• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଏପ୍ରିଲ ୧୯ରେ ବ୍ରହ୍ମୋସ୍‌ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍ ଫିଲିପାଇନ୍ସକୁ ହସ୍ତାନ୍ତର କରିଛି ଭାରତ । ଫିଲିପାଇନ୍ସ ହେଉଛି ପ୍ରଥମ ବିଦେଶୀ ଦେଶ ଯାହାକୁ ଭାରତ ହସ୍ତାନ୍ତର କରିଛି ବ୍ରହ୍ମୋସ୍‌ ମିସାଇଲ। ଜାନୁଆରୀ ୨୦୨୨ରେ ଫିଲିପାଇନ୍ସକୁ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଦେବା ପାଇଁ ଭାରତ ୩୭୫ ନିୟୁତ ଡଲାର (୩୧୩୦ କୋଟି ଟଙ୍କା) ଚୁକ୍ତି କରିଥିଲା।

ଭାରତୀୟ ବାୟୁସେନା C-17 ଗ୍ଲୋବ୍‌ ମାଷ୍ଟର ବିମାନ ମାଧ୍ୟମରେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଫିଲିପାଇନ୍ସ ମେରାଇନ୍ କର୍ପସକୁ ହସ୍ତାନ୍ତର କରିଛି। ଏହି କ୍ଷେପଣାସ୍ତ୍ରଗୁଡିକର ଗତି ୨.୮ ମ୍ୟାକ୍‌ ଏବଂ ରେଞ୍ଜ ହେଉଛି ୨୯୦ କିଲୋମିଟର । ଗୋଟିଏ ମ୍ୟାକ୍‌ ଧ୍ୱନିର ଗତି ହେଉଛି ୩୩୨ ମିଟର ପ୍ରତି ସେକେଣ୍ଡ । ଫିଲିପାଇନ୍ସକୁ ଦିଆଯାଇଥିବା କ୍ଷେପଣାସ୍ତ୍ରର ଗତି ଶବ୍ଦର ବେଗଠାରୁ ୨.୮ ଗୁଣ ଅଧିକ ।

ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ ଓ ଫିଲିପାଇନ୍ସ ମଧ୍ୟରେ ତିକ୍ତତା ବଢ଼ୁଥିବା ବେଳେ ଫିଲିପାଇନ୍ସକୁ ଏହି ମିସାଇଲ ହସ୍ତାନ୍ତର କରିଛି ଭାରତ । ଚୀନ୍‌ର ବିପଦକୁ ମୁକାବିଲା କରିବା ପାଇଁ ଫିଲିପାଇନ୍ସ ଉପକୂଳବର୍ତ୍ତୀ ଅଞ୍ଚଳରେ (ଦକ୍ଷିଣ ଚୀନ୍ ସାଗର) ୩ଟି ବ୍ରାହ୍ମୋସ୍ କ୍ଷେପଣାସ୍ତ୍ର ନିୟୋଜିତ କରିବ ।

ବ୍ରହ୍ମୋସର ପ୍ରତ୍ୟେକ ସିଷ୍ଟମରେ ଦୁଇଟି ମିସାଇଲ୍ ଲଞ୍ଚର୍, ରାଡାର୍ ଏବଂ ଏକ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ଅଛି । ଏହା ବ୍ୟତୀତ ଭାରତ ଫିଲିପାଇନ୍ସକୁ ମଧ୍ୟ କ୍ଷେପଣାସ୍ତ୍ର ଚଳାଇବାରେ ତାଲିମ ଦେବ ।

ନିକଟରେ ଦକ୍ଷିଣ ଚୀନ୍ ସାଗରରେ ଫିଲିପାଇନ୍ସ ଓ ଚୀନ୍ ମଧ୍ୟରେ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଆଉ ଏବେ ଫିଲିପାଇନ୍ସକୁ ବ୍ରାହ୍ମୋସ୍ କ୍ଷେପଣାସ୍ତ୍ର ମିଳିବା ଫଳରେ ସମୁଦ୍ରରେ ତା’ର ଶକ୍ତି ବୃଦ୍ଧି ପାଇବା ସହ ଚୀନ୍‌ର ପ୍ରଭାବକୁ ମଧ୍ୟ ରୋକିବାରେ ସଫଳ ହେବ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫିଲିପାଇନ୍ସ ସହିତ ହୋଇଥିବା ଏହି ଚୁକ୍ତି ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ରପ୍ତାନିକାରୀ ତଥା ଆତ୍ମନିର୍ଭରଶୀଳ ଭାରତକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ। ଏହି ଚୁକ୍ତି ସାମରିକ ଶିଳ୍ପର ମନୋବଳ ବଢ଼ାଇବ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଭାରତ ଏକ ନିର୍ଭରଯୋଗ୍ୟ ରପ୍ତାନିକାରୀ ଦେଶ ଭାବରେ ଉଭା ହେବ । ଏଥିସହ ଏହି ଚୁକ୍ତି ଭାରତ-ଫିଲିପାଇନ୍ସ ସମ୍ପର୍କକୁ ମଜବୁତ କରିବ।