• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୃତ୍ୟୁର କିଛି ସମୟ ପୂର୍ବରୁ ପ୍ରବଳ ଝଗଡ଼ା । କେଉଁଥିପାଇଁ ସାଙ୍ଗ ସହ ଝଗଡ଼ା କରୁଥିଲେ ଅଞ୍ଜଳି ? କ’ଣ ଥିଲା କାରଣ ? ଦିଲ୍ଲୀର ସୁଲତାନପୁରୀର କଞ୍ଜୱାଲା ଘଟଣାର ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯାହା ଦିଲ୍ଲୀ ପୋଲିସ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହୋଇପାରେ । ଭିଡିଓରେ ଉଭୟ ମୃତ ଏବଂ ତାଙ୍କ ସାଙ୍ଗଙ୍କ ମଧ୍ୟରେ ଝଗଡ଼ା ହେଉଥିବା ଦେଖିବାକୁ ମିଳିଛି । ହୋଟେଲ ଭିତରେ ଝଗଡା ହେବାରୁ, ସେଠାରେ ଥିବା ଲୋକେ ମ୍ୟାନେଜର ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ହୋଟେଲ କର୍ମଚାରୀ ମୃତ ଏବଂ ତାଙ୍କ ସାଙ୍ଗଙ୍କୁ ହୋଟେଲରୁ ବାହାର କରିଦେଇଥିଲେ । ସ୍କୁଟିରେ ବସିବା ପୂର୍ବରୁ ଉଭୟଙ୍କ ହୋଟେଲ ବାହାରେ ମଧ୍ୟ ଝଗଡ଼ା କରିଥିଲେ ।

ଭିଡିଓରେ ଦେଖିବାକୁ ମିଳୁଛି, ଜାନୁଆରୀ ୧ ତାରିଖ ରାତି ପ୍ରାୟ ୨.୧୫ ସମୟରେ ଦୁଇ ସାଙ୍ଗ କୃଷ୍ଣ ବିହାର ଅଞ୍ଚଳରେ ଦୁଇ ସାଙ୍ଗ ସ୍କୁଟିରେ ଯାଉଛନ୍ତି । ଆଉ ତା’ର କିଛି ସମୟ ପରେ ସ୍କୁଟି ସହିତ ଅଭିଯୁକ୍ତଙ୍କ ବାଲେନୋ କାର ମୁହାଁମୁହିଁ ଧକ୍କା ହେଉଛି । ଆଉ ତା’ପରେ କାରରେ ଥିବା ଅଭିଯୁକ୍ତମାନେ ଅଞ୍ଜଳିଙ୍କୁ ଘୋଷାଡ଼ି ଘୋଷାଡ଼ି ୧୩ କି.ମି. ଯାଏ ନେଇ ଯାଇଥିଲେ । ଆଉ ଘୋଷାଡ଼ି ହୋଇ ଯୁବତୀଙ୍କ ଜୀବନ ଚାଲିଗଲା ।

ଅନ୍ୟପଟେ ଘଟଣାରେ ମୃତ ଯୁବତୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଯୁବତୀଙ୍କ ସହ କୌଣସି ପ୍ରକାର ଦୁଷ୍କର୍ମ ଘଟଣା ଘଟିନଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି । ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ କୌଣସି ପ୍ରକାର କ୍ଷତ ଚିହ୍ନ ନାହିଁ। ମହିଳାଙ୍କ ମୁଣ୍ଡ, ମେରୁଦଣ୍ଡ, ବାମ ଜଂଘ, ଦୁଇ ଗୋଡ଼ରେ ଆଘାତ ଲାଗିଛି । ଶରୀରରେ ଯାହା କିଛି ଆଘାତ ଲାଗିଛି ତାହା ଦୁର୍ଘଟଣାଜନିତ ।

ଅଧିକ ପଢ଼ନ୍ତୁ: ତୀବ୍ର ବେଗରେ ଗାଡ଼ି ଦଉଡ଼ାଉଥିଲେ ୫ ସୈତାନ : ପିଚୁ ରାସ୍ତାରେ ଘୋଷାଡ଼ି ହୋଇ.. 

ସେପଟେ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୋଲିସ କମିଶନରଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କମିଶନର ଶାଳିନୀ ସିଂହଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ କମିଟି ଗଠନ କରାଯାଇଛି, ଯେତେ ଶୀଘ୍ର ସମ୍ଭବ ଏହି ଘଟଣାରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କମିଟିକୁ କୁହାଯାଇଛି ।

ମୃତକ ଅଞ୍ଜଳିଙ୍କ ପରିବାର ଅମାନ ବିହାରର ବାସିନ୍ଦା । ଘରେ ମା, ଦୁଇ ଭାଇ ଏବଂ ଚାରି ଭଉଣୀ । ଦୁଇ ସାନ ଭାଇଙ୍କ ବୟସ ୯ ବର୍ଷ ଓ ୧୩ ବର୍ଷ । ବାପାଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଜଣେ ଭଉଣୀ ବିବାହିତ । ଅଞ୍ଜଳିଙ୍କ ମୃତ୍ୟୁ ପରେ ପରିବାର ଲୋକ ବର୍ତ୍ତମାନ ସ୍ଥାଣୁ ପାଲଟିଯାଇଛନ୍ତି । କେହି କିଛି କହିବା ଅବସ୍ଥାରେ ନାହାଁନ୍ତି । ପୋଲିସ ସୂଚନା ଅନୁସାରେ, ମୃତକଙ୍କ ମା କେବଳ ଡିସିପିଙ୍କ ସହ ଘଟଣା ସମ୍ପର୍କରେ କଥା ହୋଇଛନ୍ତି । ଏହି ହୃଦୟଥରା ଘଟଣା ପରେ ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ ଦିଲ୍ଲୀ ପୋଲିସ୍‌କୁ ସମନ କରିଛନ୍ତି।