• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିହାର ରାଜନୀତିରେ ଆଜି ହେବ ବଡ଼ ଧରଣର ହଲଚଲ୍ । ଆଜି ଇସ୍ତଫା ଦେଇ ବିଜେପି ସମର୍ଥନରେ ସରକାର ଗଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ଅପରାହ୍ନ ୪ଟାରେ ନୀତୀଶ କୁମାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ସକାଳ ୯ଟାରେ ବିଜେପି ବିଧାୟକ ମାନଙ୍କ ବୈଠକ ଡକାଯାଇଛି ।

ସକାଳ ୧୦ଟାରେ ଜେଡିୟୁ ବିଧାୟକ ମାନଙ୍କ ବୈଠକ ବସିବ । ଏହାପରେ ଦିନ ୧୨ଟାରେ ନୀତୀଶ, ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ଦେବେ ବୋଲି ସୂଚନା ରହିଛି । ତା’ସହ ଏନଡିଏ ବିଧାୟକ ମାନଙ୍କ ସମର୍ଥନ ଥିବା ଚିଠି ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିବେ । ଆଜି ରବିବାର ସତ୍ତ୍ୱେ ବିହାର ସଚିବାଳୟରେ ଛୁଟି ରଦ୍ଦ କରାଯାଇଛି ।

ସେପଟେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆରଜେଡି ଓ କଂଗ୍ରେସରେ ମହାମନ୍ଥନ ଚାଲିଛି । ଲୋକଜନଶକ୍ତି ପାର୍ଟି ସଭାପତି ଚିରାଗ ପାଶୱାନ୍ ଗତକାଲି ନୂଆଦିଲ୍ଲୀ ଯାଇ ବିଜେପିର ତୁଙ୍ଗ ନେତାଙ୍କୁ ଭେଟିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ଯାଇ ତାଙ୍କୁ ସାକ୍ଷାତ କରିଥିଲେ ଚିରାଗ ପାଶୱାନ୍ । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସଭାପତି ଜେ.ପି.ନଡ୍ଡା ସେଠାରେ ଉପସ୍ଥିତ ଥିଲେ ।

ଏବେ ନଜର ପକାନ୍ତୁ ବିହାର ସମୀକରଣ ଉପରେ । ବର୍ତ୍ତମାନ ବିହାର ବିଧାନସଭାରେ ୨୪୩ଟି ଆସନ ରହିଛି । ସେଥିରୁ ମହାଗଠବନ୍ଧନ ମେଣ୍ଟ ପାଖରେ ୧୬୦ ସିଟ୍ ରହିଛି । ଆରଜେଡି ୭୯, ଜେଡିୟୁ ୪୫, କଂଗ୍ରେସ ୧୯, ବାମଦଳ ୧୬ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ଅନ୍ୟପକ୍ଷରେ ବିରୋଧୀ ମେଣ୍ଟରେ ୮୨ ବିଧାୟକ ରହିଛନ୍ତି ।

ବିଜେପିର ୭୮ ବିଧାୟକ ଥିବା ବେଳେ ହାମ୍ ଦଳର ୫ ବିଧାୟକ ଅଛନ୍ତି । ସରକାର ଗଢିବା ପାଇଁ ୧୨୨ ବିଧାୟକଙ୍କ ସମର୍ଥନ ଦରକାର । ଗତକାଲି ଦିନ ତମାମ ବିହାର ରାଜନୀତି ସରଗରମ ରହିଥିଲା । ଜେଡ଼ିୟୁ, ବିଜେପି, କଂଗ୍ରେସ ଓ ଆରଜେଡି ନେତାମାନଙ୍କର ଦିନ ତମାମ ବୈଠକ ଚାଲିଥିଲା । ପରିବର୍ତ୍ତିତ ସ୍ଥିତି ନେଇ ବିଚାର ବିମର୍ଶ ଜାରି ରହିଥିଲା ।

ଅନ୍ୟପଟେ ବିଜେପି ବିଧାୟକମାନେ ଏକତ୍ରିତ ହୋଇ ନୀତୀଶଙ୍କୁ ସମର୍ଥନ ନେଇ ଦସ୍ତଖତ ଦେଇଛନ୍ତି । ଗତ ୨୦୨୨ ରେ ନୀତୀଶ ଆରଜେଡି, କଂଗ୍ରେସ ସହ ମିଶି ସରକାର ଗଠନ କରିଥିଲେ । କୌଣସି ମଧ୍ୟ ପରିସ୍ଥିତିରେ ସେ ଆଉ ବିଜେପିକୁ ଫେରିବେ ନାହିଁ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ପୁଣିଥରେ ଏନଡିଏକୁ ଫେରୁଛନ୍ତି ।