/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729089935.jpg)
bomb threats
ବିମାନରେ ବୋମା ଗୁଜବ। ଲଗାତାର ୩ ଦିନରେ ୧୨-୧୨ଟି ଘଟଣା। ଗଲା ସୋମବାରଠୁ ବିଭିନ୍ନ ଭାରତୀୟ ବିମାନ ସେବା ପ୍ରଦାନକାରୀ କଂପାନୀର ବିମାନରେ ଏଭଳି ବୋମା ଗୁଜବ ଘଟଣା ପରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ଯାତ୍ରୀ ପରିବହନ ବ୍ୟବସ୍ଥା। ଏପଟେ ବୃଦ୍ଧି ପାଉଥିବା ଏଭଳି ଘଟଣାର ମୁକାବିଲା ପାଇଁ ସଶସ୍ତ୍ର ସ୍କାଏ ମାର୍ଶାଲଙ୍କ ସଂଖ୍ୟା ବଢ଼ାଇବା ସହ ଆଉ କିଛି ଠୋସ୍ ପଦକ୍ଷେପ ନେବାକୁ ଚିନ୍ତା କରୁଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।
ଭାରତରୁ ବିଭିନ୍ନ ଦେଶକୁ ଯାଉଥିବା ୩ ଅନ୍ତର୍ଜାତୀୟ ବିମାନରେ ବୋମା ଗୁଜବ। ସେପ୍ଟେମ୍ବର ୧୫ରେ ଆଉ ୭ ବିମାନକୁ ସମାନ ଧରଣର ଧମକ। ଆଉ ସେପ୍ଟେମ୍ବର ୧୬ ଅର୍ଥାତ ଆଜି ପୁଣି ୨ଟି ବିମାନକୁ ବୋମାରେ ଉଡ଼ାଇ ଦିଆଯିବାର ଧମକପୂର୍ଣ୍ଣ ମେସେଜ୍। ଲଗାତାର୍ ୩ ଦିନ ଧରି ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବା ଯୋଗାଉଥିବା ବିଭିନ୍ନ ବିମାନ କମ୍ପାନୀକୁ ଏଭଳି ଧମକପୂର୍ଣ୍ଣ ମେସେଜ୍ ଆସିବା ପରେ ଏକ ପ୍ରକାର ବିଗିଡ଼ି ଯାଇଛି ବିମାନ ଯାତ୍ରା ବ୍ୟବସ୍ଥା।
ମଙ୍ଗଳବାର ଦିଲ୍ଲୀରୁ ଚିକାଗୋ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ନେଇ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ପରେ ବିମାନଟିକୁ ତୁରନ୍ତ କାନାଡ଼ାର ଏକ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା। ସେହିଭଳି ମଦୁରାଇରୁ ସିଙ୍ଗାପୁର ଯାଉଥିବା ଏକ ବିମାନରେ ବୋମା ଗୁଜବ ପରେ ଏହାକୁ ସିଙ୍ଗାପୁରର ଦୁଇଟି ଫାଇଟର ଜେଟ୍ ସହାୟତାରେ ଏସ୍କର୍ଟ କରାଯାଇ ଅବତରଣ କରାଯାଇଥିଲା।
ସେହିଭଳି ସାଉଦି ଆରବରୁ ଲକ୍ଷ୍ନୌ ଅଭିମୁଖେ ଆସୁଥିବା ଏକ ଇଣ୍ଡିଗୋ ବିମାନ ରାଜସ୍ଥାନର ଜୟପୁରରେ ଜରୁରୀ ଅବତରଣ କରିଥିଲା। ମଙ୍ଗଳବାର ରାତିରେ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଫ୍ଲାଇଟରେ ବୋମା ଗୁଜବ ପରେ ଏହାକୁ ଅହମ୍ମଦାବାରେ ଜରୁରୀ ଅବତରଣ କରାଯାଇଥିଲା। ଆଉ ଆଜି ଆକାଶ ଏୟାର ଓ ଇଣ୍ଡିଗୋ ବିମାନରେ ପୁଣି ସମାନ ଧରଣର ବୋମା ଗୁଜବ ପରେ ଦିଲ୍ଲୀ-ବାଙ୍ଗାଳୁରୁ ଆକାଶ ଫାଇଟ୍ ଟି ଦିଲ୍ଲୀ ଫେରି ଆସିଥିଲା।
ସେହିପରି ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ଫ୍ଳାଇଟ୍ ଅହମ୍ମଦାବାଦକୁ ଡାଇଭର୍ଟ କରାଯାଇଥିଲା। ବାରମ୍ବାର ଏଭଳି ବୋମା ଧମକ ପରେ ବିମାନ ଯାତ୍ରୀଙ୍କ ମଧ୍ୟରେ ଖେଳିଯାଇଛି ଆତଙ୍କ। ଆଉ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶହ ଶହ ସଂଖ୍ୟାରେ ଯାତ୍ରୀ। ବିମାନ ସେବା ପ୍ରଦାନକାରୀ କମ୍ପାନୀ ବି ପ୍ରଚୁର କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏପଟେ ଭୁବନେଶ୍ବର ବିମାନ ବନ୍ଦରକୁ ସେଭଳି କିଛି ସୂଚନା ମିଳିନି ଏବଂ ଯଦି ମିଳେ ତେବେ ସେଥିପ୍ରତି ବିମାନବନ୍ଦର କର୍ତ୍ତୃପକ୍ଷ ସଜଗ ଥିବା କହିଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ।
ବିମାନରେ ବୋମା ଗୁଜବ ଘଟଣା ବଢି ଚାଲୁଥିବାରୁ ଏହାକୁ ଅତି ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ଆଜି ବିଭାଗୀୟ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ଅଧ୍ୟକ୍ଷତାରେ ଡିଜିସିଏ କର୍ତ୍ତୃପକ୍ଷଙ୍କୁ ନେଇ ଏକ ଜରୁରୀ ବୈଠକ ବସିଛି। ପରେ ପରେ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ମଧ୍ୟ ଏ ପ୍ରସଙ୍ଗରେ ଆଲୋଚନା କରିଛି। କିଛି ଗୁଜବକାରୀଙ୍କ ସମ୍ପର୍କରେ ସୁରାକ ମିଳିଥିବା କୁହାଯାଉଛି। ସେପଟେ ଏ ଘଟଣାକୁ ଦୃଷ୍ଟିରେ ରଖି ବିମାନରେ ସ୍କାଏ ମାର୍ଶାଲଙ୍କ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସାଦା ପୋଷାକରେ ଅସ୍ତ୍ରଶସ୍ତ୍ର ସହ ସଜ୍ଜିତ ଥିବା ସ୍କାଏ ମାର୍ଶାଲ ହାଇଜାକ୍ ସମୟରେ ଯାତ୍ରୀଙ୍କୁ ସୁରକ୍ଷା ସହ ଅପହରଣକାରୀଙ୍କୁ ମୁକାବିଲା କରିବେ। ୧୯୯୯ କାନ୍ଦାହାର ବିମାନ ଅପହରଣ ଘଟଣା ପରେ ଯାତ୍ରୀବାହୀ ବିମାନରେ ସ୍କାଏ ମାର୍ଶାଲ ନିଯୁକ୍ତିର ବ୍ୟବସ୍ଥା ହୋଇଥିଲା।
ଏହି ଘଟଣାରେ ଦିଲ୍ଲୀ ପୋଲିସ୍ ୬ଟି ଏତଲା ରୁଜୁ କରିଛି। ଅନ୍ୟପକ୍ଷରେ ଗୁଜବ ସୃଷ୍ଟିକାରୀ ଧରାପଡ଼ିଲେ, ସେମାନଙ୍କ ନାଁ ନୋ ଫ୍ଲାଇଂ ଲିଷ୍ଟରେ ଚଢାଯିବାକୁ ବି ନିଷ୍ପତ୍ତି ହୋଇଛି। ଏପରି ହେଲେ, ସେଭଳି ବ୍ୟକ୍ତି ତାଙ୍କ ଜୀବନ କାଳ ଭିତରେ କେବେ ବି ବିମାନ ଯାତ୍ରା କରିପାରିବେ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)