• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏଥର ବିନା ବାଣରେ ରାଜଧାନୀରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବାଣ ବିକ୍ରୟ ତଥା ବ୍ୟବହାର ଉପରେ ଥିବା ପ୍ରତିବନ୍ଧକକୁ ବଳବତ୍ତର ରଖିଛନ୍ତି । ଜାନୁୟାରୀ ୧, ୨୦୨୩ ପର୍ଯ୍ୟନ୍ତ ସମୟସୀମାକୁ ବୃଦ୍ଧି କରାଯାଇଛି । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ ଏଥର ଅନଲାଇନ୍ ବାଣ ବିକ୍ରୟ ଏବଂ ବିତରଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ପ୍ରଦୂଷଣ ବିପଦ କାରଣରୁ ବାଣ ଫୁଟାଇବା ଉପରେ ବ୍ୟାନ୍‌ ନିଷ୍ପତ୍ତିକୁ ବଜାୟ ରଖାଯାଇଥିବା ମନ୍ତ୍ରୀ ଗୋପାଳ ରାୟ ସ୍ପଷ୍ଟ କରିଛନ୍ତି । ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏହା ଏକ ବଡ଼ ପ୍ରୟାସ ହେବ । ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ଏବଂ ସହଯୋଗ କରିବା ପାଇଁ ଦିଲ୍ଲୀ ପୋଲିସ ଉପରେ ଦାୟିତ୍ୱ ନ୍ୟସ୍ତ କରାଯିବ । ଯେଉଁମାନେ ନିୟମ ବିରୋଧରେ ଯାଇ ବାଣ ଫୁଟାଇ ପରିବେଶ ପ୍ରଦୂଷଣ କରିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥର ଅଫଲାଇନ ସହିତ ଅନଲାଇନ୍ ବାଣ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ।

ଗୋପାଳ ରାୟ ଟ୍ୱିଟ୍ କରି କହିଛନ୍ତି, ଗତ ବର୍ଷ ଭଳି ଦିଲ୍ଲୀର ଲୋକଙ୍କୁ ପ୍ରଦୂଷଣ ବିପଦରୁ ରକ୍ଷା କରିବା ପାଇଁ ଏଥର ମଧ୍ୟ ସମସ୍ତ ପ୍ରକାର ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ତଥା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି । ଫଳରେ ପ୍ରଦୂଷଣ ଜନିତ ରୋଗରୁ ଲୋକେ ରକ୍ଷା ପାଇପାରିବେ । ଏହି ପ୍ରତିବନ୍ଧକ ଜାନୁଆରୀ ୧, ୨୦୨୩ ପର୍ଯ୍ୟନ୍ତ ରହିବ । ଏହି ପ୍ରତିବନ୍ଧକକୁ କଡାକଡି ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଡିପିସିସି ଏବଂ ରାଜସ୍ୱ ବିଭାଗ ସହିତ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ।

ସୂଚନାଯୋଗ୍ୟ ପ୍ରତିବର୍ଷ ଶୀତ ଆରମ୍ଭ ହେବା ସହିତ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ହୋଇଯାଏ । ଦୀପାବଳି ପରେ ଲୋକେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଭୋଗନ୍ତି । ପ୍ରଦୂଷଣ ସ୍ତର ଏତେ ବଢ଼ିଯାଏ ଯେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼େ । ଗତ ବର୍ଷ ମଧ୍ୟ ବାଣ ବିକ୍ରୟ ଉପରେ ନିଷେଧାଦେଶ ରହିଥିଲା । ଏହି ନିୟମକୁ କଡାକଡି ଲାଗୁ କରିବା ସରକାରଙ୍କ ପାଇଁ ସର୍ବଦା ଏକ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି । ତେବେ ଦୀପାବଳିରେ ବାଣ ଫୁଟାକୁ ନେଇ ଅନେକ ରାଜନୀତି ମଧ୍ୟ ହୁଏ ।