• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଚଳିତ ବର୍ଷ ମେ’ ୧୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ୨ ହଜାର ଟଙ୍କିଆ ନୋଟ୍‌ର ସର୍କୁଲେସନ୍‌ ବନ୍ଦ ନେଇ ଘୋଷଣା କରିଥିଲା। ଏହାସହ ୨ ହଜାର ଟଙ୍କିଆ ନୋଟ୍‌ର ବଦଳ ଓ ଜମା ନେଇ ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଲୋକଙ୍କୁ ପୁରା ୪ ମାସ ସମୟ ଦିଆଯାଇଛି। ଏସବୁ ଭିତରେ ୨ ହଜାର ଟଙ୍କିଆ ନୋଟ୍‌ ବଦଳ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ସେପ୍ଟେମ୍ବରରେ ଥିବା ସମୟସୀମାକୁ ଆଉ ଘୁଞ୍ଚାଇବା ଲାଗି ସରକାର କୌଣସି ପ୍ରକାର ଯୋଜନା କରୁନଥିବା ସୋମବାର ଦିନ ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। 

ଅଧିକ ପଢ଼ନ୍ତୁ: ଥରକେ କେତେ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍‌ ବଦଳାଇ ପାରିବେ ? ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ କ’ଣ କରିବେ ?

ଏନେଇ ଲୋକସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲିଖିତ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ୨ ହଜାର ଟଙ୍କିଆ ନୋଟ୍‌ ବଦଳର ସମୟସୀମାକୁ ଆଉ ଘୁଞ୍ଚାଇବା ଉପରେ ସରକାର କୌଣସି ବିଚାର କରୁନାହାନ୍ତି କି ଏନେଇ କୌଣସି ଯୋଜନା ମଧ୍ୟ ନାହିଁ।

ସେହିପରି ୨ ହଜାର ଟଙ୍କିଆ ନୋଟ୍‌ ଛପାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ? ଏହି ପ୍ରଶ୍ନର ଉତ୍ତରରେ ପଙ୍କଜ ଚୌଧୁରୀ ଜବାବ ରଖି କହିଛନ୍ତି ଯେ, RBI ର ବାର୍ଷିକ ରିପୋର୍ଟ ୨୦୧୬-୧୭ ଅନୁସାରେ, ୨୦୧୭ ମସିହା ଜୁନ୍‌ ଶେଷ ସୁଦ୍ଧା ସିକ୍ୟୁରିଟି ପ୍ରିଣ୍ଟିଂ ଉପରେ ମୋଟ୍‌ ଖର୍ଚ୍ଚ ୭୯୬୫ କୋଟି ଟଙ୍କା। 

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କାହିଁକି ଛପାଗଲା ୨ ହଜାର ଟଙ୍କିଆ ନୋଟ୍‌ ?

୨ ହଜାର ଟଙ୍କିଆ ନୋଟ୍ ୨୦୧୬ ମସିହା ନଭେମ୍ବରରେ ଆରମ୍ଭ ହୋଇଥିଲା। ନଭେମ୍ବର ୮ରେ କେନ୍ଦ୍ର ସରକାର ୫ ଶହ ଓ ହଜାରେ ଟଙ୍କିଆ ନୋଟ୍‌କୁ ଅଚଳ କରିଦେବା ପରେ ନୋଟ୍ ଅଭାବକୁ ପୂରଣ କରିବା ପାଇଁ ଗୋଲାପୀ ରଙ୍ଗର ୨ ହଜାର ଟଙ୍କିଆ ନୋଟ୍ ଆରମ୍ଭ କରାଯାଇଥିଲା। ମାର୍କେଟରେ ପର୍ଯ୍ୟାପ୍ତ ପରିମାଣର ୫ ଶହ ଟଙ୍କିଆ ନୋଟ୍ ଆସିବା ପରେ ଓ କାରବାର ସ୍ୱାଭାବିକ ହେବା ପରେ ୨୦୧୮-୧୯ରେ ନୂଆ ୨ ହଜାର ଟଙ୍କିଆ ନୋଟ୍ ଛପା ବନ୍ଦ କରିଥିଲା ଆର୍‌ବିଆଇ।