• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ବଡ଼ ଧରଣର ଅଗ୍ନିକାଣ୍ଡ। ଅକାଳରେ ଚାଲିଗଲା ୩୦ରୁ ଅଧିକ ଜୀବନ। ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଧ୍ୱସଂସ୍ତୁପ ପାଲଟିଗଲା ତିନି ମହଲା କୋଠା। ସମୟ ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ୪୦। କୁହାଯାଉଛି, କୋଠାର ତଳ ମହଲାରେ ଥିବା ସିସିଟିଭି ଓ ରାଉଟର ନିର୍ମାଣକାରୀ ସଂସ୍ଥା କାଯର୍ଯ୍ୟାଳୟରୁ ହିଁ ଲାଗିଥିଲା ନିଆଁ। ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା ୧୦ଟି ଦମକଳ ଟିମ୍। ହେଲେ ଘଣ୍ଟାର ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ନିଆଁ ନିୟନ୍ତ୍ରଣକୁ ଆସିନଥିଲା ବରଂ ତଳ ମହଲାରୁ ମଝି ଓ ପରେ ଉପର ମହାଲାକୁ ବ୍ୟାପିଯିବା ସହ ଭୟଙ୍କର ରୂପ ଧାରଣ କରିଥିଲା।

ତେବେ NDRF ଟିମ୍ ପହଞ୍ଚିବା ପରେ ରାତି ୧୦ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏପଟେ କୋଠାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମସତ୍ତ୍ୱେ ସମସ୍ତଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ନିଆଁରେ ପୋଡି ଓ ଧୂଆଁରେ ଅଣନିଶ୍ୱାସୀ ହୋଇ ଚାଲିଯାଇଛି ୩୦ରୁ ଅଧିକ ଜୀବନ।  

 

ଗତକାଲିର ଅଗ୍ନିକାଣ୍ଡ ପରେ ଆଜି ସାମ୍ନାକୁ ଆସିଛି କ୍ଷୟକ୍ଷତିର ଚିତ୍ର। କଂକ୍ରିଟ୍ ପିଲର ଓ ଛାତକୁ ଛାଡି ଦେଲେ ଆଉ କିଛି ନାହିଁ। ପାଉଁଶ ଗଦାରେ ପରିଣତ ହୋଇଛି କୋଟି କୋଟି ଟଙ୍କାର ସାମଗ୍ରୀ। ଘଟଣାରେ ଏବେବି ୨୦ରୁ ଅଧିକ ଲୋକ ନିଖୋଜ ଥିବାରୁ ସେମାନଙ୍କୁ ଠାବ ଲାଗି ଉଦ୍ୟମ ଚାଲିଛି। ଦୁର୍ଘଟଣାସ୍ଥଳରୁ ହସପିଟାଲ, ସଂପର୍କୀୟମାନେ ନିଜ ଲୋକକୁ ପାଇବା ଲାଗି ବିକଳରେ ଧାଁଦୌଡ କରୁଥିବା ଦେଖିବାକୁ ମିଳିଛି।

ମୃତାହତଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ସଞ୍ଜୟ ଗାନ୍ଧୀ ମେମୋରିଆ ହସ୍ପିଟାଲରେ୨୪ ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି। ଅନ୍ୟପକ୍ଷରେ ୧୨ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ମୁଣ୍ଡକା ମେଟ୍ରୋ ଷ୍ଟେସନ ଭଳି ବ୍ୟସ୍ତବହୁଳ ଅଞ୍ଚଳରେ ଏଭଳି ଅଗ୍ନିକାଣ୍ଡ ଦିଲ୍ଲୀ ମହାନଗରୀର ଅଗ୍ନିସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଅଘଟଣର ଶିକାର ବିଲଡିଂର ଫାୟାର ସେଫ୍ଟି ସାର୍ଟିଫିକେଟ୍ କି ଏନଓସି ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଘଟଣ ପରେ ଦିଲ୍ଲୀ ପୋଲିସ ଦୁଇ କଂପାନୀ ମାଲିକଙ୍କୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କ ଲାଗି ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।