Advertisment

ସହିଦଙ୍କ ବଦଲା ନେବା ଲକ୍ଷ୍ୟରେ ସେନା ! ଆତଙ୍କୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ୍ ଜୋରଦାର...

୫ ବର୍ଷ ଧରି କେତେ ଯେ ଶତ୍ରୁକୁ ମାତ୍ ଦେଇଥିଲେ । ହେଲେ ଗତକାଲି ଅନନ୍ତନାଗ କୋକରନାଗରେ ତାଙ୍କ ପାଇ ଥିଲା ଶେଷ ଲଢେଇ।

author-image
Satyendu Shekher Mishra
undefined

Indian Army

କୋହରେ ଛାତି ଫାଟି ଯାଉଛି । ଯବାନ ପୁଅକୁ ହରାଇବା ପରେ ବାପାକୁ ଯେ କେତେ କଷ୍ଟ ସେକଥା ଶବ୍ଦରେ ବୟାନ କରି ହେବ ନାହିଁ । ପୁଅ ଆଉ ନାହିଁ, ସକାଳୁ ଯିଏ ଘରୁ ଯାଇଥିଲା ସଂଧ୍ୟା ହେଉ ହେଉ ଯେ ଏମିତି ଚିର ନିଦ୍ରାରେ ଶୋଇଯିବ ସେ କଥା ଭାବି ୧୦ ପାହୁଣ୍ଡ ବି ଚାଲି ପାରୁନାହାନ୍ତି ବାପା।

Advertisment

ଆମେ କହୁଛୁ ଜମ୍ମୁକଶ୍ମୀର ଡିଏସ୍‌ପି ହୁମାୟୁନ୍ ଭଟ୍ଟଙ୍କ କଥା । ଆତଙ୍କୀଙ୍କ ସହ ଲଢ଼ି ଲଢ଼ି ଶେଷରେ ବୀରଗତିକୁ ପ୍ରାପ୍ତ ହୋଇଛନ୍ତି ହୁମାୟୁନ । ଜାମ୍ମୁ କାଶ୍ମୀର ପୋଲିସରେ ଆଇଜି ପଦବୀରୁ ଅବସର ନେଇଥିବା ବାପାଙ୍କ ଅଧୁରା ସ୍ୱପ୍ନ ପୁରା କରିବାକୁ ପୋଲିସରେ ଭର୍ତ୍ତି ହୋଇଥିଲେ ପୁଅ ହୁମାୟୁନ୍ । ୫ ବର୍ଷ ଧରି କେତେ ଯେ ଶତ୍ରୁକୁ ମାତ୍ ଦେଇଥିଲେ । ହେଲେ ଗତକାଲି ଅନନ୍ତନାଗ କୋକରନାଗରେ ତାଙ୍କ ପାଇ ଥିଲା ଶେଷ ଲଢେଇ।

ଆତଙ୍କାବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ମେଜର ଆଶିଷ ଡି ଓ କର୍ଣ୍ଣେଲ ମନପ୍ରିତ ସିଂ ମଧ୍ୟ ସହିଦ ହୋଇଛନ୍ତି । ହରିୟାଣା ପାନିପଥରରେ ମେଜର ଆଶିଷଙ୍କ ପିଲା ବେଳ କଟିଛି । ତାଙ୍କ ସହିଦ ଖବର ପହଞ୍ଚିବା ପରେ ଯେମିତି ଲୁହ ଆଉ ଥମିବାର ନାଁ ନେଉନି ।

Advertisment

ସମାନ ଦୃଶ୍ୟ ଚଣ୍ଡିଗଡ଼ରେ ବି ଦେଖିବାକୁ ମିଳିଛି । ୧୯ ରାଷ୍ଟ୍ରୀୟ ରାଇଫଲସର କମାଣ୍ଡିଂ ଅଫିସର୍ କର୍ଣ୍ଣେଲ ମନପ୍ରିତ ସିଂଙ୍କ ବୀରତ୍ୱ ଗାଥା ସାରା କାଶ୍ମୀରରେ ପରିଚିତ । ତାଙ୍କ ଅପରେସନ୍ ଆରମ୍ଭ ହେଲେ ଦୂର ଦୂର ଯାଏଁ ଆତଙ୍କୀ ନିଜ ଠିକଣା ବଦଳାଇ ଦେଉଥିଲେ । ତାଙ୍କ ବୀରତ୍ୱ ପାଇଁ ଦୁଇ ବର୍ଷ ସେନା ମେଡାଲରେ କର୍ଣ୍ଣେଲ ମନପ୍ରିତ ସିଂଙ୍କୁ ସମ୍ମାନିତ କରାଯାଇଥିଲା । ୨୦୧୬ରେ ଦୁର୍ଦ୍ଦାନ୍ତ ବୁରାହନ୍ ୱାନୀ ଏନକାଉଣ୍ଟରରେ ବି ୧୯ ରାଷ୍ଟ୍ରୀୟ ରାଇଫଲସର ବାହାଦୂର ଟିମରେ ଥିଲେ ମନପ୍ରୀତ ।

ଏପଟେ ଏ ଘଟଣା ପରେ ପାକିସ୍ତାନ ଠାରୁ ସବୁ ପ୍ରକାରର ସଂପର୍କ ଛିନ୍ନ କରିବାକୁ ଉଠିଛି ଦାବି । ସିନେମାଠୁ ଆରମ୍ଭ କରି କ୍ରିକେଟ୍ ଯାଏଁ, ସବୁକିଛି ଅଲଗା ପରେ ହିଁ ପାକିସ୍ତାନ ଶିଖିବ ବୋଲି କହିଛନ୍ତି ପୂର୍ବତନ ସେନା ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଜେନେରାଲ୍ ଭି.କେ. ସିଂ । ଅନ୍ୟପଟେ ଶିବସେନା ଉଦ୍ଧବ ଗୋଷ୍ଠୀ ବି ଏହି ମନ୍ତବ୍ୟକୁ ସମର୍ଥନ କରିଛି । ଭାରତ-ପାକିସ୍ତାନ ମ୍ୟାଚ୍‌କୁ ରଦ୍ଦ କରିବା ସହ ସବୁ ପ୍ରକାର ସମ୍ପର୍କ ଭାଙ୍ଗିବାକୁ ଦାବି କରିଛି ଦଳ ।

ଅନ୍ୟପଟେ କାଶ୍ମୀରରେ ପାକିସ୍ତାନର ଆତଙ୍କୀ ଗତିବିଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି । ଜମ୍ମୁ, କାଶ୍ମୀର ସମେତ ବିଭିନ୍ନ ଅଞ୍ଚଳରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପିା ଏପଟେ ଅନନ୍ତନାଗରେ ଆଜି ମଧ୍ୟ ଅପରେସନକୁ ଜୋରଦାର କରିଛି ସେନା । ତନ ତନ ଭାବେ ଯାଞ୍ଚ କରାଯିବା ସହ କମ୍ବିଂକୁ ଆହୁରି କଡ଼ାକଡ଼ି କରାଯାଇଛି ।

Indian Army
Advertisment
Advertisment