• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆସାମ ଓ ମିଜୋରାମ ସୀମାରୁ ହଟିବେ ଉଭୟ ରାଜ୍ୟର ପୋଲିସ ଫୋର୍ସ ।

  • ସୀମା ବିବାଦର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ।

ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ସୀମାରୁ ହଟିବେ ଉଭୟ ରାଜ୍ୟର ପୋଲିସ ଫୋର୍ସ । ସୀମା ବିବାଦର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଗତ ସୋମବାର ଉଭୟ ରାଜ୍ୟର ସୀମା ବିବାଦ ଉଗ୍ର ରୂପ ଧାରଣ କରିବା ପରେ, ଆଜି ଏହାର ସମାଧାନ ପାଇଁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ମଧ୍ୟସ୍ଥତାରେ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଆସାମ ଓ ମିଜୋରାମର ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଏବଂ ସିଆରପିଏଫ୍ ଡିଜି କୁଲଦୀପ ସିଂ ଯୋଗ ଦେଇଥିଲେ ।

୨ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଉଭୟ ରାଜ୍ୟ ରାଜି ହୋଇଛନ୍ତି ଯେ, ଆଲୋଚନା ମାଧ୍ୟମରେ ବିବାଦର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ୩୦୬ ନମ୍ବର ଜାତୀୟ ରାଜପଥ ଉପରୁ ସେମାନେ ନିଜ ନିଜ ପୋଲିସ ଫୋର୍ସ ହଟାଇନେବେ । ସେଠାରେ ସିଆରପିଏଫ୍ ଯବାନ ମୁତୟନ ହେବେ । ଏବେ ସେଠାରେ ସିଆରପିଏଫ୍‌ର ୫ କମ୍ପାନୀ ଫୋର୍ସ ମୁତୟନ ହୋଇସାରିଥିବା ବେଳେ, ୨ କମ୍ପାନୀ ଷ୍ଟାଣ୍ଡ-ବାଏରେ ଅଛନ୍ତି । ଗତ ସୋମବାର ଆସାମ-ମିଜୋରାମ୍ ସୀମାରେ ଉଭୟ ରାଜ୍ୟର ପୋଲିସ ମଧ୍ୟରେ ସଂଘର୍ଷ ଘଟି ଆସାମର ୫ଜଣ ଯବାନ ସହିଦ ହେବା ସହ ଜଣେ ସାଧାରଣ ନାଗରିକର ମୃତ୍ୟୁ ହୋଇଥିଲା ।

୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ଉତ୍ତର ପୂର୍ବ କହିଲେ ଆସାମ ଓ ପ୍ରିନ୍ସଲି ଷ୍ଟେଟ୍ ମଣିପୁର ଏବଂ ତ୍ରିପୁରାଙ୍କୁ ବୁଝାଉଥିଲା । ତେବେ ଏହି ଅଞ୍ଚଳରେ ଭିନ୍ନ ଭିନ୍ନ ଜନଜାତି ଓ ସଂପ୍ରଦାୟ ବାସ କରୁଥିବାରୁ ନିଜ ପରିଚୟ ବଜାୟ ରଖିବା ଲାଗି ସେମାନଙ୍କ ମଧ୍ୟରେ ସଦାସର୍ବଦା ସଂଘର୍ଷ ଲାଗି ରହୁଥିଲା । ଯାହାକି ଉଗ୍ରବାଦ କାର୍ଯ୍ୟକଳାପକୁ ଜନ୍ମ ଦେଇଥିଲା । ତେବେ ୧୯୬୨ ଚୀନ୍ ସହ ଯୁଦ୍ଧ ବେଳେ ଉଗ୍ରବାଦ କାର୍ଯ୍ୟ କଳାପ ଚରମସୀମାରେ ପହଞ୍ଚିଥିଲା । ଯାହାଦ୍ୱାରା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା । ତେଣୁ ଏହି ଅଞ୍ଚଳ ବାସବାସ କରୁଥିବା ଲୋକଙ୍କ ରାଜନୈତିକ ଆଶାଆକାଂକ୍ଷା ପୂରଣ ଓ ସେମାନଙ୍କ ସଂସ୍କୃତି ଓ ପରିଚୟ ବଜାୟ ରଖିବା ଓ ଉତ୍ତର-ପୂର୍ବ ସହ ଦେଶର ଅନ୍ୟଭାଗର ସମ୍ବନ୍ଧକୁ ସୁଦୃଢ଼ କରିବା ଲାଗି ଜନଜାତି ଓ ସଂସ୍କୃତି ଆଧାରରେ ଏହି ଅଞ୍ଚଳରେ ନୂଆ ନୂଆ ରାଜ୍ୟର ଗଠନ କରାଯାଇଥିଲା ।