• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି କାଲିର ଜୀବନଶୈଳୀରେ ଜିମ୍ ଯିବା ଏକ ଫ୍ୟାସନ ପାଲଟିଗଲାଣି । ଅନେକ ମଧ୍ୟ ସୁସ୍ଥ ରହିବା ପାଇଁ ଜିମ୍ ଯିବା ପସନ୍ଦ କରୁଛନ୍ତି । ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ । ତେବେ ଜିମ୍‌ର ମହଙ୍ଗା ପ୍ୟାକେଜ୍ ପାଇଁ ସମସ୍ତେ ଜିମ୍ ଯାଇପାରନ୍ତି ନାହିଁ । ଏପରି ସ୍ଥଳେ ତେଲେଙ୍ଗାନାର କେଟ୍ରାପାଲେ ଗାଁର ଜଣେ ୨୯ ବର୍ଷ ବୟସ୍କ ଯୁବକଙ୍କ ମୁଣ୍ତରେ ଏକ ଅଭିନବ ଉପାୟ ଆସିଥିଲା ।

ସେ କାଠରେ ଟ୍ରେଡମିଲ୍ ତିଆରି କଲେ । ଜିମ୍‌ରେ ମେସିନଗୁଡ଼ିକର ଦାମ୍ ଅଧିକ ଥିବାରୁ ସେ କାଠରେ ଟ୍ରେଡମିଲ୍ ତିଆରି କଲେ । ଏପରି କରି ବର୍ତ୍ତମାନ ସେ ଚର୍ଚ୍ଚାରେ । ଖଟ, ସୋଫା, ଚେୟାର, କବାଟ ଏବଂ ଅନ୍ୟାନ୍ୟ ଜିନିଷ ତିଆରି କରୁଥିବା ବେଳେ ଅନେକ ସମୟରେ ତାଙ୍କର ଶରୀରରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହାର ସମାଧାନ ପାଇଁ ସେ ଜିମ୍ ଯିବାକୁ ଭାବିଥିଲେ ।

ତେବେ ଜିମ୍‌ର ପ୍ୟାକେଜ୍ ତାଙ୍କ ବଜେଟ୍‌କୁ ସୁହାଇନଥିଲା । ଫଳରେ ସେ ନିଜେ ଟ୍ରେଡମିଲ୍ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ସେ ସ୍ଥାନୀୟ ଏକ ଜିମ୍‌କୁ ଯାଇଥିଲେ । ସେଠାକୁ ଯିବା ପରେ ପ୍ରତି ମାସର ଖର୍ଚ୍ଚ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଯେତେବେଳେ ସେ ଟ୍ରେଡମିଲର ଦାମ୍ ଜାଣିଲେ ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସିଯିବା ପରି ଲାଗିଲା ।

ସୂଚନାଯୋଗ୍ୟ, ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କରିବା ପରେ ଚାକିରି ନକରିବା ପାଇଁ ସେ ନିଷ୍ପତ୍ତି ନେଲେ । ପିତାଙ୍କ ପଦାଙ୍କ ଅନୁସରଣ କରି କାଠ ମିସ୍ତ୍ରୀ ହେବାକୁ ନିଷ୍ପତ୍ତି ନେଲେ । ନିଜକୁ ଫିଟ୍‌ ରଖିବା ପାଇଁ ସେ ହରିଶ କାଠରେ ଟ୍ରେଡମିଲ୍ ତିଆରି କରିବାକୁ ନିଷ୍ପତ୍ତି ନେଲେ ।

ଜିମ୍‌ରେ ଟ୍ରେଡମିଲ୍ କିପରି କାମ କରେ ତାହା ଦେଖିବା ପରେ, ସେ କାଠ ଏବଂ ସ୍କ୍ରୁ ବ୍ୟବହାର କରି ଏହାକୁ ତିଆରି କରିବାକୁ ସ୍ଥିର କଲେ । ତେବେ ଏହାକୁ ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ ୧୫ ଦିନ ସମୟ ଲାଗିଥିଲା । କାଠ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବାରେ ସେ ୧୩ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ।

ତେବେ ଏପରି କାଠ ତିଆରି ଟ୍ରେଡମିଲ୍ ଦେଖି ଗାଁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ହରିଶ କହିଛନ୍ତି । ତେବେ ସବୁଠାରୁ ରୋଚକ କଥା ହେଉଛି, ଏହା କୌଣସି ବିଦ୍ୟୁତ୍ ଦ୍ୱାରା ଚାଲେନାହିଁ । ହରିଶ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ହାଇଦ୍ରାବାଦ, ବିଜୟୱାଡା ଏବଂ ମାସିଲିପାଟନମର ଲୋକମାନେ ମଧ୍ୟ ଏହାକୁ କିଣିବାକୁ ଆଗ୍ରହ ଦେଖାଉଛନ୍ତି । ପ୍ରତ୍ୟେକ କାଠ ଟ୍ରେଡମିଲ୍ ପାଇଁ ସେ ୧୫ ହଜାର ଟଙ୍କା ଆଦାୟ କରୁଥିବା ଜଣାପଡ଼ିଛି ।

ହରିଶ ନିଜର ଏହି କାମର ସମସ୍ତ ଶ୍ରେୟ ନିଜ ବାପାଙ୍କୁ ଦେଇଛନ୍ତି । ସେ କହିଛନ୍ତି, ମୋ ବାପା ମୋର ପ୍ରେରଣା । ସେ ହିଁ ପ୍ରଥମେ ମୋତେ ଉତ୍ସାହିତ କରିଥିଲେ । ଯଦି ସରକାରଙ୍କ ସମର୍ଥନ ମିଳନ୍ତା ତେବେ ବିନା ବିଦ୍ୟୁତ୍‌ଚାଳିତ ଅଧିକ ଟ୍ରେଡମିଲ୍ ନିର୍ମାଣ କରିପାରିବେ ବୋଲି ସେ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now