• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବର୍ତ୍ତମାନର ଅଧୁନିକ ଯୁଗରେ ବିଜ୍ଞାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନ ହିଁ ଆମକୁ ଆଗକୁ ବଢ଼ିବାର ରାହା ଦେଖାଉଛି । ଜୀବନକୁ ଅତି ସରଳ ଓ ସହଜ କରୁଛି ବିଜ୍ଞାନ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବିଜ୍ଞାନ ଏବେ ବେଶ ଆଗରେ । ସେମିତି ଏକ ଉଦାହରଣ ଯାହା ଆମ ସାମ୍ନାକୁ ଆସିଛି । ଆଜି ଚିକିତ୍ସା କ୍ଷେତ୍ରରେ ବିଜ୍ଞାନ ଦ୍ୱାରା ସମ୍ଭବ ହୋଇଛି ଏକ ଅସମ୍ଭବ ଘଟଣା । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଚିକିତ୍ସା କ୍ଷେତ୍ରରେ ଏହାକୁ ଏକ ମାଇଲ ଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମିତି ଘଟଣା ଯିଏ ବି ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ।

ତେବେ ଏହି ଘଟଣା ଦିଲ୍ଲୀ ଏମ୍‌ସରୁ ସାମ୍ନାକୁ ଆସିଛି । ଦିଲ୍ଲୀ ଏମ୍‌ସ ସବୁବେଳେ ବିରଳ ଅସ୍ତ୍ରୋପଚାର ପାଇଁ ଚର୍ଚ୍ଚାରେ ରହିଥାଏ । ଜଟିଳ ସ୍ଥିତିରେ ବି ଦିଲ୍ଲୀ ଏମ୍‌ସ ହାର ମାନି ନଥାଏ । ଆଜି ଆମେ ଆପଣଙ୍କୁ ଯେଉଁ କଥା କହୁଛୁ ତାହା ହେଲା, ଦିଲ୍ଲୀ ଏମ୍‌ସରେ ଜଣେ ମହିଳାଙ୍କ ପେଟରେ ଥିବା ଶିଶୁର କରାଯାଇଛି ଅସ୍ତ୍ରୋପଚାର । 

ଆମେ ସାଧାରଣତଃ ଜାଣିଛନ୍ତି ବା ଶୁଣିଛନ୍ତି ଛୁଆ ଜନ୍ମ ହେବା ପରେ ତାର ହାର୍ଟ ସର୍ଜରୀ କରାଯାଏ । କିନ୍ତୁ ଏଠି ମାଆର ଗର୍ଭରେ ଥିବା ବେଳେ ଛୁଆର କରାଯାଇଛି ହାର୍ଟ ସର୍ଜରୀ । ଆପଣ ଥରେ ଅନୁମାନ କରନ୍ତୁ ମାଆର ପେଟରେ ଥିବା ଛୁଆର ଆକାର କେତେ ହୋଇଥିବ । ଆଉ ସେହି ଅନୁସାରେ ଛୁଆର କୁନି ଛାତିରେ ଥିବା ହାର୍ଟ କେତେ ବଡ଼ ହୋଇଥିବ । ଆଉ ସେହି କୁନି ହାର୍ଟରେ ଡାକ୍ତର କରିଛନ୍ତି ସର୍ଜରୀ ।

ଜଣେ ୨୮ ବର୍ଷିୟ ମହିଳାଙ୍କ କ୍ଷେତ୍ରରେ ଏଭଳି ଘଟିଛି । ତିନି ଥର ଗର୍ଭ ନଷ୍ଟ ହେବା ପରେ ଚତୁର୍ଥ ଥର ବେଳକୁ ଡାକ୍ତର ପେଟରେ ଥିବା ଛୁଆର ଅପରେସନ୍‌ କରିବାକୁ କହିଥିଲେ । କାରଣ ଛୁଆର ହାର୍ଟରେ ସମସ୍ୟା ଥିଲା । ଛୁଆକୁ ସୁସ୍ଥ ରଖିବା ପାଇଁ ଏହି ଅପରେସନ ଜରୁରୀ ଥିଲା ବୋଲି ଡାକ୍ତର କହିଥିଲେ । ଏହି ଅପରେସନ୍‌ ପରେ ଉଭୟ ମାଆ ଏବଂ ଛୁଆ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ଏହି ଅପରେସନ୍‌ ଖୁବ୍‌ ବିପଦପୂର୍ଣ୍ଣ ରହିଥିଲା । କାରଣ ମାଆର ଗର୍ଭ ଭିତରକୁ ଛୁଞ୍ଚି ଯାଇ ଛୁଆର ହାର୍ଟ ସର୍ଜରୀ କରିବାକୁ ଥିଲା । ଏଥିରେ ଛୁଆର ଜୀବନ ପ୍ରତି ବିପଦ ମଧ୍ୟ ରହିଥିଲା ବୋଲି କୁହାଯାଇଛି । ତେବେ ଛୁଆର ଅବସ୍ଥା ଏବେ ଭଲ ଥିବା ଡାକ୍ତରମାନେ କହିଛନ୍ତି।