• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

‘ଆମ ପୋଷା କୁକୁର ହଜିଯାଇଛି, ଯିଏ ଖୋଜି ଆଣିବ ଆମେ ତାଙ୍କୁ ୫୦ ହଜାର ଟଙ୍କା ଦେବୁ’ ସୋସିଆଲ ମିଡିଆରେ ଭିଡିଓ କରି ଏମିତି ସାହାଯ୍ୟ ମାଗିଛନ୍ତି ଦିଲ୍ଲୀର ଏକ ଦମ୍ପତି । ଦିଲ୍ଲୀର ଏକ ଦମ୍ପତି ତାଙ୍କର ନିଖୋଜ କୁକୁରକୁ ଖୋଜି ଦେବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ଦିଲ୍ଲୀର ଦିପାୟନ ଘୋଷ ଓ କସ୍ତୁରୀ ପାତ୍ର ନାମକ ଦମ୍ପତି ବୁଲିବା ପାଇଁ ଆଗ୍ରା ଯାଇଥିଲେ । ସେଠାରେ ଏକ ବଡ଼ ଓ ମହଙ୍ଗା ହୋଟେଲରେ ରହିଥିଲେ । ସେମାନଙ୍କ ସହ ତାଙ୍କର ଦୁଇଟି ପୋଷା କୁକୁର ମଧ୍ୟ ଆଗ୍ରା ଯାଇଥିଲେ । ତେବେ ଏହି ସମୟରେ ଉକ୍ତ ଦମ୍ପତିଙ୍କ ଗୋଟିଏ କୁକୁର ନିଖୋଜ ହୋଇଯାଇଥିଲା । ଯେତେବେଳେ ଏହି ଦମ୍ପତି ଏହି ବିଷୟରେ ସୂଚନା ପାଇଲେ, ସେମାନେ ଚିନ୍ତିତ ହୋଇ କୁକୁର ଖୋଜିବା ଆରମ୍ଭ କରିଥିଲେ । ଯେତେବେଳେ ସେ କୁକୁରକୁ କୌଣସି ସ୍ଥାନରେ ପାଇଲେ ନାହିଁ, ସେତେବେଳେ ସେମାନେ ସାହାଯ୍ୟ ପାଇଁ ସୋସିଆଲ ମିଡିଆରେ ନିବେଦନ କରିଥିଲେ ଏବଂ କୁକୁରକୁ ଖୋଜି ଆଣିବା ବ୍ୟକ୍ତିଙ୍କୁ ୨୦ ହଜାର ପୁରସ୍କାର ଦେବା ପାଇଁ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ଉକ୍ତ ଦମ୍ପତି ଏହି ପୁରସ୍କାର ରାଶି ୫୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଦିପାୟନ ଘୋଷ ଏବଂ କସ୍ତୁରୀ ପାତ୍ର ସେମାନଙ୍କର ପୋଷା କୁକୁର ଖୋଜିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ଏମିତିକି ପୁରସ୍କାର ରାଶି ୨୦ ହଜାରରୁ ବୃଦ୍ଧି କରି ୫୦ ହଜାର କରିଛନ୍ତି । ଦୁହେଁ ଅଭିଯୋଗ କରିଛନ୍ତି ଯେ ସେମାନେ ଏକ ପ୍ରତିଷ୍ଠିତ ହୋଟେଲର ଜଣେ ଷ୍ଟାଫ୍‌ଙ୍କୁ ଟଙ୍କା ଦେଇ କୁକୁର ଯତ୍ନ ନେବାକୁ କହି ଫତେପୁର ସିକ୍ରିକୁ ବୁଲିବାକୁ ଯାଇଥିଲେ । ତେବେ ଏହି ସମୟରେ ହିଁ ତାଙ୍କ କୁକୁର ନିଖୋଜ ହୋଇଯାଇଥିବା ଉକ୍ତ ଦମ୍ପତି ଅଭିଯୋଗ କରିଛନ୍ତି ।

ପୋଲିସ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ଏହି ଦମ୍ପତି ୩୦ କିଲୋମିଟର ପର୍ଯ୍ୟନ୍ତ ସିସିଟିଭି ଭିଡିଓ ଦେଖିବା ପାଇଁ ଅତିକମରେ ୩୦ ଜଣଙ୍କୁ ନିୟୋଜିତ କରିଛନ୍ତି । ଅନୁସନ୍ଧାନ ବେଳେ ଏହି କୁକୁରକୁ ତାଜ୍‌ ମେଟ୍ରୋ ଷ୍ଟେସନ ନିକଟରେ ଦେଖିବାକୁ ମିଳିଥିଲା, ଯାହା ପରେ ଏହା ନିଖୋଜ ହୋଇଯାଇଛି । ଏହି କୁକୁର ଖୋଜି ଆଣିଲେ ଉକ୍ତ ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କା ଦେବାକୁ ଦମ୍ପତି ଘୋଷଣା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ପର୍ଯ୍ୟଟକ ଦମ୍ପତି ଭିଡିଓ ଭାଇରାଲ କରି ହୋଟେଲ ଉପରେ ପ୍ରଶ୍ନ ଉଠାଇଛନ୍ତି । ହୋଟେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ମାମଲା ରୁଜୁ ମଧ୍ୟ କରିଛନ୍ତି । ପେଟ୍‌ ଫ୍ରେଣ୍ଡଲୀ ହୋଟେଲ ହୋଇଥିଲେ ମଧ୍ୟ ତାଙ୍କ କୁକୁର ନିଖୋଜ ହୋଇଯାଇଥିଲା। ଏହି ଦମ୍ପତି ଅଭିଯୋଗ କରିଛନ୍ତି ଯେ ସେମାନଙ୍କର କୁକୁରର ଯତ୍ନ ନିଆଯାଇନଥିଲା ଏବଂ ଯାହାଫଳରେ କୁକୁରଟି ବାହାରକୁ ପଳାଇଥିଲା । ଏମିତି କି ସେମାନେ କୁକୁର ଯତ୍ନ ନେବାକୁ ହୋଟେଲ କର୍ମଚାରୀଙ୍କୁ ଟଙ୍କା ମଧ୍ୟ ଦେଇଥିଲେ ।

ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍‌ କରି ଦମ୍ପତି କହିଥିଲେ ଯେ ଆମେ କୁକୁରକୁ ଖୋଜିବା ପାଇଁ ବହୁତ ଚେଷ୍ଟା କରୁଛୁ । ନିଖୋଜ ହୋଇଯାଇଥିବା କୁକୁର କାହାକୁ କାମୁଡ଼େ ନାହିଁ । ତାକୁ ଡାକିଲେ ସେ ପାଖକୁ ଚାଲି ଆସେ । ଖବର ଅନୁଯାୟୀ, ନଭେମ୍ବର ୩ରେ ଆଗ୍ରାରୁ ଏହି କୁକୁରଟି ନିଖୋଜ ହୋଇଯାଇଛି ଏବଂ ଏପର୍ଯ୍ୟନ୍ତ ଏହାର କୌଣସି ଖୋଜ୍‌ ଖବର ମିଳିନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now