• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୃଶଂସ, ବର୍ବର, ଭୟାନକ୍‌ । ରକ୍ତଭିଜା ଶରୀର ତଥା ଚମ ଉତୁରି ଯାଇଥିବା ଶରୀର ଦେଖି ଦେଖଣାହାରୀଙ୍କ ଛାତି ଥରି ଉଠିଛି । ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଦେଶ ଯେତେବେଳେ ଉତ୍ସବରେ ବୁଡି ରହିଥିଲା, ସେତେବେଳେ ରାଜଧାନୀ ଦିଲ୍ଲୀ ରାସ୍ତାରେ ଜଣେ ଝିଅ ଚେତାଶୂନ୍ୟ ହୋଇ ପଡ଼ି ରହିଥିଲା । ଶରୀରରେ କପଡ଼ା ଟିକିଏ ବି ନଥିଲା। କ୍ଷତବିକ୍ଷତ ଶରୀର, ରକ୍ତରେ ଭିଜିଯାଇଥିଲା ପୂରା ରାସ୍ତା । ଦେଶର ରାଜଧାନୀ ଦିଲ୍ଲୀ ରାସ୍ତାରେ ଜଣେ ଯୁବତୀକୁ ୫ ଜଣ ଯୁବକ ଗାଡ଼ିରେ ଘୋଷାଡ଼ି ନେଇ ହତ୍ୟା କରିଛନ୍ତି । ପୋଲିସ୍ ବର୍ତ୍ତମାନ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଦିଲ୍ଲୀ ସୁଲତାନପୁରର କଞ୍ଜବଲା ଅଞ୍ଚଳରେ ନୂତନ ବର୍ଷର ଜୋସରେ ହୋସ୍ ହରେଇଥିବା କାର ସବାରମାନେ ଜଣେ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ । ଧକ୍କା ଦେବା ପରେ ପ୍ରାୟ ଚାରି କିଲୋମିଟର ପର୍ଯ୍ୟନ୍ତ ଯୁବତୀ ଜଣକୁ କାର ସହିତ ଟାଣି ନେଇଥିଲେ । ଉତପାତିଆ ପିଲାଙ୍କ ଗାଡ଼ି ଚାଲୁଥାଏ, ଆଉ ସେମାନେ ନୀରିହ ଝିଅଟିକୁ ରାସ୍ତାରେ ଟାଣି ନେଉଥାଆନ୍ତି । ରାସ୍ତାରେ ଘଷି ହୋଇ ପ୍ରଥମେ ଝିଅର ପୋଷାକ ଚିରି ଯାଇଥିଲା, ପରେ ଶରୀରରୁ ଚର୍ମ ଓ ମାଂସ ବାହାରିବାରେ ଲାଗିଲା ।

ଘୋଷାଡ଼ି ହୋଇ ଜୀବନ ଚାଲିଗଲା 

ଦୁର୍ଘଟଣା ସମ୍ପର୍କରେ ଜାଣିବା ବେଳକୁ ଝିଅଟିର ସମ୍ପୂର୍ଣ୍ଣ ଶରୀର କ୍ଷତରେ ପରିପୂର୍ଣ୍ଣ ହୋଇଯାଇଥିଲା । ରାସ୍ତାରେ ଟାଣି ହେବା ଦ୍ୱାରା ପୂରା ଶରୀରରୁ ମାଂସ ଖଣ୍ଡ ଛିଣ୍ଡି ପଡ଼ିଥିଲା । ଆଉ ଘଷି ହୋଇ ହୋଇ ତାଙ୍କର ଜୀବନ ଚାଲିଯାଇଥିଲା । ଏଭଳି ଭୟଙ୍କର ମୃତ୍ୟୁ ସମ୍ପର୍କରେ ଶୁଣିଲେ ହୃଦୟ ଥରି ଉଠୁଛି, ଲୋମ ଟାଙ୍କୁରି ଉଠୁଛି ।

ସେପଟେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ହେଲେ ଦିଲ୍ଲୀ ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି । ଅନ୍ୟପଟେ ଘଟଣା ଉପରେ ପୁଲିସକୁ ରିପୋର୍ଟ ମାଗିଛନ୍ତି ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ ।

ଯୁବତୀଙ୍କୁ ଏପରି ଭୟଙ୍କର ଭାବରେ ହତ୍ୟା କରିଥିବା ପାଞ୍ଚ ଜଣ ଯୁବକ ଦିଲ୍ଲୀର ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ କେତେ ଜଣ ହେୟାର ଡ୍ରେସର ହୋଇଥିବା ବେଳେ ଆଉ କେତେ ଜଣ ରାସନ ଡିଲର । ପୋଲିସ କାରରେ ଥିବା ପାଞ୍ଚ ଜଣଙ୍କୁ ଧରିଛି ।  

ମୃତକଙ୍କ ଚାରି ଭଉଣୀ ଓ ଦୁଇ ଭାଇ

ମୃତକ ଯୁବତୀଙ୍କ ପରିବାର ଅମାନ ବିହାରର ବାସିନ୍ଦା । ଘରେ ମା ଏବଂ ଚାରି ଭଉଣୀ । ଦୁଇ ସାନ ଭାଇଙ୍କ ବୟସ ୯ ବର୍ଷ ଓ ୧୩ ବର୍ଷ । ବାପାଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଜଣେ ଭଉଣୀ ବିବାହିତ । ତେବେ ଯୁବତୀଙ୍କ ମୃତ୍ୟୁ ପରେ ପରିବାର ଲୋକ ବର୍ତ୍ତମାନ ସ୍ଥାଣୁ ପାଲଟିଯାଇଛନ୍ତି । କେହି କିଛି କହିବା ଅବସ୍ଥାରେ ନାହାଁନ୍ତି । ପୋଲିସର ସୂଚନା ଅନୁସାରେ, ମୃତକଙ୍କ ମା କେବଳ ଡିସିପିଙ୍କ ସହ ଏହି ଘଟଣା ସମ୍ପର୍କରେ କଥା ହୋଇଛନ୍ତି । ଏହି ହୃଦୟଥରା ଘଟଣା ପରେ ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ ଦିଲ୍ଲୀ ପୋଲିସ୍‌କୁ ସମନ କରିଛି ।