• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତ୍ରିପୁରାରେ ବିଜେପିକୁ ସ୍ପଷ୍ଟ ବହୁମତ । ନାଗାଲାଣ୍ଡରେ ବିଜେପି-NDPP ମେଣ୍ଟକୁ ବୃହତ୍ ସଫଳତା । ମେଘାଳୟରେ ଝୁଲା ବିଧାନସଭା । ୨୪ ସାଧାରଣ ନିର୍ବାଚନ ପୂର୍ବରୁ ତିନି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳରୁ ବିଜେପିକୁ ମିଳିଛି ବଳ । ତ୍ରିପୁରାରେ ଦଳ କ୍ଷମତା ବଜାୟ ରଖିଥିବାବେଳେ ନାଗାଲାଣ୍ଡରେ ବି ପୁଣି ସରକାର ଗଢ଼ିବା ଏକଦମ୍ ନିଶ୍ଚିତ । ତେବେ ମେଘାଳୟରେ ନିର୍ଦ୍ଦିଷ୍ଟ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନମିଳିବାରୁ ପୁରା ଗୋଳମାଳିଆ ସ୍ଥିତି ଉପୁଜିଛି ।

୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ବିଜେପି ମ୍ୟାଜିକ୍ ନମ୍ବର ଟପି ୩୨ ଆସନ ହାତେଇଥିବା ବେଳେ TMPକୁ ୧୩, CPMକୁ ୧୧, କଂଗ୍ରେସ କୁ ୩ ଓ ନିର୍ଦ୍ଦଳୀୟଙ୍କ ଖାତାକୁ ଗୋଟିଏ ଆସନ ଯାଇଛି । ତ୍ରିପୁରା ଫଳାଫଳ ଆସିବା ପରେ ଅଗରତାଲାରେ ବିଜେପି କର୍ମୀଙ୍କ ଜୋରଦାର ସେଲିବ୍ରେସନ । ଏଠି ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କୁ ବିଜେପି ପୁଣି ଭରସା କରି ତାଙ୍କ ନେତୃତ୍ୱରେ ହିଁ ନିର୍ବାଚନ ଲଢ଼ିଥିଲା ।

ସେହିପରି ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭାରେ NDPP ୨୫, ବିଜେପି ୧୨, NPF ୨ ଓ ସ୍ୱାଧୀନ ଆଶ୍ଚର୍ଯ୍ୟଜନକ ଭାବେ ୨୧ଟି ଆସନ ଦଖଲ କରିଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନି । ଏଠି ବିଜେପି-ଏନଡିପିପି ମଧ୍ୟରେ ମେଣ୍ଟ ହୋଇଥିଲା, ତେଣୁ ମ୍ୟାଜିକ୍ ନମ୍ବର ୩୧ ଠାରୁ ଏମାନେ ୫ଟି ସିଟ୍ ଅଧିକ ହାସଲ କରି ସରକାର ଗଢ଼ିବାକୁ ସମର୍ଥ ହୋଇଛନ୍ତି ।

୧୯୬୩ ମସିହାରେ ନାଗାଲାଣ୍ଡ ନୂଆ ରାଜ୍ୟ ହେବା ପରଠୁ ପ୍ରଥମ ମହିଳା ବିଧାୟିକା ଭାବେ ଏଥର ବିଧାନସଭାକୁ ଜିତି ଇତିହାସ ରଚିଛନ୍ତି ଏନଡିପିପି ପ୍ରାର୍ଥୀ ହେକାନି ଜାଖାଲୁ ।

ମେଘାଳୟ ବିଧାନସଭାରେ କିନ୍ତୁ ଝୁଲା ସ୍ଥିତି । କୌଣସି ନିର୍ଦ୍ଦିଷ୍ଟ ଦଳକୁ ମିଳିନି ସ୍ପଷ୍ଟ ଜନାଦେଶ । ୬୦ ଆସନ ବିଶିଷ୍ଟ ମେଘାଳୟରେ ଏଥର ୫୯ଟି ସିଟ୍‌ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ କୋନରାଡ୍ ସାଙ୍ଗମାଙ୍କ ଦଳ ନ୍ୟାସନାଲ ପିପୁଲସ ପାର୍ଟି-NPP ସର୍ବାଧିକ ୨୫ ଆସନରେ ଜିତିଛି । ତେବେ ଏଠି ମ୍ୟାଜିକ୍ ନମ୍ବର ରହିଛି ୩୦ । ସେହିପରି କଂଗ୍ରେସକୁ ୫, ଟିଏମ୍‌ସିକୁ ୫ ଓ ବିଜେପିକୁ ୨ଟି ଆସନ ମିଳିଥିବା ବେଳେ ୨୨ ଜଣ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ଯେହେତୁ ଆଉ ଅଳ୍ପ ସଂଖ୍ୟକ ବିଧାୟକଙ୍କ ସମର୍ଥନ ପାଇଲେ ସାଙ୍ଗମା ପୁଣି ମୁଖ୍ୟମନ୍ତ୍ରୀ ହୋଇପାରିବେ, ତେଣୁ ସେଥିଲାଗି ତାଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ସାଙ୍ଗମାଙ୍କ ବାସଭବନରେ ଚାଲିଛି ସମର୍ଥକଙ୍କ ଜୋରଦାର ସେଲିବ୍ରେସନ ।

ସେପଟେ ବିଜେପି ଟପ୍ ନେତୃତ୍ୱ ବି ସାଙ୍ଗମାଙ୍କୁ ସମର୍ଥନ ଦେବାକୁ ବିଚାର କରୁଛି । ଏହା ହେଲେ ମେଘାଳୟ ସରକାରରେ ସାମିଲ ହୋଇପାରିବ ଦଳ । ତେବେ ୫ଟି ରାଜ୍ୟର ୬ଟି ସ୍ଥାନରେ ଅନୁଷ୍ଠିତ ଉପ-ନିର୍ବାଚନ ଫଳାଫଳରେ କିନ୍ତୁ କଂଗ୍ରେସକୁ ୩ଟି ସ୍ଥାନରେ ମିଳିଛି ସଫଳତା। ମହାରାଷ୍ଟ୍ରର କସବା ସିଟ୍‌କୁ ୨୭ ବର୍ଷ ପରେ ବିଜେପି ହାତରୁ ଛଡ଼ାଇ ନେଇଛି କଂଗ୍ରେସ ।