• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦୀର୍ଘ ୨ ଘଣ୍ଟାର ପଚରାଉଚରା ପରେ ଗତକାଲି କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି । ଗିରଫ ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ମୁଖ୍ୟାଳୟର ଜେଲରେ ରଖାଯାଇଥିଲା । ଇଡି ମୁଖ୍ୟାଳୟର ଜେଲ୍‌ ଭିତରେ କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି ? କେମିତି ଥିଲା ସୁବିଧା ? ଜାଣନ୍ତୁ...

ଇଡି ମୁଖ୍ୟାଳୟରେ ଦୁଇଟି ଲକ୍ଅପ୍ ରହିଛି ଓ ପୂରା ମୁଖ୍ୟାଳୟରେ ସେଣ୍ଟ୍ରାଲ ଏସି ମଧ୍ୟ ଲାଗିଛି । କିନ୍ତୁ କେଜ୍ରିୱାଲଙ୍କୁ ଶୋଇବା ପାଇଁ ବେଡ୍‌ ମିଳିନଥିଲା, ତଳେ ଗଦିରେ ଶୋଇଥିଲେ । କେଜ୍ରିୱାଲ ଯେଉଁ ଲକ୍ଅପରେ ରହିଥିଲେ ତାହା ତଳ ମହଲାରେ ରହିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ଲକଅପରେ ରାତିରେ ଠିକ୍ ଭାବରେ ଶୋଇପାରୁନଥିଲେ ବୋଲି ଯହା ସୂଚନା ମିଳିଛି । ସକାଳୁ ଉଠି ସେ ନିତ୍ୟକର୍ମ ସାରି ଜଳଖିଆ ଖାଇଥିଲେ । ତା’ପରେ ସେ ତାଙ୍କର ନିତ୍ୟ ସେବନ ଔଷଧ ଖାଇଥିଲେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ ଇଡି କାର୍ଯ୍ୟାଳୟରେ କରାଯାଇଥିଲା ।

ଗତକାଲି ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା କରିଥିଲା ​​ଏବଂ ପରେ ତାଙ୍କୁ ଗିରଫ କରାଯାଇ ଇଡି ମୁଖ୍ୟାଳୟକୁ ନିଆଯାଇଥିଲା । ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ଆମ୍ ଆଦମୀ ଦଳର କର୍ମୀ ତଥା ନେତାଙ୍କ ମଧ୍ୟରେ ଅନେକ ଆକ୍ରୋଶ ଦେଖିବାକୁ ମିଳିଛି । ସେପଟେ କେଜ୍ରିୱାଲଙ୍କ ଗିରଫ ପରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବର୍ତ୍ତମାନ ପର୍ଯ୍ୟନ୍ତ ବାତିଲ ହୋଇଛି ।

ମାର୍ଚ୍ଚ ୨୭ ରେ ବିଧାନସଭା ଅଧିବେଶନ ଡାକିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧୀ ଦଳର ଅନେକ ନେତା ମଧ୍ୟ ଦୃଢ ନିନ୍ଦା କରିଛନ୍ତି । ରାହୁଲ ଗାନ୍ଧି କହିଛନ୍ତି ଯେ,“କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ‘ଭାରତ’ ଏକଜୁଟ ହୋଇଛି’ । ଏଥି ସହିତ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ କହିଛନ୍ତି ଯେ, ‘କେଜ୍ରିୱାଲଙ୍କ ଚିନ୍ତାଧାରାକୁ କେହି ବନ୍ଦୀ କରି ପାରିବେ ନାହିଁ ’।