Advertisment

ରାତି ପାହିଲେ ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି; ଭାରତ ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ

ଜଣେ ଆଦିବାସୀ ମହିଳା ଏନ୍ଏସି କାଉନସିଲରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି; ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବା ଏକ ବିରାଟ ଉପଲବ୍ଧି।

author-image
Chandan Shishu
Oath Taking Ceremony

Oath Taking Ceremony

ରାତି ପାହିଲେ ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି। ଆସନ୍ତାକାଲି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି। ଭାରତ ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ ଜଣେ ଆଦିବାସୀ ମହିଳା ହେବେ ମହାମହିମ ପଦର ଅଧିକାରୀ। ଏଥିପାଇଁ ସାରା ଦେଶରେ ଉତ୍ସାହ। ଏଣେ ଓଡ଼ିଶାରୁ ବି ନେତା ଓ ଅତିଥିଙ୍କ ସୁଅ ଲମ୍ବିଛି ଦିଲ୍ଲୀକୁ, ନୂଆ ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବାକୁ, ଭବ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ।

Advertisment

ଆସନ୍ତାକାଲି ଘଡ଼ିରେ ଯେତେବେଳେ ସକାଳ ଠିକ୍ ୧୦ଟା ୧୪ ବାଜିବ, ସେତେବେଳେ ସଂସଦ ଭବନର ସେଣ୍ଟ୍ରାଲ୍ ହଲରେ ଭାରତ ଗଣରାଜ୍ୟର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ। ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦ ଏବଂ ନିମନ୍ତ୍ରିତ ଅତିଥିଙ୍କ ଗହଣରେ, ଦ୍ରୌପଦୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମଣା। ତା ପରେ ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆସନରେ ବସି, ଇତିହାସ ରଚିବେ ଜଣେ ଆଦିବାସୀ ମହିଳା। ଏଭଳି ମହାର୍ଘ ମୁହୂର୍ତ୍ତର ସାକ୍ଷୀ ହେବାକୁ ସଂସଦ ଭବନ ପ୍ରସ୍ତୁତ, ଆଉ ନୂଆ ଅଧିପତିଙ୍କ ସ୍ୱାଗତ ପାଇଁ ରାଇସିନା ହିଲ୍ ବି ତୟାର୍।

ଜଣେ ଆଦିବାସୀ ମହିଳା ଏନ୍ଏସି କାଉନସିଲରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି; ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବା ଏକ ବିରାଟ ଉପଲବ୍ଧି। ତେଣୁ ରାଜଧାନୀ ଦିଲ୍ଲୀରୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଆଦିବାସୀ ପଲ୍ଲୀରେ ଏବେ ଖୁସିର ମାହୋଲ୍। ଏଣେ ଦ୍ରୌପଦୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଓଡ଼ିଶାରୁ ଦିଲ୍ଲୀକୁ ଛୁଟିଛି ନେତା, ଅତିଥିଙ୍କ ସୁଅ।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଦିଲ୍ଲୀ ଯାଇଥିବା ବେଳେ, ଆଜି ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏଣେ ଆଜି ଦିଲ୍ଲୀ ଯାଇଛନ୍ତି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ମୟୂରଭଞ୍ଜର ୬ ବିଧାୟକ ଏବଂ ଦ୍ରୌପଦୀଙ୍କ ସ୍କୁଲ ବେଳର ସାଥି ଦାନଗି ମୁର୍ମୁ ଓ ଗୟା ଦିଦି  ଓଡ଼ିଆ ସାଂସଦ, କେନ୍ଦ୍ରମନ୍ତ୍ରୀଙ୍କ ସହିତ ଦ୍ରୌପଦୀଙ୍କ ସାନ ଭାଇ ଓ ଭାଉଜ ମଧ୍ୟ କାଲି ଭବ୍ୟ ସମାରୋହରେ ଉପସ୍ଥିତ ରହିବେ।

ରିପୋର୍ଟ: ନିରଞ୍ଜନ ରେଡ୍ଡି ଓ ଶିବାନନ୍ଦ ରାଉତ

Oath Taking Ceremony Draupadi Murmu
Advertisment
Advertisment