• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ । କ୍ରମାଗତ ଭାବେ କେଜ୍ରିୱାଲଙ୍କ ଓଜନ ହ୍ରାସ ପାଉଥିବା ଜଣାପଡ଼ୁଛି । ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗିରଫ ହେବା ପରଠାରୁ କେଜ୍ରିୱାଲଙ୍କ ଓଜନ ପାଖାପାଖି ୪ କେଜି ହ୍ରାସ ପାଇଗଲାଣି ବୋଲି କୁହାଯାଉଛି ।

ଆଉ ଏହାକୁ ନେଇ ଦଳ ଏବଂ ତାଙ୍କ ପରିବାର ଚିନ୍ତାପ୍ରକଟ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବୁଧବାର ଦିନ ଆମ୍ ଆଦମୀ ପାର୍ଟି ନେତା ଅତିଶୀ ଦାବି କରିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଇଡି ଦ୍ୱାରା ଗିରଫ ହେବା ପରଠାରୁ ଦ୍ରୁତ ଗତିରେ ଓଜନ ହ୍ରାସ ପାଉଛି ।

ଅଧିକ ପଢ଼ନ୍ତୁ: ପୁଣି ECIଙ୍କ ବଦଳି ଛାଟ...୨ ଜିଲ୍ଲାପାଳ, ୫ ଏସପି ଓ କେନ୍ଦ୍ରାଞ୍ଚଳ IGଙ୍କୁ ଟ୍ରାନସଫର୍ ଅର୍ଡର

ତାଙ୍କୁ ଜେଲରେ ରଖି ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣୁଥିବାରୁ ଏନେଇ AAP ନେତା ଭାରତୀୟ ଜନତା ପାର୍ଟିକୁ ନିନ୍ଦା କରିଛନ୍ତି । ଆତିଶୀ ସୋସିଆଲ ମିଡିଆ ସାଇଟ X ରେ ଲେଖିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ମାର୍ଚ୍ଚ ୨୧ ରେ ଗିରଫ ହେବା ପରଠାରୁ ୪.୫ କିଲୋଗ୍ରାମ ହ୍ରାସ ପାଇଛନ୍ତି । ଯାହା ଅତ୍ୟନ୍ତ ଚିନ୍ତାଜନକ ଅଟେ ।

ସେ କହିଛନ୍ତି ଅରବିନ୍ଦ କେଜ୍ରିୱାଲ ଗୁରୁତର ମଧୁମେହ ରୋଗୀ ଓ ସେ ଦେଶ ପାଇଁ ୨୪ ଘଣ୍ଟା କାମ କରୁଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ସତ୍ତ୍ୱେ ସେ ଦେଶର ସେବା କରିବା ପାଇଁ ଦିନକୁ ୨୪ ଘଣ୍ଟା କାମ କରୁଥିଲେ । ଗିରଫ ହେବା ପରଠାରୁ ଅରବିନ୍ଦ କେଜ୍ରିୱାଲ ୪.୫ କିଲୋଗ୍ରାମ ଓଜନ ହ୍ରାସ ପାଇଛି ।

ଜେଲରେ ରଖି ବିଜେପି ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଆତିଶୀ କହିଛନ୍ତି । ଯଦି ଅରବିନ୍ଦ କେଜ୍ରିୱାଲଙ୍କ ସହ କିଛି ଘଟେ, ତେବେ ଭଗବାନ ମଧ୍ୟ ସେମାନଙ୍କୁ କ୍ଷମା କରିବେ ନାହିଁ ବୋଲି AAP ନେତ୍ରୀ କହିଛନ୍ତି । ତେବେ ଏହି ଦାବିକୁ କେଜ୍ରିୱାଲ ରହୁଥିବା ତିହାର ଜେଲର ପ୍ରଶାସନ ପ୍ରତ୍ୟାଖ୍ୟାନ କରିଛି ।

ତିହାର ଜେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ରହିଛି । ଏହା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ତିହାର ଜେଲରେ ରହି ମଧ୍ୟ ଘର ରନ୍ଧା ଖାଦ୍ୟ ଖାଇବାକୁ ଅନୁମତି ଦିଆଯାଇଛି । ମଙ୍ଗଳବାର ସକାଳେ କେଜ୍ରିୱାଲଙ୍କ ସୁଗାର ସ୍ତର କମ୍ ଥିଲା । ତେଣୁ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିଲେ । ତେବେ ପରେ ତାଙ୍କ ଅବସ୍ଥା ସ୍ଥିର ରହିଥିଲା ।

ସୂଚନା ଥାଉ କି, ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦଙ୍କ ରିମାଣ୍ଡ ସରିବା ପରେ ଏବେ ସେ ତିହାର ଜେଲ୍ ରେ ଅଛନ୍ତି । ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରହିବେ କେଜରିୱାଲ । ଏପ୍ରିଲ ୧୫ରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।