୍ଟାଦଶ ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ। ଜି ଟ୍ବେଣ୍ଟି ବୈଠକରେ ଯୋଗଦେବା ଲାଗି କାଲି ନୂଆଦିଲ୍ଲୀ ପହଞ୍ଚୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ବାଇଡେନ୍ ଭାରତ ଆସୁଥିବା ନେଇ ସ୍ପଷ୍ଟ କରିଛି ହ୍ୱାଇଟ୍ ହାଉସ। ଏପଟେ ବାଇଡେନଙ୍କୁ ଆତିଥେୟତା ଦେବା ଅପେକ୍ଷାରେ ହୋଟେଲ୍ ଆଇଟିସି ମୌର୍ଯ୍ୟ।

Advertisment

ସେହିଭଳି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ମଧ୍ୟ ଜି-୨୦ରେ ଯୋଗଦେବା ଲାଗି ଭାରତ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ରିଷି ପ୍ରଥମ ଥର ନୂଆଦିଲ୍ଲୀ ଆସୁଥିବା ବେଳେ ତାଙ୍କ ପାଇଁ ପ୍ରସ୍ତୁତ ରହିଛି ଏ ସମ୍ଭ୍ରାନ୍ତ ହୋଟେଲ ସାନଗ୍ରୀ ଲା’ । ଅନ୍ୟପଟେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମେତ ଜର୍ମାନ, ଜାପାନ, କାନାଡା ଭଳି ଆହୁରି ବହୁ ବିତ୍ତଶାଳୀ ଦେଶର ଶୀର୍ଷ ନେତା ନୂଆଦିଲ୍ଲୀ ଆସୁଥିବା ବେଳେ ସେମାନଙ୍କୁ ପାଇଁ ପ୍ରସ୍ତୁତ ରହିଛି ହୋଟେଲ ମେରିଡିଆନ୍।

ତେବେ ଭାରତ ତଥା ଦକ୍ଷିଣ ଏସିଆରେ ପ୍ରଥମ ଥର ଆୟୋଜିତ ଏହି ଜି ଟ୍ୱେଣ୍ଟି ବୈଠକରେ ଏଥର ଯୋଗଦେଉ ନାହାନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍। ସେହିଭଳି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ବି ଜି ଟ୍ୱେଣ୍ଟି ବୈଠକରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିିଛନ୍ତି । ତେଣୁ ଏଥର ଏ ଦୁଇ ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କ ପ୍ରତ୍ୟକ୍ଷ ଅନୁପସ୍ଥିତିରେ ଆଗକୁ ଯିବ ଜି ଟ୍ୱେଣ୍ଟି ବୈଠକର ଆଲୋଚନା।

Advertisment

ଏପଟେ ଜି-୨୦ ସମିଳନୀ ପାଇଁ ଆଜିଠୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି କିଛି ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ । ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମଦ ତିନିବୁ ନୂଆଦିଲ୍ଲୀରେ ପହଞ୍ଚିବା ପରେ ବିମାନ ବନ୍ଦରରେ ତାଙ୍କୁ ମିଳିଥିଲା ଭବ୍ୟ ସ୍ୱାଗତ । ସେହିଭଳି ଅନ୍ୟ ଅତିଥିଙ୍କ ସ୍ୱାଗତ ପାଇଁ ଚଳଚଞ୍ଚଳ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପ୍ରଗତୀ ମୈଦାନ ପର୍ଯ୍ୟନ୍ତ ରାସ୍ତା। ପୋଷ୍ଟର ବ୍ୟାନରରେ ଛାଇ ଯାଇଛି ରାସ୍ତାଘାଟ।

ନୂଆଦିଲ୍ଲୀରେ ଏଥର ଜି ଟ୍ୱେଣ୍ଟି ବୈଠକ ଅବସରରେ ବିଦେଶୀ ରାଷ୍ଟ୍ରମୁଖ୍ୟ ଓ ଅତିଥିଙ୍କୁ ଭିନ୍ନ ଅନୁଭୂତି ଦେବ ପ୍ରଗତି ମୈଦାନରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଭାରତ ମଣ୍ଡପମ୍। ୨ ହଜାର ୭ ଶହ କୋଟି ଟଙ୍କାରେ ନିର୍ମିତ ଭାରତ ମଣ୍ଡପମ୍ ଭିତରେ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ର ପ୍ରସ୍ତୁତ ରହିଛି। ଏଠାରେ ଜି ଟ୍ୱେଣ୍ଟି ବୈଠକ ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତ ମଣ୍ଡପମ୍ ସମ୍ମୁଖରେ ସ୍ଥାନ ପାଇଥିବା ଆକର୍ଷଣୀୟ ନଟରାଜ ମୂର୍ତ୍ତି ଓ ଏକ ସୁନ୍ଦର ସ୍ୱିମିଂ ପୁଲ ମଧ୍ୟ ଅତିଥିଙ୍କୁ ମନ୍ତ୍ରମୁଗଧ କରିବ।

ସେପଟେ ମହାତ୍ମାଙ୍କ ସମାଧି ସ୍ଥଳ ରାଜଘାଟ ନିକଟ ଗାନ୍ଧୀ ଦର୍ଶନ ସଂଗ୍ରହାଳୟ ମଧ୍ୟ ପାଇଛି ନୂଆ ରୂପ। ଏଠାରେ ଗାନ୍ଧିଙ୍କ ଦର୍ଶନ ଓ ବାପୁଙ୍କ ଅବିକଳ ପ୍ରତିମୂର୍ତ୍ତି ସବୁ ଅତିଥିଙ୍କୁ ନିଆରା ଅନୁଭୂତି ଦେବ ନିଶ୍ଚୟ।

୨୦୨୩କୁ ସାରା ବିଶ୍ବ ଅନ୍ତର୍ଜତାୟୀ ମିଲେଟ୍ ବର୍ଷ ପାଳନ କରୁଥିବାରୁ ଏହାର ଗୁରୁତ୍ୱ ଜି ଟ୍ୱେଣ୍ଟି ବୈଠକରେ ବି ପ୍ରତିଫଳିତ ହେବ। ଏଥିପାଇଁ ମିଲେଟ୍ ମିଶନ୍ ଉପରେ ତୃଣମୂଳ ସ୍ତରରେ କାମ କରୁଥିବା ଓଡ଼ିଶାର ଦୁଇ ଆଦିବାସୀ ମହିଳା କୋରାପୁଟ କୁନ୍ଦୁରାର ରାଇମତି ଘିଉରିଆ ଓ ମୟୂରଭଞ୍ଜ ଯଶୀପୁର ଗୋଇଲି ଗାଁର ସୁବାସା ମହାନ୍ତ ସ୍ୱତନ୍ତ୍ର ଅତିଥି ଭାବେ ନୂଆଦିଲ୍ଲୀ ଯାଉଛନ୍ତି । ମିଲେଟ୍ ମିଶନରେ ସେମାନଙ୍କ ଭାଗିଦାରିତା ଓ ଅନୁଭିତା ଅଭିଜ୍ଞତା ନେଇ ଏମାନେ ନିଜ ନିଜର ବକ୍ତବ୍ୟ ରଖିବେ।

G20
Advertisment
Advertisment