North India
ଉତ୍ତର ଭାରତରେ ତାଣ୍ଡବ ରଚିଛି ପ୍ରକୃତି। ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ଲୀଳା। ପ୍ରବଳ ବର୍ଷାରେ ଦୁଇ ରାଜ୍ୟରେ ବେହାଲ ହୋଇଛି ସ୍ଥିତି। ଉଭୟ ରାଜ୍ୟରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆସନ୍ତା ୩ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି।
ହିମାଚଳରେ ବାଦଲ ଫଟା ବର୍ଷା ଏବଂ ଭୁସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। କେଉଁଠି ପାହାଡ ଧସି ରାସ୍ତା ବନ୍ଦ ହୋଇଛି ତ କେଉଁଠି ପାହାଡ ଘର ଉପରେ ଧସି ଯାଇଛି ଆଉ ବଡ ବଡ ଗାଡି ସବୁ ପଥର ମାଡରେ ଚୁନା ହୋଇ ଯାଇଛି। ବାଦଲ ଫଟା ବର୍ଷା ପରେ ମଣ୍ଡିରେ ୪ଟି ସ୍ଥାନରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ: ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ, ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ
ବର୍ଷାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମଣ୍ଡି ଜିଲ୍ଲା। ମଣ୍ଡିରେ ବାଦଲଫଟା ବର୍ଷା ପରେ ୯ ଜଣ ନିଖୋଜ ଅଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନେକ ଅଞ୍ଚଳରେ ବର୍ଷା ଓ ବନ୍ୟାରେ ଘରଦ୍ବାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ପାଣିପାଗ ବିଭାଗର ସୂଚନା ମାନିବା ସହ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପ୍ରଶାସନ ପରାମର୍ଶ ଦେଇଛି। ମଣ୍ଡିରେ ଅନେକ ସ୍ଥାନରେ ଭୂସ୍ଖଳନ ପରେ ରାସ୍ତା ବନ୍ଦ ହେବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କିଛି କିଛି ସ୍ଥାନରେ ରାସ୍ତା ଖୋଲିବା ପରେ ଧୀରେ ଧୀରେ ଗାଡ଼ି ଚଳାଚଳ ସ୍ବାଭାବିକ ହେଉଛି।
ସେହିପରି ହାମିରପୁର ଅଞ୍ଚଳରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ଉପୁଜିଛି। ବର୍ଷା ପରେ ରାସ୍ତାରେ ଏତେ ମାତ୍ରାରେ ପାଣିର ସୁଅରେ ଅନେକ ଲୋକ ଫସି ରହିଥିଲେ। ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ରଶି ସାହାଯ୍ୟରେ ଉଦ୍ଧାର କରିଛନ୍ତି। ଶିମଲାରେ ମଧ୍ୟ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଘଟି ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଭୂସ୍ଖଳନ ଯୋଗୁଁ ଅନେକ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ବିଭିନ୍ନ ଅଞ୍ଚଳରେ ପର୍ଯ୍ୟଟକମାନେ ରାସ୍ତାରେ ଫସି ରହିଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଅଲକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ନଦୀ ତଟବର୍ତ୍ତୀ ଅଞ୍ଚଳରେ ମନ୍ଦିର ଗୁଡିକ ବୁଡିଗଲାଣି। ରୁଦ୍ରପ୍ରୟାଗରେ ଥିବା ଶିବଙ୍କ ମୂର୍ତ୍ତି ମଧ୍ୟ ପାଣିରେ ବୁଡିଯାଇଥିବା ଦେଖିବାକୁ ମିଳିଛି। ଉତ୍ତରକାଶୀରେ ପ୍ରବଳ ବର୍ଷାରେ ୟମୁନୋତ୍ରୀ ଜାତୀୟ ରାଜପଥ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ ପଡ଼ିଥିଲା। ଏହା ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751423796.jpg)