Advertisment

ପ୍ରଚାର କଟକଣା ସାମାନ୍ୟ କୋହଳ କଲେ ଭାରତୀୟ ନିର୍ବାଚନ କମିଶନ

ଆସନ୍ତା ୧୪ ତାରିଖରେ ଉତ୍ତରାଖଣ୍ଡର ୭୦ ଆସନରେ ଏବଂ ଗୋଆର ୪୦ଟି ଆସନରେ ଭୋଟ୍ ଗ୍ରହଣ ହେବ।

author-image
Chandan Shishu
Election Guidelines

Election Guidelines

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କଟକଣା ସାମାନ୍ୟ କୋହଳ କଲେ ଭାରତୀୟ ନିର୍ବାଚନ କମିଶନ। ପୂର୍ବରୁ ସକାଳ ୮ରୁ ରାତି ୮ଟା ଯାଏଁ ପ୍ରଚାର ପାଇଁ ଅନୁମତି ଥିବା ବେଳେ, ଏବେ ଏହି ଅବଧିକୁ ଆଉ ୪ ଘଣ୍ଟା ବୃଦ୍ଧି କରାଯାଇଛି। ଏଣିକି ସକାଳ ୬ଟାରୁ ରାତି ୧୦ଟା ଯାଏ ହୋଇପାରିବ ନିର୍ବାଚନ ପ୍ରଚାର। ଏଥିସହ ପ୍ରଚାର ବେଳେ ପଦଯାତ୍ରା ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଏନେଇ ଇସିଆଇ ମୁଖପାତ୍ର ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ରାଜନୈତିକ ଦଳମାନେ ଖୋଲା ସ୍ଥାନରେ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ନେଇ କୋଭିଡ୍ ପ୍ରୋଟୋକଲ୍ ସହ ରାଲି ଓ ଜନସଭା କରିପାରିବେ।ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନର ଅନୁମତି ନେବାକୁ ପଡ଼ିବ।

Advertisment

ଉତ୍ତରାଖଣ୍ଡ ଓ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ସରିଲା ପ୍ରଚାର ପର୍ବ। ଆସନ୍ତା ୧୪ ତାରିଖରେ ଉତ୍ତରାଖଣ୍ଡର ୭୦ ଆସନରେ ଏବଂ ଗୋଆର ୪୦ଟି ଆସନରେ ଭୋଟ୍ ଗ୍ରହଣ ହେବ। ଉଭୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ହେବାକୁ ଯାଉଛି। ଉତ୍ତରାଖଣ୍ଡରେ କ୍ଷମତାସୀନ ବିଜେପି ଓ ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର ହେଉଛି।

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘୋଷଣା କରିଛନ୍ତି ଯେ, ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ଯଥାଶୀଘ୍ର ୟୁନିଫର୍ମ ସିଭିଲ୍ କୋଡ୍ ପ୍ରଚଳନ କରିବ। ସେପଟେ ଗୋଆରେ ବିଜେପି ପାଇଁ ଏଥର ଲିଟମସ ଟେଷ୍ଟ ହେବାକୁ ଯାଉଛି। କାରଣ ଦଳ ସେଠାରେ ପ୍ରଥମ ଥର ପାଇଁ ବିନା କୌଣସି ମେଣ୍ଟରେ ମୈଦାନକୁ ଓହ୍ଲାଇଛି। ବିଜେପିର ଟକ୍କର ମୁଖ୍ୟ ବିରୋଧୀ କଂଗ୍ରେସ ସହିତ ହେବାକୁ ଯାଉଥିବା ବେଳେ, ଶିବସେନା-ଏନସିପି ମେଣ୍ଟ, ଆମ୍ ଆଦମୀ ପାର୍ଟି, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ମଧ୍ୟ ଭାଗ୍ୟ ପରୀକ୍ଷା କରୁଛନ୍ତି।

Advertisment

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଥିଲା ପ୍ରଚାରର ଶେଷ ଦିନ। ଆସନ୍ତା ୧୪ରେ ୯ଟି ଜିଲ୍ଲାର ୫୫ଟି ସିଟ୍‌ରେ ଭୋଟ୍ ଗ୍ରହଣ ହେବ। ଗତ ୧୦ ତାରିଖରେ ୟୁପିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା, ଯେଉଁଥିରେ ପ୍ରାୟ ୬୦ ପ୍ରତିଶତ ମତଦାନ ହୋଇଥିଲା।

ECI Election Guidelines
Advertisment
Advertisment