• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଦଳିଲା ଅଯୋଧ୍ୟା ରେଲୱେ ଷ୍ଟେସନର ନାଁ । ଅଯୋଧ୍ୟା ଜଙ୍କସନରୁ ଏହାର ନାମକୁ ଅଯୋଧ୍ୟା ଧାମ ଜଙ୍କସନକୁ ବଦଳାଯାଇଛି । ଲୋକଙ୍କ ଆସ୍ଥା ଓ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ନାମ ପରିବର୍ତ୍ତନ ହୋଇଥିବା ଇଣ୍ଡିଆନ୍ ରେଲୱେ କନଫରେନ୍ସ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି ।

ଏହାର ଆଲଫାବେଟିକ କୋଡ୍ ପୂର୍ବଭଳି ‘AY’ ହିଁ ରହିବ । ସୂଚନା ଯୋଗ୍ୟଯେ, ଉତ୍ତରପ୍ରଦେଶ ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ଏହି ରେଳ ଷ୍ଟେସନର ନବକଳେବର ହୋଇଛି । ଏହାକୁ ଆସନ୍ତା ୩୦ ତାରିଖରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ନବନିର୍ମିତ ଷ୍ଟେସନର ଭବ୍ୟ କାୟାକଳ୍ପକୁ ଆପଣଙ୍କୁ ଦେଖାଇଥିଲା ଓଟିଭି ।

୧୦ହଜାର ବର୍ଗ ମିଟର ଜାଗାରେ ନିର୍ମିତ ଏହି ନୂଆ ଷ୍ଟେସନକୁ ରାମମନ୍ଦିରର ଭବ୍ୟ ରୂପ ସହ ଖାପ ଖାଇବା ଭଳି ଶୈଳୀରେ ତିଆରି କରାଯାଇଛି । ୨୦୧୮ରୁ ଏହାର ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୨୪୦ କୋଟି ଟଙ୍କା ବ୍ୟୟରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ତିଆରି କରାଯାଇଛି ।

ସେପଟେ ବଦଳୁଛି ପୂରା ରାମନଗରୀ ଅଯୋଧ୍ୟାର ରୂପ । ପୁରା ସହରର ନବକଳେବର କରାଯିବା ସହ ଏହାକୁ ପୌରାଣିକ କଥାବସ୍ତୁ ଆଧାରରେ ସଜ୍ଜିତ କରାଯାଉଛି । କେଉଁଠି ବୀଣା ତ କେଉଁଠି ଧନୁ ତୀର । ବିଭିନ୍ନ ଦେବଦେବୀଙ୍କ  ପ୍ରତିକୃତି ବିଭିନ୍ନ ଛକ ଓ ଗୁରୁତ୍ୱପୂର୍ଣ୍ଣ ଜାଗାରେ ସ୍ଥାନିତ କରାଯାଉଛି । ସହରର କୋଠାବାଡିର ନବୀକରଣ କରାଯିବା ସହ ଏଥିରେ ପୌରାଣିକ କଥାବସ୍ତୁ ଓ ପରିପାଟୀର ଛିଟା ଦେଖିବାକୁ ମିଳୁଛି ।

ଯାତ୍ରୀଙ୍କ ସୁବିଧା ଓ ଯାନବାହନ ଚଳାଚଳକୁ ସୁଗମ କରିବା ଲାଗି ଜବରଦଖଲ ଉଚ୍ଛେଦ ସହ ରାସ୍ତାଗୁଡିକର ପ୍ରଶସ୍ତୀକରଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । କାନ୍ଥ ବାଡ଼ରେ ଶୋଭା ପାଉଛି ରାମାୟଣ ଓ ପୁରାଣ କଥା ସଂପର୍କିତ ୱାଲପେଣ୍ଟିଂ । କାରୁକାର୍ଯ୍ୟ ଖଚିତ ବିଦ୍ୟୁତ ଖୁଣ୍ଟରେ ସୁନ୍ଦର ଡିଜାଇନର ଆଲୋକ ଲଗାଯାଉଛି ।