• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋଭିଡ୍ ସମୟରେ ବହୁଳ ବିକ୍ରି ହୋଇଥିବା ପାରାସିଟାମଲ ଟାବଲେଟ୍ ଡୋଲୋ ୬୫୦କୁ ନେଇ ବିବାଦ । ଅଧିକ ଲାଭ କମାଇବା ଆଶାରେ କଂପାନି ଡାକ୍ତରମାନଙ୍କୁ ହଜାରେ କୋଟିର ଉପହାର ଦେଇଥିବା ଅଭିଯୋଗ ଆଣିଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) । ଏନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ପାରାସିଟାମଲ ଭଳି ଏକ କମ୍ ଦାମ୍‌ର ଔଷଧ ବିକ୍ରିରେ ଏତେବଡ଼ ଲାଞ୍ଚ କାରବାର ହେବା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । ତେବେ ଏନେଇ ଫାର୍ମା କମ୍ପାନି ମାଇକ୍ରୋ ଲାବ୍‌ସ ଲିମିଟେଡ୍‌ର ପ୍ରତିକ୍ରିୟା ମିଳିପାରିନାହିଁ ।

କରୋନା କାଳରେ ଜ୍ୱର ଉପଶମ ପାଇଁ ବ୍ୟବହୃତ ପାରାସିଟାମଲ ଟାବଲେଟ୍ ଡୋଲୋ- ୬୫୦ ବିକ୍ରି ପଛରେ ବଡ଼ ଧରଣର ଲାଞ୍ଚ କାରବାର । ଶହେ କି ଦୁଇ ଶହ ନୁହେଁ, ହଜାରେ କୋଟି ଟଙ୍କାର ଲାଞ୍ଚ ନେଣଦେଣ ଅଭିଯୋଗ ହୋଇଛି । ଡୋଲୋ-୬୫୦ର ନିର୍ମାତା ବେଙ୍ଗାଲୁରୁ ସ୍ଥିତ ଫାର୍ମା କମ୍ପାନି ମାଇକ୍ରୋ ଲାବ୍‌ସ ଲିମିଟେଡ୍ ବିରୋଧରେ ଏଭଳି ଅଭିଯୋଗ ଆଣିଛି ସେଣ୍ଟ୍ରାଲ ବୋର୍ଡ ଫର ଡାଇରେକ୍ଟ ଟ୍ୟାକସେସ୍ ବା ସିବିଡିଟି । ତେଣେ ଏକ ଜନସ୍ୱାର୍ଥ ମାମଲା ଜରିଆରେ ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଫେଡେରେସନ ଅଫ୍ ମେଡିକାଲ ଆଣ୍ଡ ସେଲ୍‌ଫ ରିପ୍ରେଜେଣ୍ଟେଟିଭ୍‌ ଆସୋସିଏସନ୍ ଅଫ୍ ଇଣ୍ଡିଆ ।

ଏବେ ପ୍ରଶ୍ନ ଉଠୁଛି, ଏତେ ଟଙ୍କାର ଲାଞ୍ଚ ନେଇଛି କିଏ ? ରୋଗୀଙ୍କୁ ଡୋଲୋ-୬୫୦ ଟାବଲେଟ୍ ଲେଖିବା ପାଇଁ କମ୍ପାନି ଡାକ୍ତରମାନଙ୍କୁ ଉପହାର ଆକାରରେ ଏହି ଅର୍ଥ ଦେଇଥିବା କୁହାଯାଉଛି । ଏପଟେ ଏ ଲାଞ୍ଚ କାରବାର କାରସାଦିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ବିଚାର କରୁଥିବା ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ସେ କୋଭିଡ୍‌ରେ ପୀଡ଼ିତ ଥିବା ସମୟରେ ବି ତାଙ୍କୁ ଡୋଲୋ ଟାବଲେଟ୍ ପ୍ରେସ୍‌କ୍ରାଇବ୍ ହୋଇଥିଲା । ଖଣ୍ଡପୀଠ ମାମଲାକୁ ଗୁରୁତର ପ୍ରସଙ୍ଗ କହିବା ସହ ୧୦ ଦିନ ଭିତରେ ଉତ୍ତର ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜୁଲାଇ ୬ରେ ୯ଟି ରାଜ୍ୟରେ ମାଇକ୍ରୋ ଲାବ୍‌ସର ଥିବା ୩୬ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଡୋଲୋ-୬୫୦କୁ ପ୍ରମୋଟ କରିବା ଲାଗି ଡାକ୍ତର ଓ ମେଡିକାଲ ପ୍ରଫେସନାଲଙ୍କୁ ମାଇକ୍ରୋ ଲାବ୍‌ସ ପ୍ରାୟ ୧ ହଜାର କୋଟି ଟଙ୍କାର ଉପହାର ଦେଇଥିବା ସିବିଡିଟି କହିଥିଲା । ୫୦୦ ମିଲିଗ୍ରାମ ପର୍ଯ୍ୟନ୍ତ ଟାବଲେଟ୍ ସରକାରଙ୍କ ମୂଲ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ଅଧିନରେ ଆସୁଥିବା ବେଳେ ଏହାଠୁ ଅଧିକ ପରିମାଣର ଟାବଲେଟ୍‌ର ମୂଲ୍ୟ କମ୍ପାନି ନିଜେ ନିର୍ଦ୍ଧାରଣ କରିଥାନ୍ତି । ତେଣୁ ଅଧିକ ଲାଭ କମାଇବା ଆଶାରେ କଂପାନି ଡାକ୍ତରଙ୍କୁ ମାଗଣା ଉପହାର ଦେଇଥିବା ଅଭିଯୋଗ ହୋଇଛି ।

କୋଭିଡ୍ ସମୟରେ ଉପଲବ୍ଧତା କାରଣରୁ ହେଉ ବା ଅନ୍ୟ କିଛି କାରଣ, ଡୋଲୋ-୬୫୦ ଘରେ ଘରେ ପରିଚିତ ନାଁ ହୋଇଯାଇଥିଲା । ଅନ୍ୟପକ୍ଷରେ ଡୋଲୋ -୬୫୦ର ଦାମ୍ ଅନ୍ୟ ପାରାସିଟାମଲ ଟାବଲେଟ୍ ସହ ପ୍ରାୟ ସମାନ ଥିବାରୁ ହଜାରେ କୋଟିର ମାଗଣା ଉପହାର ଅଭିଯୋଗକୁ ଗ୍ରହଣ କରିପାରୁନାହାନ୍ତି ବିଶେଷଜ୍ଞ ।

ଅଗଷ୍ଟ ୨୯ରେ ଡୋଲୋ-୬୫୦ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ । ପିଟିସନରଙ୍କ ଓକିଲ କହିଛନ୍ତି, କେନ୍ଦ୍ର ସରକାର ଜବାବ ରଖିବା ପରେ ମାମଲା ସଂପର୍କରେ ସୁପ୍ରିମକୋର୍ଟଙ୍କୁ ଅଧିକ ତଥ୍ୟ ପ୍ରଦାନ କରାଯିବ । ତେଣେ ସିବିଡିଟି ଆଣିଥିବା ଅଭିଯୋଗରେ କେତେ ଯଥାର୍ଥତା ରହିଛି ପରବର୍ତ୍ତୀ ଯାଞ୍ଚରୁ ତାହା ସ୍ପଷ୍ଟ ହେବ ।