/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692610977.jpg)
Bihar Story
ଘରୁ ହଠାତ୍ ନିଖୋଜ ହୋଇଗଲା ଝିଅ । ପରିବାର ଲୋକ ଝିଅକୁ ବହୁ ଖୋଜାଖୋଜି କରିବା ପରେ ଥାନାରେ ଦେଲେ ଏତଲା । ଅଭିଯୋଗ ଅଧାରରେ ପୋଲିସ ତଦନ୍ତ କରିବା ସହ ଝିଅକୁ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ସୁରାକ ପାଇଲାନି । ହେଲେ ନିଖୋଜର ପ୍ରାୟ ଗୋଟିଏ ମାସ ପରେ ପରିବାରକୁ ଯୁବତୀଙ୍କ ମୃତ୍ୟୁ ଖବର ଦେଲା ପୋଲିସ ।
ପରିବାର ଲୋକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ । ଯୁବତୀଙ୍କ ମୃତଦେହ ଚିହ୍ନଟ ବି କଲେ । ପରେ ପରେ ଶବଟିକୁ ସତ୍କାର ମଧ୍ୟ କରାଗଲା । ହେଲେ ଶୁଦ୍ଧକ୍ରିୟା ସମୟରେ ଆସିଲା ଜୀବିତ ଝିଅର ଫୋନ୍ କଲ । ଯୁବତୀ ଜଣକ କହିଲେ, ବାପା ମୁଁ ମରିନି... ବଞ୍ଚିଛି... ଆଉ ଭଲ ବି ଅଛି ।
ଏପରି ଏକ ଘଟଣା ସାମ୍ନାକୁ ଆସିଛି ବିହାରର ପାଟଣା ଅଞ୍ଚଳରୁ । ପୁର୍ନିଆର ଆକବରପୁର ପୋଲିସ ଏନେଇ ତଦନ୍ତ କରୁଛି । ସୂଚନା ଅନୁସାରେ ଆଂଶୁ କୁମାରୀ ନାମକ ଜଣେ ଯୁବତୀ ପ୍ରାୟ ଏକ ମାସ ପୂର୍ବରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କିଛି ଖବର ମିଳିନଥିଲା ।
ପରେ ଏନେଇ ସ୍ଥାନୀୟ ପୋଲିସକୁ ଜଣାଇଥିଲେ । ହେଲେ ପୋଲିସ ନିକଟରେ ଅଭିଯୋଗ ହେବାର କିଛି ଦିନ ପରେ କେନାଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହ ଉଦ୍ଧାର କରିବା ପରେ ପୋଲିସ ନିଖୋଜ ଥିବା ଯୁବତୀଙ୍କ ମୃତଦେହ ବୋଲି ସନ୍ଦେହ କରିବା ସହ ପରିବାର ଲୋକଙ୍କୁ ମୃତଦେହ ଚିହ୍ନଟ ପାଇଁ ଖବର ଦେଇଥିଲା ।
ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ଶବଟିକୁ ସତ୍କାର କରିଥିଲେ । ହେଲେ ପରେ ପରେ ଶୁଦ୍ଧକ୍ରିୟା ସମୟରେ ଜୀବିତ ଥିବା ଝିଅର କଲ୍ ଆସିଥିଲା । ଯୁବତୀ ଜଣକ ତାଙ୍କ ବାପାଙ୍କୁ ଫୋନ୍କରି ସେ ଜୀବିତ ଥିବା କହିଥିଲେ । ତାହାସହ ସେ ଭଲରେ ଅଛନ୍ତି ବୋଲି କହିବା ସହ ସେ ତାଙ୍କ ବାପାଙ୍କ ନିକଟରେ ସାହସ କରି ତାଙ୍କ ବିବାହ କଥା ମଧ୍ୟ କହିଥିଲେ ।
ଯୁବତୀ ଜଣକ କହିଥିଲେ ଯେ, ବାପା ମୁଁ ଭଲ ଅଛି । ମୁଁ ଭଲ ପାଉଥିବା ପୁଅକୁ ବିବାହ କରିସାରିଛି । ଜାନକୀନଗର ଅଞ୍ଚଳରେ ରହୁଥିବା ତାଙ୍କ ଶାଶୂ ଘର ପରିବାର ସହ ସେ ରହୁଥିବା କହିଥିଲେ ।
ଖାଲି ସେତିକି ନୁହେଁ, ଯୁବତୀ ତାଙ୍କ ବାପାଙ୍କ ନିକଟକୁ ଏକ ଭିଡିଓ କଲ୍ ମଧ୍ୟ କରିଥିଲେ । ସେପଟେ ମୃତ ଯୁବତୀ ଜଣକ କିଏ ଓ ତାଙ୍କ ପରିଚୟ କ’ଣ ସେନଇ ପୋଲିସ ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)