Delhi Assembly Election: ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ୍; ତାରିଖ ଘୋଷଣା ପରେ ରାଜଧାନୀ ରାଜନୀତି ସରଗରମ...

ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ। ଦେଶ ରାଜଧାନୀର ସମସ୍ତ ୭୦ ବିଧାନସଭା ଆସନରେ ଗୋଟିଏ ଦିନରେ ହେବ ମତଦାନ। ଆଜି ପ୍ରେସମିଟ୍ କରି ପୂରା କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

Delhi Assembly Election

ଘୋଷଣା ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଫେବ୍ରୁଆରୀ ୫ ତାରିଖ, ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡ଼ିବ।  ୮ ତାରିଖରେ ଆସିବ ରେଜଲ୍ଟ। ଇସିଆଇ ଆଜି ତାରିଖ ଘୋଷଣା କରିବା ପରେ ସରଗରମ ହୋଇଛି ଦେଶ ରାଜଧାନୀର ରାଜନୀତି। ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ଭିତରେ ଏଥର ହେଉଛି ତ୍ରିମୁଖୀ ଲଢେଇ।

ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ। ଦେଶ ରାଜଧାନୀର ସମସ୍ତ ୭୦ ବିଧାନସଭା ଆସନରେ ଗୋଟିଏ ଦିନରେ ହେବ ମତଦାନ। ଆଜି ପ୍ରେସମିଟ୍ କରି ପୂରା କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଆସନ୍ତା ଶୁକ୍ରବାର ଅର୍ଥାତ୍ ଜାନୁଆରୀ ୧୦ରେ ପ୍ରକାଶ ପାଇବ ଦିଲ୍ଲୀ ଇଲେକ୍ସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି। ଜାନୁଆରୀ ୧୭ ନାମାଙ୍କନ ଦାଖଲର ଶେଷ ତାରିଖ। ପରଦିନ ସ୍କ୍ରୁଟିନି ଓ ଜାନୁଆରୀ ୨୦ ରହିଛି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ। ଫେବ୍ରୁଆରୀ ୫ରେ ଭୋଟ ଗ୍ରହଣ ପରେ ଫେବ୍ରୁଆରୀ ୮ ଶନିବାର ଦିନ ହେବ ଭୋଟ୍ ଗଣତି।

ଅଧିକ ପଢ଼ନ୍ତୁ: ଫେବୃୟାରୀ ୫ରେ ଦିଲ୍ଲୀ ନିର୍ବାଚନ, ଗଣତି ୮ରେ

ଏଣେ ଇସିଆଇ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବଜାଇବା ପରେ ସରଗରମ ହୋଇଛି ରାଜଧାନୀ ରାଜନୀତି। କ୍ଷମତା ଦଖଲ ପାଇଁ ଏଥର ତିନି ପ୍ରମୁଖ ଦଳ ଆପ୍- ବିଜେପି ଓ କଂଗ୍ରେସ ପରସ୍ପରକୁ ଟକ୍କର ଦେବେ। ଗତ ଦୁଇଟି ନିର୍ବାଚନରେ ବହୁମତ ସହ ଶାସନ ଡୋରି ହାତରେ ରଖିଥିବା ଆମ ଆଦମୀ ପାର୍ଟି ପାଇଁ କିନ୍ତୁ ଏଥର କ୍ଷମତାକୁ ଫେରିବା ଏତେଟା ସହଜ ହୋଇନପାରେ। କାରଣ ରାଜ୍ୟରେ ମଦ ଦୁର୍ନୀତିଠୁ ଧରି ଅନ୍ୟ ଘୋଟାଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କଠୁ ନେଇ ଅନେକ ମନ୍ତ୍ରୀ ଜେଲ୍ ଯାଇଛନ୍ତି। ତାସହ ବିଷାକ୍ତ ବାୟୁ ଓ ଜଳ ପ୍ରଦୂଷଣ ଭଳି ସମସ୍ୟାରୁ ଲୋକଙ୍କୁ ମୁକ୍ତି ଦେବା ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି। ବସ୍ତି ବାସିନ୍ଦାଙ୍କୁ ସାଧାରଣ ମୌଳିକ ସୁବିଧା ବି ପହଞ୍ଚାଇ ପାରିନି ଆପ୍ ସରକାର। ଏଭଳି ସ୍ଥିତିରେ ସରକାର ବିରୋଧୀ ହାୱାରୁ ଫାଇଦା ଉଠାଇବା ଚକ୍କରରେ ରହିଛି ବିଜେପି। ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା କହିଛନ୍ତି- ପ୍ରଥମେ ୧୫ ବର୍ଷ କଂଗ୍ରେସ ଓ ତା ପରେ ୧୦ବର୍ଷ ଆପଦା ଥୋପି ଥିବା ସରକାରକୁ କ୍ଷମତାରୁ ହଟାଇ ଏଥର ଭାରତୀୟ ଜନତା ପାର୍ଟିକୁ ଶାସନ ଡୋର ଦେବାକୁ ଦିଲ୍ଲୀବାସୀ ମନ ସ୍ଥିର କରି ସାରିଛନ୍ତି। ତେଣେ କଂଗ୍ରେସ କହିଛି- ଅପରାଧ, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାରେ ଛଟପଟ ଦିଲ୍ଲୀବାସୀଙ୍କୁ କେବଳ ଆମ ଦଳ ହିଁ ମୁକ୍ତି ଦେଇପାରିବ। ଆପ୍‌ର ଦମ୍ଭୋକ୍ତି ଗତ ୧୦ବର୍ଷ ଧରି ଯେଉଁ ଦିଲ୍ଲୀ ସରକାରଙ୍କ ମଡେଲ ବିଶ୍ବବ୍ୟାପୀ ଚର୍ଚ୍ଚା ହେଉଛି, ଏଥର ଜନତା ପୁଣି ଆପ୍‌କୁ ଆଶୀର୍ବାଦ କରିବେ।

ଏଥର ୧ କୋଟି ୫୫ ଲକ୍ଷ ମତଦାତା ଦିଲ୍ଲୀ ସରକାର ବାଛିବେ। ଯାହାଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୭୧ ଲକ୍ଷ ୭୩ ହଜାର ୯୫୨। ସେହିପରି ନୂଆ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୮ ହଜାର। ମୋଟ୍ ୧୩ ହଜାର ୩୩ଟି ପୋଲିଂ ଷ୍ଟେସନରେ ଭୋଟ୍ ଗ୍ରହଣ ହେବ ଓ ସବୁଠି ଓ୍ୱେବକାଷ୍ଟିଂ ହେବ।

ଅଧିକ ପଢ଼ନ୍ତୁ: Tibet Earthquake: ସକାଳୁ ସକାଳୁ ଥରିଲା ତିବ୍ଦତ, ଭୂକମ୍ପରେ ଏଯାଏଁ ଗଲାଣି ୫୩ ଜୀବନ