• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ଶେଷକୃତ୍ୟ ସମ୍ପନ୍ନ । ଜେନେରାଲ ବିପିନ ରାୱତଙ୍କ ସହ ପତ୍ନୀ ମଧୁଲିକାଙ୍କ ଶେଷକୃତ୍ୟ । ଗୋଟିଲ ଜୁଇରେ ଜଳିଲେ ଶ୍ରୀ ରାୱତ ଏବଂ ତାଙ୍କ ପତ୍ନୀ । ନୂଆଦିଲ୍ଲୀ ବ୍ରାର୍ ସ୍କୋୟାରଠାରେ ସଂପନ୍ନ ହେଲା ଶେଷକୃତ୍ୟ । ପିତା, ମାତାଙ୍କୁ ମୁଖାଗ୍ନି ଦେଲେ ୨ ଝିଅ କ୍ରିତିକା ଓ ତାରିଣୀ । ଶେଷ ସମ୍ମାନ ସ୍ୱରୂପ ଦିଆଗଲା ୧୭ ତୋପ ସଲାମୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ବହୁ ମାନ୍ୟଗଣ୍ୟ ସେଠାରେ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଅନ୍ତିମଯାତ୍ରାରେ ସାମିଲ ହୋଇ ଶେଷ ସମ୍ମାନ ଜଣାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂହ । ଖାଲି ସେତିକି ନୁହେଁ ଶେଷକୃତ୍ୟ ସମୟରେ ବହୁ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଦେଶ ବିଦେଶର ବହୁ ରାଷ୍ଟ୍ରଦୂତ, ସେନାଧ୍ୟକ୍ଷ ମଧ୍ୟ ଶେଷ ସମ୍ମାନ ଜଣାଇଛନ୍ତି ।

ଗତକାଲି ସଂଧ୍ୟାରେ ତାମିଲନାଡୁରୁ ଦିଲ୍ଲୀରେ ପହଂଚିଥିଲା ଜେନେରାଲ ବିପିନ ରାଓ୍ୱତଙ୍କ ମର ଶରୀର । ଜେନେରାଲ ବିପିନ ରାୱତଙ୍କ ସହ ଚପର ଦୁର୍ଘଟଣାରେ ମୃତ ଅନ୍ୟ ସମସ୍ତଙ୍କ ପାର୍ଥୀବ ଶରୀର ବି ଦିଲ୍ଲୀ ଅଣାଯାଇଥିଲା । ପାଲମ ଏୟାର ବେସରେ ସମସ୍ତଙ୍କ ମରଶରୀର ପହଞ୍ଚିଥିଲା ।ଏହାପରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା ।

ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ତିନି ସେନା ମୁଖ୍ୟ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଜେନରାଲ ରାଓ୍ୱତଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଣେ ଭୟଙ୍କର ଦୁର୍ଘଟଣାରୁ ଏକମାତ୍ର ଜୀବିତ ଥିବା ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି ତାମିଲନାଡୁର ୱେଲିଂଟନ ସ୍ଥିତ ସେନା ହସ୍ପିଟାଲରୁ ବେଙ୍ଗଳୁରୁ ସ୍ଥାନ୍ତାନ୍ତର କରାଯାଇଛି ।

ସେପଟେ ସହିଦ ଯବାନ ମାନଙ୍କର ଆଜି ଶେଷକୃତ୍ୟ ହେବାକୁ ଥିବାବେଳେ ସହିଦଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯବାନ । ଓଡ଼ିଆ ଯବାନଙ୍କ ନାଁ ରାଣା ପ୍ରତାପ ଦାସ । ତାଙ୍କ ଘର ଅନୁଗୁଳ ଜିଲ୍ଲା କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁରେ । ଶ୍ରୀବତ୍ସ ଦାସ ଏବଂ ସୁଷମାଙ୍କ ପୁଅ ରାଣା ପ୍ରତାପ ଇଣ୍ଡିଆନ ଏୟାର ଫୋର୍ସରେ ଜୁନିଅର ଓ୍ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ୨୦୦୫ରେ ବାୟୁସେନାରେ ଯୋଗଦେଇଥିଲେ ରାଣା ।

ରାଣାଙ୍କ ଡାକ୍ତର ପତ୍ନୀ ଶିବାଙ୍ଗୀ ଜଣେ ଡେଣ୍ଟିଷ୍ଟ । ସେ ଏବେ ବିହାରରେ କାର୍ଯ୍ୟରତ । ତେବେ ରାଣା ଘରର ସାନ ପୁଅ ହୋଇଥିବା ବେଳେ ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି । ରାଣା ପ୍ରତାପ ସହିଦ ହେବା ପରେ ପରିବାର ବର୍ଗ ମ୍ରିୟମାଣ ହୋଇପଡିଛନ୍ତି, ସମସ୍ତେ ବୀର ଯବାନଙ୍କୁ ମନେ ପକାଉଛନ୍ତି ।