• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୩ ଜଣଙ୍କୁ ଭାରତ ରତ୍ନ ମିଳିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପୂର୍ବ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓ, ଚୌଧୁରୀ ଚରଣ ସିଂହ ଓ ଡାକ୍ଟର ଏମ୍.ଏସ୍ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ମିଳିବା ନେଇ ଘୋଷଣା ହୋଇଛି । ଏନେଇ ସୋସିଆଲ ମିଡିଆ 'ଏକ୍ସ'ରେ ସୂଚନା ଦେବା ସହ ଆନନ୍ଦିତ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପି.ଭି ନରସିହ୍ମା ରାଓ ଜଣେ ବିଦ୍ୱାନ ଓ ବଡ଼ ରାଜନେତା ଥିଲେ । ସେ ଦେଶ ସେବା ପାଇଁ ସଂପୂର୍ଣ୍ଣ ଉତ୍ସର୍ଗ ମନୋଭାବରେ କାମ କରିଥିଲେ । ସେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଭାବେ ଅନେକ ବର୍ଷ ଧରି ଦେଶକୁ ସେବା ଯୋଗାଇଥିଲେ । ତାଙ୍କ ଅବଦାନ ଦେଶର ଅର୍ଥନୀତିକୁ ସୁଦୃଢ କରିବା ସହ ଦେଶର ବିକାଶକୁ ତ୍ୱରାନ୍ୱିତ କରିଥିଲା । ନରସିଂହ୍ମା ରାଓଙ୍କ ସମୟରେ ଭାରତୀୟ ଅର୍ଥନୀତି ବିଶ୍ୱ ବଜାରରେ ପ୍ରବେଶ କରିଥିଲା । ଏହାସହ ଭାରତୀୟ ଅର୍ଥନୀତିର ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା । ତାଙ୍କ କାର୍ଯ୍ୟକାଳରେ ଭାରତର ବୈଦଶିକ ନୀତିରେ ବେଶ ଉନ୍ନତି ଆସିଥିଲା । ସେହିପରି ଦେଶର ଭାଷା, ଶିକ୍ଷା, ସଂସ୍କୃତି କ୍ଷେତ୍ରରେ ତାଙ୍କ ଯଥେଷ୍ଟ ଅବଦାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ।

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂକୁ ମଧ୍ୟ ମିଳିବ ଭାରତ ରତ୍ନ । ଏନେଇ ସୂଚନା ଦେବା ସହ ଏହା ଆମ ସରକାରର ସୌଭାଗ୍ୟ ବୋଲି ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ପ୍ରତି ଏହି ସମ୍ମାନ ସମର୍ପିତ ବୋଲି ଲେଖିଛନ୍ତି ମୋଦି । ଚୌଧୁରୀ ଚରଣ ସିଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ହେଉ କି ଦେଶର ଗୃହ ମନ୍ତ୍ରୀ ଭାବେ ଅନେକ ସେବା ଯୋଗାଇଛନ୍ତି । ସେ ରାଷ୍ଟ୍ର ନିର୍ମାଣକୁ ତ୍ୱରିତ ଗତି ପ୍ରଦାନ କରିଥିଲେ । ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ସ୍ଥିତିକୁ ସେ ଦୃଢ ଭାବେ ବିରୋଧ କରିଥିଲେ । ସେହିପରି କୃଷି କ୍ଷେତ୍ର ପ୍ରତି ତାଙ୍କର ଅବଦାନ ସାରା ଦେଶକୁ ପ୍ରେରଣା ଦେଉଛି ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେହିପରି ବିଶିଷ୍ଟ କୃଷି ବୈଜ୍ଞାନିକ ଡକ୍ଟର ଏମଏସ ସ୍ୱାମୀନାଥନଙ୍କୁ ମଧ୍ୟ ମିଳିବ ଭାରତ ରତ୍ନ । କୃଷକଙ୍କ କଲ୍ୟାଣ ଓ କୃଷି କ୍ଷେତ୍ର ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭାରତ ରତ୍ନରେ ସମ୍ମାନିତ କରାଯିବ । କୃଷି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବାରେ ତାଙ୍କ ଭୂମିକା ଅବିସ୍ମରଣୀୟ । ଯେଉଁ ସମୟରେ ଦେଶର କୃଷି କ୍ଷେତ୍ର ଘଡ଼ିସନ୍ଦି ମୁହୂର୍ତ୍ତ ଦେଇ ଗତି କରୁଥିଲେ ସେ ସମୟରେ ଡକ୍ଟର ସ୍ୱାମୀନାଥନ ଦେଶକୁ ନୂଆ ରାହା ଦେଖାଇଥିଲେ । ଏହା ସହ କୃଷି କ୍ଷେତ୍ରରେ ଆଧୁନିକତା ଆଣିବା ସହ କୃଷକଙ୍କ ଆୟ ବୃଦ୍ଧି ଦିଗରେ କାମ କରିଥିଲେ । ଡକ୍ଟର ଏମଏସ ସ୍ୱାମୀନାଥନ କୃଷି ପ୍ରତି ଦୂରଦର୍ଶିତା ଓ ନେତୃତ୍ୱ ଯୋଗୁ ଦେଶରେ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା । ଏହାସହ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଆମ ଦେଶ ସୁଦୃଢ ହୋଇଥିଲା।