• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତ ରବିବାର ଦିନ ବିଜୟ ନଗରମ୍ ଜିଲ୍ଲରେ ଘଟିଥିଲା ରେଳ ଦୁର୍ଘଟଣା । ତେବେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଆନ୍ଧ୍ର ଆଲମଣ୍ଡା ଟ୍ରେନ ଦୁର୍ଘଟଣାସ୍ଥଳର ମରାମତି କାମ ସଂପୂର୍ଣ୍ଣ ଶେଷ ହୋଇଛି । ତିନିଟି ଯାକ ଲାଇନର ମରାମତି କାମ ଶେଷ ହୋଇଛି । ଲାଇନଗୁଡ଼ିକ ଟ୍ରେନ୍ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ଭାବେ ଫିଟ୍ ଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

ଆଗରୁ ଉଭୟ ଅପ୍ ଓ ଡାଉନ୍ ଲାଇନ ମରାମତି ସରିଥିବା ବେଳେ ଗତ ରାତିରେ ମିଡିଲ ଲାଇନର ମଧ୍ୟ ମରାମତି ସରିଥିଲା । ଏପରିକି ଗତ ରାତି ସାଢ଼େ ୧୧ଟାରେ ଏହି ଲାଇନରେ ଟ୍ରେନ ଚାଲିଥିଲା ବୋଲି ଜଣା ପଡ଼ିଛି । ଏହା ସହିତ ଆଲମଣ୍ଡା ଓ କଣ୍ଟକାପଲ୍ଲୀ ମଧ୍ୟରେ ଥିବା ତିନି ଲାଇନରେ ଟ୍ରେନ ଚାଲି ପାରିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ପୁରାପୁରି ସ୍ପଷ୍ଟ ହୋଇପାରି ନାହିଁ । ରେଲୱେ ସେଫ୍ଟି କମିଶନର ଓ ଟିମ୍ ଦୁର୍ଘଟଣାସ୍ଥଳରେ ତଦନ୍ତ କରିଛନ୍ତି । ଦୁର୍ଘଟଣା ମନୁଷ୍ୟକୃତ କି ବୈଷୟିକ ତ୍ରୁଟି ପାଇଁ ହୋଇଛି ସେନେଇ ତନ୍ନ ତନ୍ନ ଯାଞ୍ଚ ଚାଲିଛି । ରବିବାର ସନ୍ଧ୍ୟାରେ ଆଲମଣ୍ଡା ଷ୍ଟେସନର କିଛି ବାଟ ପୂର୍ବରୁ କଣ୍ଟକାପାଲ୍ଲୀ ପରେ ପରେ ବିଶାଖାପାଟଣା- ପଲାସା ପାସେଞ୍ଜର ଟ୍ରେନକୁ ପଛପଟୁ ଖୁବ ଜୋରରେ ଧକ୍କା ଦେଇଥିଲା ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍ ।

ଦୁର୍ଘଟଣାରେ ପଲାସା ପାସେଞ୍ଜରର ୨ଟି ବଗି ଲାଇନଚ୍ୟୁତ ହୋଇ ଛିଡ଼ା ହୋଇଥିବା ଅନ୍ୟ ଏକ ମାଲ୍ ଗାଡ଼ିରେ ପିଟି ହୋଇଯାଇଥିଲା । ଏଥିରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ରେଳ ବିଶେଷଜ୍ଞଙ୍କ ମତରେ, ଦୁର୍ଘଟଣା ଘଟିଥିବା ଟ୍ରେନ ଟ୍ରାକ୍ ଅଟୋମେଟେଡ୍ ସିଗ୍ନାଲଦ୍ବାରା ପରିଚାଳିତ । ଏଣୁ ଯଦି ଗୋଟିଏ ଟ୍ରେନକୁ ଗ୍ରୀନ୍ ସିଗ୍ନାଲ ମିଳିଥାଏ, ପଛରେ ଆସୁଥିବା ଟ୍ରେନକୁ ଦେଢ଼ କିଲୋମିଟର ପୂର୍ବରୁ ରେଡ୍ ସିଗ୍ନାଲ ଦେଖା ଯାଇଥାଏ । ସିଗ୍ନାଲ ଫେଲ ଥିଲେ ଦୁର୍ଘଟଣାକୁ ଏଡ଼ାଇ ଦିଆ ଯାଇ ପାରିଥାନ୍ତା ।

କିନ୍ତୁ ଆନ୍ଧ୍ର ଟ୍ରେନ ଟ୍ରାଜେଡିରେ ସିଗ୍ନାଲ ଠିକ୍ ରହିଥିବା ଜଣାପଡ଼ିଛି । ତେଣୁ ଲୋକୋପାଇଲଟ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ରେଡ୍ ସିଗ୍ନାଲକୁ ଠିକ୍ ଭାବେ ଦେଖିପାରିନାହାନ୍ତି ବା ଅନ୍ୟ କିଛି ଅସୁବିଧା ହୋଇଛି ବୋଲି ବିଶେଷଜ୍ଞଙ୍କ ଅନୁମାନ। କିମ୍ବା ଅଧିକ ବେଗରେ ଟ୍ରେନ ଥିବାରୁ ଟ୍ରେନକୁ ଅଟକାଇ ପାରି ନାହାନ୍ତି, ଫଳରେ ଏପରି ଦୁର୍ଘଟଣା ଘଟିଛି ।