/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728234511.jpg)
Maldives President Muizzu
ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ିଯିବା ପରେ ଭାରତ ଶରଣରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ୪ ଦିନିଆ ଭାରତ ଗସ୍ତରେ ଆସି ଆଜି ପ୍ରଥମ ଦିନରେ ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିଛନ୍ତି ମୁଇଜୁ। ଅକ୍ଟୋବର ୧୦ ପର୍ଯ୍ୟନ୍ତ ସେ ଭାରତରେ ରହିବେ ।
ଏହି ଅବସରରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଦ୍ବିପାକ୍ଷିକ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ଶୀର୍ଷନେତାଙ୍କ ମଧ୍ୟରେ ଆଲୋଚନା ହେବ । ଏଥିସହ ଘୋର ଆର୍ଥିକ ସଂକଟରୁ ମୁକୁଳିବାକୁ ସେ ପିଏମ୍ ମୋଦିଙ୍କ ଆଗରେ ବେଲଆଉଟ୍ ବା ଆର୍ଥିକ ସହାୟତା ପ୍ରସ୍ତାବ ରଖିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ ପତ୍ନୀ ସାଜିଦାଙ୍କ ସହ ଭାରତ ଆସିଛନ୍ତି । ସେ ମୁମ୍ବାଇ ଓ ବେଙ୍ଗଳୁରୁକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଜୁନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ ଆସିଥିଲେ ମୁଇଜୁ ।
ସୂଚନା ଯୋଗ୍ୟ ଯେ, ମାଳଦ୍ବୀପରେ ଇଣ୍ଡିଆ ଆଉଟ୍ ନାରା ଦେଇ ଚର୍ଚ୍ଚାକୁ ଓ କ୍ଷମତାକୁ ଆସିଥିଲେ ମୁଇଜୁ । ମାଳଦ୍ବୀପରୁ ଭାରତୀୟ ସୈନ୍ୟଙ୍କ ଅପସାରଣ ପାଇଁ ମଧ୍ୟ ତାଙ୍କ ସରକାର ନିଷ୍ପତ୍ତି ନେଇଥିଲା । ମୁଇଜୁଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ଅସମ୍ମାନସୂଚକ ମନ୍ତବ୍ୟ ରଖିବା ପରେ ଭାରତ ସହ ସଂପର୍କ ତିକ୍ତ ହୋଇଥିଲା। ଏହାର ପରିଣାମ ସ୍ବରୂପ ଭାରତୀୟ ପର୍ଯ୍ୟଟକମାନେ ମାଲଡିଭ ପରିବର୍ତ୍ତେ ଲାକ୍ଷାଦ୍ବୀପ ଯିବାକୁ ପସନ୍ଦ କରିଥିଲେ । ଫଳରେ ମାଳଦ୍ବୀପର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ି ପଡ଼ିଛି ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ଖାଲି ହେବାକୁ ବସିଲାଣି । କୁହାଯାଉଛି, ମାଳଦ୍ବୀପ ପାଖରେ ଏବେ ଆମଦାନୀ ପାଇଁ ମାତ୍ର ଦେଢ଼ ମାସର ବୈଦେଶିକ ମୁଦ୍ରା ଗଚ୍ଛିତ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)