• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

୨୦୨୪ ଡିସେମ୍ବରରେ ସରିବ ରାମ ମନ୍ଦିର କାମ । ଓଟିଭିକୁ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି । ମନ୍ଦିରର ଗ୍ରାଉଣ୍ଡ୍‌ ଫ୍ଲୋର୍‌ କାମ ଶେଷ ହୋଇଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଚମ୍ପତ ରାୟ କହିଛନ୍ତି, ପ୍ରଥମ ମହଲା କାମ ସରିଛି । ବାକି ଯାହା ଅଛି ଜୁନ୍‌ ସୁଦ୍ଧା ସରିଯିବ । ପ୍ରଥମ ପରେ ଦ୍ୱିତୀୟ ମହଲା, ତା’ପରେ ମନ୍ଦିର ଚୂଡ଼ା କାମ ହେବ । ୨୦୨୪ ଡିସେମ୍ବର ସୁଦ୍ଧା ମନ୍ଦିରର ସବୁ କାମ ସରିଯିବ ।

ଏହାସହ ଜାନୁଆରୀ ୨୨ରେ ଅଯୋଧ୍ୟା ନଆସିବାକୁ ସେ ପରାମର୍ଶ ଦେଇଛନ୍ତି । ଭକ୍ତମାନଙ୍କୁ ନିବେଦନ ୨୨ ନୁହେଁ, ୨୬ ପରେ ଅଯୋଧ୍ୟା ଆସନ୍ତୁ । ଜାନୁଆରୀ ୨୨ରେ ନିଜ ଗାଁ ମନ୍ଦିରରେ ଉତ୍ସବ ପାଳନ କରନ୍ତୁ ବୋଲି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ କହିଛନ୍ତି । 

ଅଯୋଧ୍ୟାରେ ଶ୍ରୀରାମ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଦିନ ଭକ୍ତଙ୍କୁ ସଂକୀର୍ତ୍ତନ କରିବାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ନିବେଦନ କରିଛି । ଆସନ୍ତା ଜାନୁଆରୀ ୨୨ ତାରିଖରେ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ଏହିଦିନ ଅଯୋଧ୍ୟାରେ ଅଦ୍ଭୂତପୂର୍ବ ଆନନ୍ଦର ପରିବେଶ ହେବ । ଏଥିପାଇଁ ସେହି ଦିନ ୧୧ଟାରୁ ୧ଟା ମଧ୍ୟରେ ନିଜ ସାହି ବା ପଡା,ଗାଁ, କଲୋନୀରେ ଥିବା କୌଣସି ମନ୍ଦିର ଗୁଡ଼ିକରେ ଆଖ ପାଖର ରାମ ଭକ୍ତଙ୍କୁ ଏକାଠି କରି ଭଜନ କୀର୍ତ୍ତନ ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଅନୁରୋଧ କରିଛି ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ରାମଙ୍କ ମୂର୍ତ୍ତିକୁ ନିଜ ହାତରେ ଅସ୍ଥାୟୀ ମନ୍ଦିରରୁ ନୂଆ ମନ୍ଦିରର ଗର୍ଭ ଗୃହକୁ ନେବେ । ଏଥିପାଇଁ ପ୍ରୋଟୋକଲ୍‌କୁ ଭାଙ୍ଗି ସେ ପାଖାପାଖି ୫୦୦ ମିଟର ପାଦରେ ଚାଲି ଚାଲି ଯିବେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି ଦିନ ପ୍ରଧାନମନ୍ତ୍ରୀ ମୋଦି ଯଯମାନ ଭାବେ ମୁଖ୍ୟ ପୂଜା କରିବେ ।