ନକ୍ସଲ ଦମନ, ସଫଳତାର ସେଲିବ୍ରେସନ୍
ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ତିଆରି କରୁଥିଲେ ବିକାଶ ବିରୋଧୀ ରଣନୀତି । ଅସ୍ତ୍ରଶସ୍ତ୍ର ଧରି ଗରିଲା ଯୁଦ୍ଧ ଲଢ଼ିବା ସହ ସାମରିକ କୌଶଳ ଆପଣାଇ ଭଙ୍ଗ କରୁଥିଲେ ଶାନ୍ତି । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଶବ ପାଲଟିଗଲେ ୨୭ ମାଓବାଦୀ । ଏନକାଉଣ୍ଟରରେ ମାଓ ସଂଗଠନର ମସ୍ତିଷ୍କ କୁହାଯାଉଥିବା ଶୀର୍ଷ ନେତା ବାସବରାଜୁ ସହ ୨୭ ନକ୍ସଲଙ୍କ ଡେଡବଡ଼ି ପହଞ୍ଚିଛି ନାରାୟଣପୁରରେ । ସେହିପରି ମୃତ ନକ୍ସଲଙ୍କଠାରୁ ଜବତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବି ଅଣାଯାଇଛି । ୩ ଦିନ ଧରି ଚାଲିଥିବା ଏହି ଅପରେସନରେ ୨ ଯବାନ ସହିଦ ହୋଇଛନ୍ତି ।
ଦିନେ ଘଞ୍ଚ ଜଙ୍ଗଲରେ ଲଢୁଥିଲେ ସୁରକ୍ଷାକର୍ମୀଙ୍କ ସହ...ଏବେ ପାଲଟି ଯାଇଛନ୍ତି ଶବ...ଯେଉଁ ଅସ୍ତ୍ରଶସ୍ତ୍ର ଧରି ଗରିଲା ଯୁଦ୍ଧ ଲଢୁଥିଲେ..ଏବେ ଅସ୍ତ୍ରଶୂନ୍ୟ ଅବସ୍ଥାରେ ନିସ୍ତେଜ ୨୭ ମାଓବାଦୀଙ୍କ ମୃତଦେହ...ପ୍ରତିଟି ମାଓବାଦୀଙ୍କୁ ଚିହ୍ନଟ ପରେ ମୃତଦେହର କଭର୍ ଉପରେ ଲେଖାଯାଇଛି ସେମାନଙ୍କ ନାଁ । କାହା ନାଁ ଯମୁନା ତ କାହା ନାଁ ଗୁଡ୍ଡୁ...କାହା ନାଁ କ୍ରାନ୍ତି ତ ଆଉ କାହା ନାଁ ରାଜେଶ୍...ତାହାରି ଭିତରେ କିନ୍ତୁ ସମସ୍ତଙ୍କ ନଜର ସେହି ଦୁର୍ଦ୍ଦାନ୍ତ ମାଓବାଦୀ ତଥା ମାଓ ସଂଗଠନର ଶୀର୍ଷ ନେତୃତ୍ବ କୁହାଯାଉଥିବା ବାସବରାଜୁର ଶବ ଉପରେ ।
ଅଧିକ ପଢ଼ନ୍ତୁ: ସ୍ୱାମୀଙ୍କୁ ସନ୍ଦେହ କରି ଫେକ ଆକାଉଣ୍ଟରୁ କରୁଥିଲେ ଚାଟ୍, ମହିଳା ଗିରଫ
ଛତିଶଗଡ଼ ଅବୁଝମାଡ୍ ଜଙ୍ଗଲ ଭିତରୁ ଆଜି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୃତ ମାଓବାଦୀଙ୍କ ମରଶରୀରକୁ ଅଣାଯାଇଥିଲା ଏଭଳି ଭାବେ । ଗତକାଲି ପ୍ରତିକୂଳ ପାଗ ଥିବାରୁ ଏହା ସମ୍ଭବ ହୋଇପାରିନଥିଲା। ହେଲିକପ୍ଟର ଆଜି ୨୭ ମୃତଦେହକୁ ଧରି ନାରାୟଣପୁରରେ ପହଞ୍ଚିଥିଲା। ଏହାପୂର୍ବରୁ ଜଙ୍ଗଲରେ ଦୁର୍ଦ୍ଦାନ୍ତ ବାସବରାଜୁ ସମେତ ୨୭ ନକ୍ସଲଙ୍କ ମୃତ୍ୟୁ ଏବଂ ଅପରେସନର ସଫଳତା ପରେ ଏଭଳି ଉତ୍ସାହ ଦେଖିବାକୁ ମିଳିଥିଲା ଡିଆରଜି ଯବାନଙ୍କ ମଧ୍ୟରେ ।
ଏନକାଉଣ୍ଟର ସ୍ଥଳରୁ ମୃତଦେହ ତ ଆସିଲା । ତା’ସହ ଆସିଛି ବିପୁଳ ପରିମାଣର ଅତ୍ୟାଧୁନିକ ବନ୍ଧୁକ, ଗୁଳିଗୋଳା ସହ ଅସ୍ତ୍ରଶସ୍ତ୍ର । ଯାହାକୁ ଧାଡ଼ି ଧାଡ଼ି କରି ନାରାୟଣପୁର ପୋଲିସ ଲାଇନରେ ସଜାଇ ରଖାଯାଇଛି । ତା’ମଧ୍ୟରେ ରହିଛି, ୩୦୩ ରାଇଫଲ୍, SLR, AK-୪୭, ଇନସାସ୍ ରାଇଫଲ୍ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ । ଏ ଅସ୍ତ୍ରଶସ୍ତ୍ର ହିଁ ପ୍ରମାଣ କରୁଛି, ଅବୁଝମାଡ୍ ଜଙ୍ଗଲରେ କେମିତି କାୟା ମେଲାଇଥିଲା ଏକ ବିଶାଳ ମାଓ ସଂଗଠନ । ଯାହା ଉପରେ ଗତ ୩ ଦିନ ଧରି ପ୍ରହାର କରି ଧ୍ବଂସ ବିଧ୍ବସ୍ତ କରିଦେଇଛନ୍ତି DRG ଯବାନ । ଏହି ଅପରେସନରେ ୨ DRG ଯବାନ ଖଟଲୁ ରାମ୍ କୋରାମ୍ ଏବଂ ରମେଶ ହେମଲା ସହିଦ ହୋଇଛନ୍ତି । ନାରାୟଣପୁରରେ ଉଭୟଙ୍କ ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଛତିଶଗଡ଼ ଡିଜିପିଙ୍କ ସହ ବରିଷ୍ଠ ଅଧିକାରୀ ।
୩ ଦିନିଆ ଅପରେସନରେ ସାମିଲ ହୋଇଥିଲେ ଛତିଶଗଡ଼ ବିଜାପୁର, ଦନ୍ତେୱାଡ଼ା, ନାରାୟଣପୁର ଏବଂ ବସ୍ତର ଆଦି ୪ ଜିଲ୍ଲାର ସୁରକ୍ଷାକର୍ମୀ। ଯାହାର ନେତୃତ୍ବ ନେଇଥିଲେ ନାରାୟଣପୁର ଡିଆରଜି ଯବାନ । ମିଶନ୍ ମାଓମୁକ୍ତ ଭାରତ ଅଭିଯାନରେ ବାସବରାଜୁ ଭଳି ଦୁର୍ଦ୍ଦାନ୍ତ ମାଓନେତା ସହ ୨୭ ମାଓବାଦୀଙ୍କ ମୃତ୍ୟୁ ପରେ ଅନ୍ୟ ଜଙ୍ଗଲରେ ଆଉ କେଉଁ କ୍ୟାଡର୍ ଓ ଶୀର୍ଷ ମାଓନେତା ଜୀବିତ ନାହାଁନ୍ତି ତ ? ସେନେଇ ବଢ଼ିଛି ଚର୍ଚ୍ଚା ।
ସେପଟେ ସୁକମା ବିଜାପୁରରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ । ଏଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବାବେଳେ ୨୧୦ ନମ୍ବର କୋବ୍ରା ବାଟାଲିୟନର ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747927431.jpg)