/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748930933.jpg)
Letter To Tirupati
ମାଓ ସଙ୍ଗଠନର ଶୀର୍ଷ ନେତା ହେଉଛନ୍ତି ଜେଜେ । ବିଚ୍ଛିନ୍ନାଞ୍ଚଳରେ ଅନ୍ୟ ମାଓବାଦୀଙ୍କ ସହ ରହୁଛନ୍ତି । କିନ୍ତୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ନାତୁଣୀ । ସାଧାରଣ ମଣିଷ ପରି ସଭିଙ୍କ ପାଖରେ ରୁହନ୍ତୁ । ମାଓ ସଙ୍ଗଠନରୁ ଫେରି ଆସନ୍ତୁ । ପରିବାର ଲୋକଙ୍କ ସହ ସାଥିରେ ରୁହନ୍ତୁ ବୋଲି ଚାହାନ୍ତି ନାତୁଣୀ । ମନରେ ଜେଜେଙ୍କ ପ୍ରତି ରହିଛି ଯଥେଷ୍ଟ ସମ୍ମାନ ଓ ଭଲ ପାଇବା । ସେହି ସମ୍ମାନ ଓ ଭଲ ପାଇବା ସହ ମାଓନେତା ଥିପରି ତିରୁପତିଙ୍କୁ ମାଓ ସଙ୍ଗଠନ ଛାଡି ଘରକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି ନାତୁଣୀ ହୁମା ।
ହୁମା ତାଙ୍କ ଚିଠିରେ ନିବେଦନ କରି ଲେଖିଛନ୍ତି, ‘‘ଜେଜେ ତୁମେ ଅସ୍ତ୍ର ଛାଡ଼ି ଘରକୁ ଫେରିଆସ। ପରିବାର ସଦସ୍ୟ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି । ଆମେ ସମସ୍ତେ ତୁମ ଫେରିବା ବାଟକୁ ଚାହିଁ ରହିଛୁ । ମୋ ଇଚ୍ଛା ଆଜି ପର୍ଯ୍ୟନ୍ତ ସ୍ୱପ୍ନରେ ହିଁ ରହି ଯାଇଛି । ପରିବାର ଆପଣଙ୍କୁ ନେଇ ଚିନ୍ତାରେ ରହିଛି । ମୁଁ ତୁମକୁ ଅନୁରୋଧ କରୁଛି, ଦୟା କରି ଜଙ୍ଗଲରେ ଅସ୍ତ୍ର ଫିଙ୍ଗି ଘରକୁ ଫେରି ଆସ । ମୁଁ ତୁମ ବିଷୟରେ ଅନେକ କଥା ଶୁଣିଛି । କିନ୍ତୁ କେବେ ଦେଖିନି । ଯେତେବେଳେ ତୁମ ବିଷୟରେ ଗଣମାଧ୍ୟମରେ ଜାଣିବାକୁ ପାଏ, ନିଜକୁ ବହୁତ ଗର୍ବ କରେ ଓ ଦୁଃଖ ମଧ୍ୟ ପ୍ରକାଶ କରେ । ତୁମେ ସାମ୍ୟବାଦୀ ସମାଜ ପାଇଁ ବହୁତ କିଛି କରିଛ । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଭଲ ନାହିଁ । ତୁମେ ବହୁତ ହାସଲ କରିଛ, କିନ୍ତୁ ଏବେ ଘରକୁ ଫେରିଆସ ।’’
ମାଓନେତା ଥିପରି ତିରୁପତିଙ୍କୁ ଚିଠି ଲେଖି ଏଭଳି ନିବେଦନ କରିଛନ୍ତି ତାଙ୍କ ନାତୁଣୀ ହୁମା। ସବୁବେଳେ ତାଙ୍କ ସହ ମିଶିବାକୁ ଇଛା ହେଉଥିଲେ ମଧ୍ୟ ଏଭଳି ସୁଯୋଗ ଆଜି ପର୍ଯ୍ୟନ୍ତ ନ ମିଳିବାରୁ ନାତୁଣୀ ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ଜେଜେବାପାଙ୍କ ପ୍ରତି ଥିବା ଭଲପାଇବା ଦର୍ଶାଇବା ସହ ସବୁ କିଛି ଛାଡି ଘରକୁ ଫେରିଆସିବାକୁ ନିବେଦନ କରିଛନ୍ତି। ତେବେ ନାତୁଣୀଙ୍କ ହୃଦୟାଭରା ଚିଠିରେ ଥିବା ଶବ୍ଦ କ’ଣ ତାଙ୍କ ଜେଜେଙ୍କ ପାଖରେ ପହଞ୍ଚିପାରିବ? ଯଦି ତିରୁପତିଙ୍କ ପାଖରେ ନାତୁଣୀଙ୍କ ବାର୍ତ୍ତା ପହଞ୍ଚେ, ତାହାଲେ ତିରୁପତି ତାଙ୍କ ନିବେଦନକୁ ରକ୍ଷା କରି ଘରକୁ ଆସିବେ ନା ତାଙ୍କ ପାଖରୁ ମୁହଁ ଫେରାଇ ନେବେ, ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ: ସୁରକ୍ଷାବାହିନୀ ଗୁଳିରେ ୩ ହାର୍ଡକୋର୍ ମାଓବାଦୀ ନିହତ
ସୂଚନାଯୋଗ୍ୟ, ତିରୁପତି ଓରଫ ରାମେଶ୍ୱରଙ୍କ ଘର ତେଲେଙ୍ଗାନା ରାଜ୍ୟର କରିମନଗରର ଆମ୍ବେଦନଗର ଗାଁରେ । ଗତ ୪ ଦଶନ୍ଧି ଧରି ସେ ସଙ୍ଗଠନରେ ସକ୍ରିୟ ରହିଛନ୍ତି । ୬ଟି ରାଜ୍ୟରେ ବଡ ବଡ ହିଂସାକାଣ୍ଡରେ ସେ ଜଡିତ ରହିଛନ୍ତି । ତେଣୁ ଦୀର୍ଘ ଦିନ ହେଲା ପୋଲିସ୍ ତିରୁପତିଙ୍କୁ ଖୋଜୁଛି । ତାଙ୍କ ନାଁରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ରହିଛି । ବର୍ତ୍ତମାନ ସେ ସେଣ୍ଟ୍ରାଲ କମିଟି ମେମ୍ବର ରହିଛନ୍ତି । ବାସବରାଜ ଗତ ୨୧ ତାରିଖରେ ଏନକାଉଣ୍ଟରରେ ମୃତ୍ୟୁବରଣ କରିବା ପରେ ମାଓବାଦୀ ମହାସଚିବ ଦୌଡରେ ସାମିଲ ଅଛନ୍ତି ମାଓନେତା ତିରୁପତି ।
ହୁମାଙ୍କର ଏହି ଚିଠି ତିରୁପତିଙ୍କ ପାଖରେ ନ ପହଞ୍ଚିଲେ ମଧ୍ୟ ସୋସିଆଲ ମିଡିଆରେ ସେ ଅପିଲ କରିଛନ୍ତି । ହୁମା ତାଙ୍କ ଜେଜେଙ୍କୁ ଜନ୍ମରୁ କେବେ ବି ଦେଖି ନାହାନ୍ତି । କେବଳ ତାଙ୍କ ବିଷୟରେ ଶୁଣିଛନ୍ତି । ସେ ହୃଦୟଙ୍ଗମ କରୁଛନ୍ତି ଯେ, ତାଙ୍କ ଜେଜେ ଜଙ୍ଗଲରେ ସୁରକ୍ଷିତ ନାହାନ୍ତି । ଯେ କୌଣସି ମୁହୁର୍ତ୍ତରେ ବି ତାଙ୍କର ମୃତ୍ୟୁ ହୋଇପାରେ ।
୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏଣୁ ସୁରକ୍ଷାବାହିନୀ ଦ୍ୱାରା ଖୋଜି ଖୋଜି ମାଓବାଦୀଙ୍କୁ ଗିରଫ କରାଯାଉଛି ନହେଲେ ଏନକାଉଣ୍ଟର କରାଯାଉଛି । ତେଣୁ ଯେଉଁଭଳି ବିଭିନ୍ନ ମାଓ କ୍ୟାମ୍ପ ଠାବ କରିବା ସହ ଘନଘନ ଅପରେସନ କରୁଛି ସୁରକ୍ଷାବାହିନୀ, ହୁଏତ ସେ ତାଙ୍କ ଜେଜେଙ୍କୁ କେବେ ଦେଖି ନ ପାରିବାର ଆଶଙ୍କା ରହିଛି । ନାତୁଣୀଙ୍କ ସହ ପରିବାର ଲୋକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)