• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦେଶର ଆଉ ୩ ମହାନ ବ୍ୟକ୍ତିତ୍ୱଙ୍କୁ ମିଳିବ ଭାରତ ରତ୍ନ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପି.ଭି. ନରସିଂହ ରାଓ ଓ କୃଷି ବିଜ୍ଞାନୀ ଡକ୍ଟର ଏମ୍.ଏସ୍ ସ୍ୱାମୀନାଥନଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଦିଆଯିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

କିଛି ଦିନ ତଳେ କର୍ପୁରୀ ଠାକୁର ଓ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଘୋଷଣା କରିଥିଲେ ମୋଦି ସରକାର । ମୋଦି ସରକାରଙ୍କ ପୁଣି ଏକ ଐତିହାସିକ ଘୋଷଣା । ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଭୂମିକା ନେଇଥିବା ୩ ବରପୁତ୍ର ପାଇବେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ । ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଓ ପି.ଭି. ନରସିଂହ ରାଓଙ୍କୁ ମିଳିବ ଭାରତ ରତ୍ନ ।

ସେହିଭଳି ବିଶିଷ୍ଟ କୃଷି ବିଜ୍ଞାନୀ ଡକ୍ଟର ଏମ୍.ଏସ୍. ସ୍ୱାମୀନାଥନ ବି ପାଇଁ ଏହି ମର୍ଯ୍ୟାଦାଜନକ ସମ୍ମାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ଏହି ୩ ଜଣଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ଦିଆଯିବା ସମ୍ପର୍କରେ ଘୋଷଣା କରିଛନ୍ତି । ଦେଶର ଚାଷୀ ଓ ଚାଷଙ୍କ ଅଧିକାରକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ନିଜର ସାରା ଜୀବନ ସମର୍ପଣ କରିଦେଇଥିଲେ ।

ରାଷ୍ଟ୍ର ପ୍ରତି ତାଙ୍କ ଅତୁଳନୀୟ ଅବଦାନ ପ୍ରତି ଏହି ସମ୍ମାନ ସମର୍ପିତ ବୋଲି ପୋଷ୍ଟ କରିଛନ୍ତି ମୋଦି । ସେହିପରି ପି.ଭି. ନରସିଂହ ରାଓଙ୍କୁ ଜଣେ ବିଦ୍ୱାନ ତଥା ମହାନ ରାଜନେତା ଭାବେ ଅବିହିତ କରି ସେ ଦେଶ ସେବା ପାଇଁ ସଂପୂର୍ଣ୍ଣ ଉତ୍ସର୍ଗ ମନୋଭାବରେ କାମ କରିଥିବା ମୋଦି ଲେଖିଛନ୍ତି । ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଭାରତୀୟ ଅର୍ଥନୀତି ବିଶ୍ୱ ବଜାରରେ ପ୍ରବେଶ କରିବା ସହ ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା ।

ତାଙ୍କ କାର୍ଯ୍ୟକାଳରେ ଭାରତର ବୈଦଶିକ ନୀତିରେ ବି ବେଶ ଉନ୍ନତି ଆସିଥିଲା । ଦେଶର ଭାଷା, ଶିକ୍ଷା, ସଂସ୍କୃତି କ୍ଷେତ୍ରରେ ନରସିଂହ ରାଓଙ୍କ ଯଥେଷ୍ଟ ଅବଦାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । କୃଷି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବାରେ ଅବିସ୍ମରଣୀୟ ଭୂମିକା ଲାଗି ଡକ୍ଟର ସ୍ୱାମୀନାଥନ ପାଇବେ ସର୍ବୋଚ୍ଚ ସମ୍ମାନ ।

କୃଷି କ୍ଷେତ୍ରରେ ଆଧୁନିକତା ଆଣିବା ସହ କୃଷକଙ୍କ ଆୟ ବୃଦ୍ଧି ଦିଗରେ କାମ କରିଥିଲେ । ଡକ୍ଟର ଏମଏସ ସ୍ୱାମୀନାଥନଙ୍କ ଦୂରଦର୍ଶିତା ଓ ନେତୃତ୍ୱ ଯୋଗୁ ଦେଶରେ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା । ଏହାସହ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଆମ ଦେଶ ସୁଦୃଢ ହୋଇଥିଲା । ସେପଟେ ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଭାରତ ରତ୍ନ ଘୋଷଣା ପରେ ରାଜନୈତିକ ମହଲରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ।

ଚୌଧୁରୀ ଚରଣ ସିଂଙ୍କ ନାତି ତଥା ରାଷ୍ଟ୍ରୀୟ ଲୋକ ଦଳ ନେତା ତଥା ଜୟନ୍ତ ସିଂ ଦିଲ୍ ଜିତ୍ ଲିୟା ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି । ପରେ ତାଙ୍କ ପ୍ରତିକ୍ରିୟାରୁ ସେ ବିଜେପି ସହ ମେଣ୍ଟ କରିବା ନେଇ ସଙ୍କେତ ଦେଇଛନ୍ତି । ସେହିପରି ନରସିଂହ ରାଓଙ୍କୁ ଭାରତ ରତ୍ନ ଆନ୍ଧ୍ର ଓ ତେଲେଙ୍ଗାନାର ଜନତାଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ସେଠାରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କଂଗ୍ରେସର ପୂର୍ବତନ ସଭାନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ଭାରତ ରତ୍ନ ପ୍ରଦାନକୁ ସ୍ୱାଗତ କରିଛନ୍ତି । ଚଳିତ ବର୍ଷ ୫ ଜଣଙ୍କୁ ଭାରତ ରତ୍ନ ଦିଆଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଓ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲ.କେ. ଆଡଭାନୀଙ୍କୁ ଭାରତ ରତ୍ନ ଦିଆଯିବା ନେଇ ଘୋଷଣା ହୋଇଥିଲା ।