• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚିତାଙ୍କୁ ଜଗିବେ ଡଗ୍‌ ସ୍କ୍ୱାଡ୍‌ । ଆଫ୍ରିକାରୁ ଆସି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଘର ବସାଇଥିବା ଚିତାଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ସେମାନଙ୍କ ସୁରକ୍ଷା ପାଇଁ ବନ କର୍ମଚାରୀ, ହାତୀ ଓ ଚିତାମିତ୍ର ନିୟୋଜିତ ହୋଇଥିବା ବେଳେ ଏବେ ସୁପର ସ୍ନିଫର୍ ଡଗ୍ ସ୍କ୍ୱାଡ୍‌ ପ୍ରସ୍ତୁତ କରାଯାଉଛି । ଏହି ତାଲିମ ପ୍ରାପ୍ତ କୁକୁରମାନେ ଚିତାକୁ ଶିକାରୀଙ୍କ କବଳରୁ ରକ୍ଷା କରିବେ । ସେମାନଙ୍କୁ ହରିୟାଣାର ପଞ୍ଚକୁଲା ଠାରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି ।

ଦୁଇ ଭାଇ ଫ୍ରେଡି, ଅଲ୍ଟନ୍; ଦୁଇ ଭଉଣୀ ଶବାନା ଓ ସାଶା; ଆଉ ସେମାନଙ୍କ ସହ ଓବାନ୍, ଆଶା, ସିବିଲି ଓ ସାଇସା । ଆଫ୍ରିକାର ନାମିବ୍ୟାରୁ ଆସି ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନକୁ ନିଜ ନୂଆ ଠିକଣା କରିଥିବା ୮ଟି ଚିତାବାଘଙ୍କ ଉପରେ ସାରା ଦେଶର ନଜର । ସେମାନଙ୍କୁ ସୁରକ୍ଷା ଦେବା ପାଇଁ  ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ତେବେ ବର୍ତ୍ତମାନ ଚିତାଙ୍କୁ ଶିକାରୀଙ୍କ ଠାରୁ ରକ୍ଷା କରିବା ପାଇଁ ମାଈ କୁକୁର ଇଲୁକୁ କମାଣ୍ଡୋ ଭାବେ ନିୟୋଜିତ କରାଯାଇଛି ।

ଅଧିକ ପଢ଼ନ୍ତୁ: ୭୦ ବର୍ଷ ପରେ ଭାରତକୁ ଫେରିଲା ଚିତା

ଆଇଟିବିପିର ଜାତୀୟ ତାଲିମ କେନ୍ଦ୍ରରେ ଇଲୁ ସମେତ ଅନ୍ୟ କୁକୁରଙ୍କୁ ତାଲିମ ଦିଆଯାଉଛି । ପ୍ରାୟ ସାତ ମାସର ତାଲିମ ପରେ ସେମାନଙ୍କୁ ଚିତାଙ୍କ ସୁରକ୍ଷାରେ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରାଯିବ । ସମସ୍ତ କୁକୁରଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରଶିକ୍ଷିତ କରାଯିବ ବୋଲି ଜଣାପଡ଼ିଛି । ପ୍ରଥମ ୩ ମାସ ମୌଳିକ ତାଲିମ ପ୍ରଦାନ କରାଯିବ । ଆଉ ତା’ପରେ ସେମାନଙ୍କୁ ଚାରିମାସ ଉଚ୍ଚ ପ୍ରଶିକ୍ଷଣ ଦିଆଯିବ । ଏହି କୁକୁରଙ୍କୁ ବିଭିନ୍ନ ବ୍ୟାଘ୍ର ସଂରକ୍ଷଣ ସ୍ଥାନରୁ ଅଣାଯାଇଥିବା ସୂଚନା ମିଳିଛି ।

କେମିତି ଦିଆଯିବ ପ୍ରଶିକ୍ଷଣ ?

ଚିତାଙ୍କ ସୁରକ୍ଷା ପାଇଁ ନିୟୋଜିତ ସୁପର ସ୍ନିଫର୍ ଡଗ୍ ସ୍କ୍ୱାର୍ଡକୁ ବିଭିନ୍ନ ଉପାୟରେ ତାଲିମ ଦିଆଯିବ । ୭ ମାସର ତାଲିମ ସମୟରେ ବିଭିନ୍ନ ପ୍ରାଣୀମାନଙ୍କର ଚର୍ମ, ହାଡ ଏବଂ ଅନ୍ୟାନ୍ୟ ଜିନିଷ ଚିହ୍ନଟ କରିବା ପାଇଁ ପ୍ରସ୍ତୁତ କରାଯିବ ।

ସୂଚନାଯୋଗ୍ୟ ପୂର୍ବରୁ ଦୁଇ ହାତୀ ସିଦ୍ଧନାଥ ଓ ଲକ୍ଷ୍ମୀ ଉପରେ ନ୍ୟସ୍ତ ଥିଲା ଚିତାଙ୍କ ସୁରକ୍ଷା ଭାର । ସିଦ୍ଧନାଥର ବୟସ ୩୦ ବର୍ଷ ଓ ଲକ୍ଷ୍ମୀର ୨୫ ବର୍ଷ । ନୂଆ ଆସିଥିବା ଚିତାବାଘଙ୍କୁ କୁନୋରେ ସବୁଠୁ ଅଧିକ ବିପଦ ରହିଛି । ସେଠାକାର  କଲରାପତରିଆ ବାଘଙ୍କ ଠାରୁ ସୁରକ୍ଷା ଦେବା ଓ କଲରାପତରିଆ ବାଘଙ୍କୁ ଠାବ କରି ଘଉଡ଼ାଇବାରେ ମାହିର୍ ଏହି ୨ଟି ହାତୀ । ଗତମାସ କୁନୋ ନ୍ୟାସନାଲ ପାର୍କକୁ ଲକ୍ଷ୍ମୀ ଓ ସିଦ୍ଧନାଥ ଆସିବା ପରେ ଚିତା ପାଇଁ ତିଆରି ଏନକ୍ଲୋଜର ପାଖ ମାଡ଼ିବା ମୁସ୍କିଲ ହୋଇଯାଇଛି । କଲରାପତରିଆ ବାଘଙ୍କ ପାଇଁ ହାତୀ ଗୁଡ଼ିକ ଦିନ ରାତି ସେହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ପାଟ୍ରୋଲିଂ କରୁଛନ୍ତି ।