Advertisment

BPSC Student Protest: ଆନ୍ଦୋଳନରତ ଆଶାୟୀଙ୍କ ପାଖକୁ ଗଲେ, କେସ୍ ଖାଇଲେ ପ୍ରଶାନ୍ତ

ପ୍ରଶାନ୍ତ କିଶୋର । ରାଜନୀତିରେ ରଣନୀତିକାର ଥିଲେ, ରଣନୀତି କରି ବିଭିନ୍ନ ଦଳକୁ ଜିତାଉଥିଲେ । ନିଜେ ରାଜନୀତିରେ ପ୍ରବେଶ କଲେ । ଆନ୍ଦୋଳନରେ ସାମିଲ୍ ହେଲେ । ଏବେ ତାଙ୍କ ନାଁରେ ବିହାରରେ ହୋଇଛି ପୋଲିସ୍ କେସ୍ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
ପ୍ରଶାନ୍ତ କିଶୋରଙ୍କ ନାଁରେ କେସ୍

ପ୍ରଶାନ୍ତ କିଶୋରଙ୍କ ନାଁରେ କେସ୍

ବିହାର ଲୋକସେବା ଆୟୋଗର ପରୀକ୍ଷା ବାତିଲ୍ ଦାବିରେ ଛାତ୍ରଛାତ୍ରୀମାନେ କରୁଥିବା ଆନ୍ଦୋଳନରେ ସାମିଲ୍ ହୋଇ କେସ୍ ଖାଇଛନ୍ତି ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର । ପ୍ରଶାସନର ଅନୁମତି ନନେଇ ସେ ଛାତ୍ରଛାତ୍ରୀଙ୍କୁ ଉସୁକାଇ ଆନ୍ଦୋଳନ କରିଥିବା ଅଭିଯୋଗ ହୋଇଛି । ବିହାର ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୭୦ତମ ମିଳିତ କମ୍ପିଟିଟିଭ୍ ପ୍ରିଲିମିନାରୀ ପରୀକ୍ଷା (Combined competitive preliminary Examination) ପୁଣି ଥରେ କରାଯିବା ପାଇଁ ଦାବି କରୁଛନ୍ତି ଛାତ୍ରଛାତ୍ରୀ । ପାଟନାର ଗାନ୍ଧୀ ମଇଦାନରେ ଆଶାୟୀମାନଙ୍କ ସହ ସାମିଲ୍ ହୋଇଥିଲେ ପ୍ରଶାନ୍ତ । ପ୍ରଶାସନର ଆଦେଶକୁ ଉଲ୍ଲଘଂନ କରି ପ୍ରଶାନ୍ତ ଛାତ୍ରଛାତ୍ରୀମାନଙ୍କୁ ଏକଜୁଟ କରିଥିବାରୁ ତାଙ୍କ ନାମରେ କେସ୍ କରାଯାଇଥିବାର କହିଛନ୍ତି ପାଟନାର ଜିଲ୍ଲା ମାଜିଷ୍ଟ୍ରେଟ୍ ।

Advertisment

ଗାନ୍ଧୀ ମଇଦାନରେ କୌଣସି ପ୍ରକାରର ବିକ୍ଷୋଭ ପ୍ରଦର୍ଶନ କରାଯାଇ ପାରିବନାହିଁ ବୋଲି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଥିଲା । କିନ୍ତୁ ଆଦେଶକୁ ନମାନି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରଶାନ୍ତ କିଶୋର, ତାଙ୍କ ଦଳର କାର୍ଯ୍ୟକାରୀ ସଭାପତି ମନୋଜ ଭାରତୀ, ପାଟନାର ଶିକ୍ଷକ ରାମାଂଶୁ ମିଶ୍ରଙ୍କ ସମେତ ୧୭ ଜଣଙ୍କ ନାମରେ କେସ୍ ହୋଇଥିବା ବେଳେ ପ୍ରାୟ ୭୦୦ ଅଜଣା ଛାତ୍ରଛାତ୍ରୀଙ୍କ ବିରୋଧରେ କେସ୍ ରୁଜୁ ହୋଇଛି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରଶେଖର ସିଂହ ଗଣମାଧ୍ୟମକୁ କହିଛନ୍ତି ।

ଅଧିକ ପଢନ୍ତୁ:ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଶା ଚାଷୀଙ୍କ ପ୍ରଶଂସା, ବଦଳିଛି ଚିତ୍ର

Advertisment

ପ୍ରଶାନ୍ତ କିଶୋରଙ୍କ ସଫେଇ

ପ୍ରଶାନ୍ତ କିଶୋର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ ସେଠିକି ବିକ୍ଷୋଭ କରିବାକୁ ଯାଇନଥିଲୁ । ଛାତ୍ରଛାତ୍ରୀମାନେ ସେଠାରେ ବସିଥିଲେ । ଆମେ ସେମାନଙ୍କୁ ଦେଖା କରିବାକୁ ଯାଇଥିଲୁ । ଗାନ୍ଧୀ ମଇଦାନ ଏକ ସର୍ବସାଧାରଣ ସ୍ଥାନ । ଲୋକମାନେ ପ୍ରତିଦିନ ସେଠାକୁ ଯାଆନ୍ତି । ଯଦି ଛାତ୍ରଛାତ୍ରୀଙ୍କ ପାଇଁ ବସିବାକୁ ଜାଗା ନାହିଁ, ସେମାନେ ସେଠିକି ଗଲେ । ସରକାର କାହିଁକି ଏହାକୁ ଏକ ସମ୍ମାନର ପ୍ରଶ୍ନ ବୋଲି ଭାବୁଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପ୍ରଶାନ୍ତ । ଏହାଦ୍ୱାରା ସରକାର ନିଜର କ୍ଷତି କରୁଥିବା ସେ କହିଛନ୍ତି । ତାଙ୍କ ମତରେ ବିହାର ହେଉଛି ଗଣତନ୍ତ୍ରର ମାଆ । ଯଦି ଛାତ୍ରଛାତ୍ରୀମାନେ ସେମାନଙ୍କ ମନର କଥା ପ୍ରକାଶ କରିପାରୁନାହାନ୍ତି, ତେବେ ଏଠି ‘ଲାଠିତନ୍ତ୍ର’ ଚାଲିଛି ବୋଲି କୁହାଯାଇପାରିବ । ଏକ ପାଞ୍ଚଜଣିଆ ପ୍ରତିନିଧି ଦଳ ଯାଇ ମୁଖ୍ୟ ଶାସନ ସଚିବଙ୍କ ସହ ଦାବି ସଂପର୍କରେ ଆଲୋଚନା କରିବ ଓ ସେ ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲେ ପ୍ରଶାନ୍ତ । ତେବେ ଛାତ୍ରଛାତୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡକୁ ମାର୍ଚ୍ଚିଂ କରି ଚାଲିଲେ ଓ ପୋଲିସ ସହ ଧସ୍ତାଧସ୍ତି ହେଲା ବୋଲି ସେ କହିଛନ୍ତି । ପୋଲିସ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ କରିଥିବା ସେ କହିଛନ୍ତି ।

ପାଣିମାଡ଼କୁ ହଁ ଲାଠିଚାର୍ଜକୁ ନା 

ତେବେ ପାଟନା ସିଟି ଏସପି ସ୍ୱିଟି ସରାୱତ କହିଛନ୍ତି, ମନା କରିବା ସତ୍ତ୍ୱେ ଛାତ୍ରଛାତ୍ରୀମାନେ ମାନିନଥିଲେ । ତେଣୁ ପୋଲିସ୍ ପାଣିମାଡ଼ କରିଥିଲା । କିନ୍ତୁ ଲାଠିଚାର୍ଜ ହୋଇନାହିଁ ।

ଛାତ୍ରଛାତ୍ରୀଙ୍କ କହିବା କଥା, ରବିବାର ସଂଧ୍ୟାରେ ସେମାନଙ୍କୁ ଗାନ୍ଧୀ ମଇଦାନରୁ ହଟାଇବାକୁ ପୋଲିସ୍ ଲାଠିଚାର୍ଜ ଓ ପାଣିମାଡ଼ କରିଥିଲା । ତେବେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡକୁ ଯିବାରୁ ପୋଲିସ୍ ସହ ସଂଘର୍ଷ ହୋଇଥିଲା । ହିଂସାକାଣ୍ଡ ଘଟିଥିଲା । ଲାଠିଚାର୍ଜ ଘଟଣାକୁ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବ ନିନ୍ଦା କରିଛନ୍ତି ।

ବିହାରରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହେବା ପରେ ଲୋକସେବା ଆୟୋଗ ଗୋଟିଏ କେନ୍ଦ୍ରର ପରୀକ୍ଷା ବାତିଲ୍ କରିଛନ୍ତି । କିନ୍ତୁ ସବୁ କେନ୍ଦ୍ରର ପରୀକ୍ଷା ବାତିଲ୍ କରାଯାଇ ସାନି ପରୀକ୍ଷା କରାଯିବାକୁ ଦାବି କରୁଛନ୍ତି ଆଶାୟୀ ।

ଅଧିକ ପଢନ୍ତୁ:ଦରମା ମାତ୍ର ୧୩ ହଜାର!! କିନ୍ତୁ ଚଢ଼ୁଥିଲେ BMW, ପିନ୍ଧୁଥିଲେ ହୀରା ଚଷମା

Student Bihar Student Protests Bihar Politics Prashant Kishor
Advertisment
Advertisment