/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747470749.jpg)
All-Party Delegations
ବିଶ୍ୱ ସମୁଦାୟରେ ଖୋଲିବ ପାକିସ୍ତାନର ଅସଲ ମୁଖା । ଆତଙ୍କୀ ପ୍ରେମର ଏକ୍ସପୋଜ୍ କରିବ ଭାରତ । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତିର ବାର୍ତ୍ତା ନେଇ ସହଯୋଗୀ ରାଷ୍ଟ୍ର ଗସ୍ତ କରିବେ ଭାରତର ସର୍ବଦଳୀୟ ଟିମ୍ । ଏନେଇ ୭ଟି ପ୍ରତିନିଧି ଦଳ ଗଠନ କରାଯାଇଛି । ୭ଟି ଟିମର ନେତୃତ୍ୱ ନେବେ ୭ ଜଣ ବରିଷ୍ଠ ସାଂସଦ । ଏମାନେ ହେଲେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଂଗ୍ରେସ ସାଂସଦ ଶଶି ଥରୁର, ବିଜେପିର ରବି ଶଙ୍କର ପ୍ରସାଦ । ସେହିପରି ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା, ଡିଏମେକେରୁ କାନିମୋଇ, ଏନସିପିର ସୁପ୍ରିୟା ସୁଲେ ଓ ଶିବସେନାର ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ବରେ ଟିମ୍ ଭାରତର ସହଯୋଗୀ ରାଷ୍ଟ୍ର ଓ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଦେଶକୁ ଗସ୍ତ କରିବେ ।
ଚଳିତ ମାସ ୨୩ ତାରିଖ ପରେ ଏହି ସର୍ବଦଳୀୟ ପ୍ରତିନିଧି ଦଳ ବିଭିନ୍ନ ରାଷ୍ଟ୍ର ଗସ୍ତ କରିବେ । ଏମାନେ 'ଅପରେସନ ସିନ୍ଦୂର' ଓ ସୀମାପାର ଆତଙ୍କବାଦ ନେଇ ବାର୍ତ୍ତା ପହଞ୍ଚାଇବେ । ଏଥିସହ ଆତଙ୍କବାଦ ବିରୋଧରେ ଭାରତର ଜିରୋ ଟଲେରାନ୍ସ ନୀତି ନେଇ ବିଭିନ୍ନ ରାଷ୍ଟ୍ରକୁ ଅବଗତ କରାଇବେ ସର୍ବଦଳୀୟ ପ୍ରତିନିଧି ଦଳ। ଏହି ପ୍ରତିନିଧି ଦଳରେ ବିଭିନ୍ନ ପାର୍ଟିର ସାଂସଦ, ପ୍ରମୁଖ ରାଜନେତା ତଥା ବିଶିଷ୍ଟ କୂଟନୀତିଜ୍ଞ ସଦସ୍ୟ ରହିବେ ।
୭ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ସାଂସଦମାନେ ହେଲେ-
- ବୈଜୟନ୍ତ ପଣ୍ଡା (ବିଜେପି)
- ଶଶି ଥରୁର (କଂଗ୍ରେସ)
- ରବିଶଙ୍କର ପ୍ରସାଦ (ବିଜେପି)
- ସଞ୍ଜୟ କୁମାର ଝା (ଜେଡିୟୁ)
- କାନିମୋଇ କରୁଣାନିଧି (ଡିଏମ୍କେ)
- ସୁପ୍ରିୟା ସୁଲେ (ଏନସିପି)
- ଶ୍ରୀକାନ୍ତ ଏକନାଥ ସିନ୍ଦେ (ଶିବସେନା)
ପିଟିଆଇ ସୂଚନା ମୁତାବକ, ଶଶି ଥରୁରଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ଟିମ୍ ଅପରେସନ ସିନ୍ଦୂର ଓ ଆତଙ୍କବାଦର ବାର୍ତ୍ତା ପହଞ୍ଚାଇବା ପାଇଁ ଆମେରିକା ଗସ୍ତ କରିପାରନ୍ତି । ସେହିପରି ରବି ଶଙ୍କରଙ୍କ ନେତୃତ୍ୱାଧୀନ ଟିମ୍ ସାଉଦି ଆରବ, ବାହାରିନ, ଆଲଜେରିଆ, ସୁପ୍ରିୟା ସୁଲେଙ୍କ ଟିମ୍ ଓମାନ, କେନିୟା, ଦକ୍ଷିଣ ଆଫ୍ରିକା, ଇଜିପ୍ଟ ଯାଇପାରିନ୍ତି । ସଞ୍ଜୟ ଝା ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ, ମାଲେସିୟା, ଇଣ୍ଡୋନେସିଆ ଗସ୍ତ କରିପାରନ୍ତି । ପ୍ରତ୍ୟେକ ସର୍ବଦଳୀୟ ଟିମରେ ୬ରୁ ୭ ଜଣ ସାଂସଦ ରହିବେ ଏବଂ ସେମାନେ ୪ରୁ ୫ଟି ଦେଶ ଗସ୍ତ କରିବାର ସୂଚନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)