Shubhanshu Shukla
ସବୁ ଅପେକ୍ଷାର ଅନ୍ତ ଘଟାଇଛି ଆଜିର ଐତିହାସିକ ଅଭିଯାନ । ଅନ୍ତରୀକ୍ଷ ମୁହାଁ ୧୪୦ କୋଟି ଭାରତୀୟଙ୍କ ଆଶା ଓ ଅଗଣିତ ବିଶ୍ବବାସୀଙ୍କ ଆକାଂକ୍ଷା । ଦୀର୍ଘ ୪ ଦଶନ୍ଧି ପରେ ମହାଶୂନ୍ୟରେ ଉଡ଼ିବ ତ୍ରିରଙ୍ଗା । ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ମହାକାଶଚାରୀ ବନିଛନ୍ତି ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା। ଏଥିସହ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ପ୍ରଥମ ଭାରତୀୟ ଭାବେ ପାଦ ରଖିବେ ଏହି ଅଭିଜ୍ଞ ଭାରତୀୟ ବାୟୁସେନା ଅଧିକାରୀ।
ଭାରତରେ ସେତେବେଳେ ପୂର୍ବାହ୍ନ ଥିଲା । ଆମେରିକାର ଫ୍ଲୋରିଡ଼ାରେ ବିଳମ୍ବିତ ରାତି । ଲଞ୍ଚିଂର ସାଢ଼େ ୪ ଘଣ୍ଟା ପୂର୍ବରୁ ନାସାର କେନେଡି ସ୍ପେଶ୍ ସେଣ୍ଟରରେ ପହଞ୍ଚିଥିଲେ ୪ ମହାକାଶଚାରୀ। ଆମେରିକାର କମାଣ୍ଡର୍ ପେଗି ହ୍ବିଟସନ୍, ମିଶନ୍ ପାଇଲଟ୍ ଶୁଭାଂଶୁ ଶୁକ୍ଳା ଏବଂ ସେମାନଙ୍କ ସହ ଦୁଇ ମିଶନ୍ ସ୍ପେଶାଲିଷ୍ଟ୍- ପୋଲାଣ୍ଡ୍ ର ସ୍ଲାବୋଜ୍ ଉଜନାସ୍କି ୱିସନାସ୍କି ଓ ହଙ୍ଗେରୀର ଟିବୋର୍ କାପୁ।
ଅଧିକ ପଢନ୍ତୁ: ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା: ମହାକାଶ ଯିବା ପୂର୍ବରୁ ଲେଖିଲେ ଏମିତି, ସମସ୍ତେ ହେଲେ ଇମୋସନାଲ...
ସେମାନଙ୍କ ହସହସ ମୁହଁରେ ନା ଥିଲା ମାସେ ଧରି କ୍ବାରେଣ୍ଟିନରେ ରହିବାର ଚାପ, ନା ୭ ଥର ମିଶନ୍ ସ୍ଥଗିତ ହେବାର ଦୁଶ୍ଚିନ୍ତା। ୨ଟି ଟେସଲା କାର୍ ରେ ବସି 39A ଲଞ୍ଚପ୍ୟାଡ୍ ନିକଟକୁ ଯାଇଥିଲେ ସମସ୍ତେ, ଯେଉଁଠି ଆକାଶ ଚିରିବାକୁ ତୟାର୍ ଥିଲା ସ୍ପେଶ୍ ଏକ୍ସର ବିଶାଳ ଫାଲକନ୍-9 ରକେଟ୍। ଶେଷ ଥର ପାଇଁ ପରିବାରକୁ ଗୋଟିଏ ଲେଖାଏଁ ଫୋନ୍ କଲ୍ କରି, ବୋର୍ଡିଂ ପାସ୍ ଗ୍ରହଣ କରିଥିଲେ ୪ ମହାକାଶଚାରୀ।
ଆଉ ତା ପରେ ରକେଟ୍ ଅଗ୍ରଭାଗରେ ଥିବା ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ୍ ରେ ପହଞ୍ଚି ଅକ୍ତିଆର କରିଥିଲେ ନିଜ ନିଜ ସିଟ୍। ଭାରତୀୟ ସମୟ ଦିନ ୧୨ଟା ୧। ସରିଥିଲା କାଉଣ୍ଟଡାଉନ୍, ମାଟି ଛାଡ଼ିଲା ଫାଲକନ୍ ରକେଟ୍, ଉଡ଼ାଣ ଆରମ୍ଭ କରିଥିଲା ମହାକାଶଯାନ। ଦେଶ ହେଉ କି ବିଦେଶ କେଉଁଠି ବି ଥଳକୁଳ ମାନୁନଥିଲା ଉତ୍କଣ୍ଠା। ଗୁଞ୍ଜରିତ ହେଉଥିଲା କରତାଳି, ଉଡ଼ୁଥିଲା ତ୍ରିରଙ୍ଗା।
ଆଉ ଏପଟେ ଗେହ୍ଲା ପୁଅର ସଫଳତା ପାଇଁ ଗର୍ବିତ ଥିଲେ ଶୁଭାଂଶୁଙ୍କ ବାପା ଶମ୍ଭୁଦୟାଲ ଶୁକ୍ଳା । ଖୁସିର ଲୁହକୁ ରୋକିପାରି ନଥିଲେ ମାଆ ଆଶା ଶୁକ୍ଳା। ପରସ୍ପରକୁ ଆଲିଙ୍ଗନ କରି ଖୁସି ଜାହିର କରିଥିଲେ ପରିବାରବର୍ଗ ଓ ସଂପର୍କୀୟ । ମହାକାଶଯାନ ପୃଥିବୀଠୁ ଯେତେ ଯେତେ ଦୂରେଇ ଯାଉଥିଲା, ମହାକାଶଚାରୀଙ୍କ ଉପରେ ସେତେ କ୍ଷୀଣ ହେଉଥିଲା ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ।
ଭୂପୃଷ୍ଠରୁ ୨ଶହ କିଲୋମିଟର ଉଚ୍ଚତାରେ ପହଞ୍ଚିବା ପରେ, ଅଚାନକ୍ ଭାସି ଉଠିଥିଲା ଏହି ମିଶନର ପଞ୍ଚମ ମହାକାଶଚାରୀ । ସୂଚାଇ ଦେଇଥିଲା ଆମେ ଏବେ ମାଧ୍ୟାକର୍ଷଣ ଶକ୍ତିରୁ ମୁକ୍ତ । ଆମେ କହୁଛୁ ମହାକାଶକୁ ଯାଇଥିବା ଏକ କୁନି କଣ୍ଢେଇ 'ଜୟ୍' କଥା। ହଂସଛୁଆର ଏହି ୫ ଇଞ୍ଚିଆ କଣ୍ଢେଇ ହେଉଛି ଆକ୍ସିଅମ୍-୪ର ଜିରୋ ଗ୍ରାଭିଟି ଇଣ୍ଡିକେଟର୍।
ସେପଟେ ସଫଳ ଲଞ୍ଚିଂର ପ୍ରାୟ ୧୦ ମିନିଟ ପରେ ମହାକାଶରୁ ଦେଶବାସୀଙ୍କୁ ପ୍ରଥମ ବାର୍ତ୍ତା ଦେଇଥିଲେ ଶୁଭାଂଶୁ। ଘଣ୍ଟାପ୍ରତି ୨୭ହଜାର କିଲୋମିଟର ବେଗରେ ପୃଥିବୀ ଚାରିପଟେ ବୁଲୁଥିବା ବେଳେ, କହିଥିଲେ- ଜୟ୍ ହିନ୍ଦ, ଜୟ୍ ଭାରତ।
ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ପହଞ୍ଚିବାକୁ ଲାଗିବ ପ୍ରାୟ ୨୮ ଘଣ୍ଟା। ଆସନ୍ତାକାଲି ଭାରତୀୟ ସମୟ ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ସେଠାରେ ପହଞ୍ଚିବେ ମହାକାଶଚାରୀ। ଭୂ ପୃଷ୍ଠରୁ ୪ଶହ କିଲୋମିଟର ଉପରେ ଘଣ୍ଟାପ୍ରତି ୨୮ ହଜାର କିଲୋମିଟର ବେଗରେ ବୁଲୁଥିବା ସ୍ପେଶ ଷ୍ଟେସନ ସହ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲର ଡକିଂ ବା ଯୋଡ଼ିହେବା ପ୍ରକ୍ରିୟା ଯେତିକି ଗୁରୁତ୍ବପୂର୍ଣ୍ଣ, ସେତିକି ଜଟିଳ। ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ ଶୁଭାଂଶୁ।
ଡକିଂ ସଫଳ ହେଲେ ମହାକାଶଯାନରୁ ୪ ମହାକାଶଚାରୀ ବାହାରି ସ୍ପେଶ୍ ଷ୍ଟେସନରେ ପ୍ରବେଶ କରିବେ। ସେଠାରେ ପ୍ରାୟ ୧୪ ଦିନର ରହଣି ଭିତରେ ସେମାନେ ୬୦ଟି ପରୀକ୍ଷାନୀରିକ୍ଷା କରିବେ। ଏଥିରୁ ୭ଟି ଗୁରୁତ୍ବପୂର୍ଣ୍ଣ ସାଇଣ୍ଟିଫିକ୍ ଏକ୍ସପେରିମେଣ୍ଟ ପାଇଁ ପ୍ରସ୍ତାବ ଦେଇଛି ଇସ୍ରୋ, ଯାହାର ମଙ୍ଗ ଧରିବେ ନିଜେ ଶୁଭାଂଶୁ। ଏଥିସହ ସାଉଁଟିବେ ଗଗନଯାନ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପାଇଁ ଅଙ୍ଗେନିଭା ଅଭିଜ୍ଞତା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750870184.jpg)