• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୫ ହଜାର କୋଟିର ଡ୍ରଗ୍ସ ଜବତ । NCB ଓ ଭାରତୀୟ ନୌସେନା ପକ୍ଷରୁ କରାଯାଇଥିବା ଏକ ମିଳିତ ଅପରେସନ୍‌ରେ ଏଭଳି ଏକ ବଡ଼ ଧରଣର ଚଢ଼ଉରେ ବିପୁଳ ଡ୍ରଗ୍ସ ଜବତ କରାଯାଇଛି । ଭାରତୀୟ ଜଳରାଶିରେ ପାଟ୍ରୋଲିଂ କରୁଥିବା ବେଳେ ଭାରତୀୟ ନୌସେନା ଏହି ଡ୍ରଗ୍ସ ବିଷୟରେ ସୂଚନା ପାଇଥିଲା । ଆଉ ଶନିବାର NCB ସହ ମିଶି ଚଢ଼ାଉ କରିଥିଲା । ଏନେଇ ସୋମବାର NCB ପକ୍ଷରୁ ସୂଚନା ଦିଆଯାଇଛି ।

NCBର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏହି ଡ୍ରଗ୍ସ ସବୁଠୁ ଉତ୍ତମ କ୍ୱାଲିଟିର । ଏହି ଡ୍ରଗ୍ସରେ ରହିଛି ହାଇ-ପିଓରିଟି ମେଥାଫେଟାମିନ୍ (high-purity methamphetamine) । ଜବତ କରାଯାଇଥିବା ଡ୍ରଗ୍ସର ମୋଟ ପରିମାଣ ହେଉଛି ୨୫୨୫ କେଜି । ଯାହାର ବଜାର ମୂଲ୍ୟ ୨୫ ହଜାର କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । କାରଣ ଏହା ଉତ୍ତମ କ୍ୱାଲିଟିର ଡ୍ରଗ୍ସ । ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଅପରେସନକୁ ସମ୍ପୂର୍ଣ୍ଣ ରୂପେ ସାରିବା ପାଇଁ ପ୍ରାୟ ୨୩ ଘଣ୍ଟା ସମୟ ଲାଗିଥିଲା । ୧୩୪ଟି ବଡ଼ ବସ୍ତାରେ ଏହି ଡ୍ରଗ୍ସ ରହିଥିଲା । ସେଥିରେ ଛୋଟ ଛୋଟ ପ୍ୟାକେଟ୍‌ କରି ଡ୍ରଗ୍ସ ରଖାଯାଇଥିଲା । ଆଉ ସେହି ପ୍ରତ୍ୟେକ ପ୍ୟାକେଟ୍‌ର ଓଜନ ଏକ କିଲୋ ।

ତେବେ ଏହି ଘଟଣାରେ ଜଣେ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ତାଙ୍କୁ କୋର୍ଟଙ୍କ ନିକଟରେ ହାଜର କରାଯିବ । ଆର୍ଥିକ ଦୃଷ୍ଟି କୋଣରୁ ଏହି ଅପରେସନ୍‌ ଆଜି ପର୍ଯ୍ୟନ୍ତ ହୋଇଥିବା ସବୁ ଅପରେସନ୍‌ଠାରୁ ବଡ଼ ରହିଥିଲା । ଭାରତୀୟ ମହାସାଗରର ଜଳ ରାଶିରେ ଏହି ଅପରେସନ୍‌କୁ ଅଞ୍ଜାମ ଦିଆଯାଇଥିଲା । ଏହି ଡ୍ରଗ୍ସ କାରବାରର ମୂଳ ଇରାନ୍‌ସ୍ଥିତ ଚାବାହାର ବନ୍ଦର ବୋଲି ଜଣାପଡ଼ିଛି । ଏହି ଗ୍ରଗ୍ସ ସହ ପାକିସ୍ତାନର ମଧ୍ୟ ବଡ଼ ଲିଙ୍କ୍‌ ରହିଛି । ବରିଷ୍ଠ ଏନ୍‌ସିବି ଅଧିକାରୀଙ୍କ କହିବାନୁଯାୟୀ, ଏହି ଡ୍ରଗ୍ସ ଶ୍ରୀଲଙ୍କା, ମାଲଦିବ୍‌ସ ଓ ଭାରତକୁ ପଠାଯାଉଥିଲା ।

ମାଆ ଜାହାଜ ବା ବଡ଼ ଯାହାଜକୁ କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ରଖାଯାଇଥାଏ । ପରେ ସେହି ଜାହାଜ ପାଖକୁ ଛୋଟ ଛୋଟ ଡଙ୍ଗା ଆସିଥାଏ । ସେହି ଡଙ୍ଗାରେ ବିଭିନ୍ନ ଦେଶ ତଥା ସ୍ଥାନକୁ ଡ୍ରଗ୍ସ ପହଞ୍ଚାଯାଏ । ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ, ଏହି ମିଶନ ସମୁଦ୍ରଗୁପ୍ତ (Operation Samudragupta) ଗତ ବର୍ଷ ଫେବୃଆରୀରୁ ଆରମ୍ଭ ହୋଇଛି । ଫେବୃଆରୀରୁ ଆଜି ମଧ୍ୟରେ ଅନେକ ଚଢ଼ାଉ କରଯାଇଛି । ଯେଉଁଥିରୁ ଏବେ ସୁଦ୍ଧା ବିଭିନ୍ନ ପ୍ରକାରର ପ୍ରାୟ ୪୦୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଛି । 

ଏହି ସମୁଦ୍ରଗୁପ୍ତ ଅପରେସନ୍‌ ଆରମ୍ଭ ବେଳେ ପ୍ରଥମେ ଫେବୃଆରୀ ୨୦୨୨ରେ ୫୨୯ କେଜି ହସିସ୍‌, ୨୨୧ କେଜି ମେଥାଫେଟାମିନ୍ ଓ ୧୩ କେଜି ହେରୋଇନ୍ ଜବତ କରାଯାଇଥିଲା । ଏଥିରେ ମଧ୍ୟ ଉଭୟ ଭାରତୀୟ ନୌସେନା ଓ NCB ସାମିଲ ଥିଲେ । ଏହି ସମସ୍ତ ଡ୍ରଗ୍ସ ଗୁଜୁରାଟ ଉପକୂଳରୁ ଜବତ କରାଯାଇଥିଲା । ବଲୁଚିସ୍ତାନ ଓ ଆଫ୍‌ଗାନିସ୍ତାନରୁ ଏହି ସବୁ ଡ୍ରଗ୍ସ ଆସିଥିବା ଜଣାପଡ଼ିଥିଲା ।