• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାତ୍ରୀ ନନେଇ ପଳାଇଲା ବିମାନ । ରନୱେରେ ଯାତ୍ରୀମାନେ ବସରେ ସବାର ଥିବା ବେଳେ ୫୦ ଜଣ ଯାତ୍ରୀଙ୍କୁ ଛାଡ଼ି ବିମାନ ଉଡ଼ାଣ ଭରିଛି । ବେଙ୍ଗାଲୁରୁ ବିମାନ ବନ୍ଦରରେ ଗତକାଲି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ବିମାନ କମ୍ପାନୀ ଗୋ ଫାଷ୍ଟ ପକ୍ଷରୁ ଏଭଳି ଅବହେଳା କରାଯାଇଥିବା ନେଇ ଯାତ୍ରୀମାନେ ଟ୍ୱିଟ୍‌ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ବିମାନ G8 116 ଗତକାଲି ସକାଳ ପ୍ରାୟ ୬ଟା ୩୦ରେ ଉଡ଼ାଣ ଭରିବାର ଥିଲା । ଏଥିପାଇଁ ସକାଳ ୫ଟା ୩୫ରେ ବୋଡ଼ିଂ ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିଲା । ଯାତ୍ରୀଙ୍କୁ ବିମାନ ନିକଟକୁ ନେଇଯିବା ପାଇଁ ୪ଟି ବସର ବ୍ୟବସ୍ଥା ହୋଇଥିଲା । ଯାତ୍ରୀମାନେ ବିମାନକୁ ଯିବା ପାଇଁ ବସ୍‌ରେ ବସିଥିଲେ। କିନ୍ତୁ ୩ ନମ୍ବର ବସ୍‌ଟି ବାଟରେ ଅଟକି ଯାଇଥିଲା । ଆଉ ସେହି ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ସବାର ଥିଲେ । ବସ୍‌ରେ ଅଧିକ ଭିଡ଼ ହେବାରୁ ଡ୍ରାଇଭର ବସ୍‌ଟିକୁ ଅଟକାଇ ଦେଇଥିବା କୁହାଯାଉଛି । ଏହାରି ଭିତରେ ଠିକ୍‌ ସମୟରେ ବସଟି ବିମାନ ନିକଟରେ ନପହଞ୍ଚିବାରୁ ଫ୍ଲାଇଟ ପଳାଇଯାଇଥିଲା ।

ଅଧିକ ପଢ଼ନ୍ତୁ: ବିମାନରେ ବୋମା ଆତଙ୍କ ! ଜାମନଗରରେ ଏମରଜେନ୍ସି ଲ୍ୟାଣ୍ଡିଂ

ଫଳରେ ଯାତ୍ରୀମାନେ ବିମାନ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତିପାଇଁ ହଙ୍ଗାମା କରିଥିଲେ । ରହି ଯାଇଥିବା କିଛି ଯାତ୍ରୀ ଏ ସମ୍ପର୍କରେ ବେସାମରକି ବିମାନ ଚଳାଚଳ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ ଟ୍ୱିଟରରେ ଟ୍ୟାଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଯାତ୍ରୀଙ୍କ ପ୍ରତିକ୍ରିୟାରେ କମ୍ପାନୀ ପକ୍ଷରୁ ଜବାବ ରଖାଯାଇଛି। ଏହି ଗୁରୁତର ତ୍ରୁଟି ପାଇଁ ‘ଗୋ ଫାଷ୍ଟ’ ପକ୍ଷରୁ କ୍ଷମା ପ୍ରାର୍ଥନ କରାଯାଇଛି ।

ଏହି ଘଟଣା ପରେ ରହିଯାଇଥିବା ଯାତ୍ରୀମାନଙ୍କୁ ଦିନ ୧୦ଟାରେ ଅନ୍ୟ ଏକ ବିମାନରେ ଯାତ୍ରା ପାଇଁ ଅଫର ଦିଆଯାଇଥିଲା । କିନ୍ତୁ ଏହାକୁ ନେଇ ଅନେକ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ବହୁ ଯାତ୍ରୀ ନିଜ ଗନ୍ତବ୍ୟସ୍ତଳରେ ଉଚିତ୍ ସମୟରେ ପହଞ୍ଚି ପାରି ନଥିବାରୁ ବିରକ୍ତି ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଡିଜିସିଏ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।