• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାସୁଛି ଚେନ୍ନାଇ, ଉବୁଟୁବ ତାମିଲନାଡ଼ୁ ।  ଗତ ସପ୍ତାହେ ଧରି ତାମିଲନାଡ଼ୁରେ ଲଗାଣ ବର୍ଷା ଯୋଗୁଁ ବିଗିଡ଼ିବାରେ ଲାଗିଛି ପରିସ୍ଥିତି । ଚେନ୍ନାଇରେ ବର୍ଷା ଯୋଗୁଁ ରାସ୍ତାରେ ବଡ଼ ବଡ଼ ଗଛ ପଡ଼ି ରହିଛି । ଆଣ୍ଠୁଏ ଉଚ୍ଚର ପାଣି ସହ ରାସ୍ତା ଉପରେ ଗଛ ପଡ଼ି ରହିଥିବାରୁ ଲୋକେ ବାହାରକୁ ବାହାରି ପାରୁନାହାନ୍ତି । ଏକାଧିକ ହସ୍ପିଟାଲ୍ ଏବେ ଅଚଳ ହୋଇପଡ଼ିଛି । ହସ୍ପିଟାଲ ଭିତରେ ପାଣି ପଶିଯିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ବି ବିପର୍ଯ୍ୟସ୍ତ ।

ଚେନ୍ନାଇର ସବୁଠୁ ବଡ଼ ସମୁଦ୍ରକୂଳ ମେରିନା ବିଚ୍‌ରେ ବି ପାଣି ଜମି ରହିଛି । ଲଗାଣ ବର୍ଷା ଯୋଗୁଁ ଅଘଟଣ ଘଟି ଏବେ ସୁଦ୍ଧା ତାମିଲନାଡ଼ୁରେ ୧୨ ଜଣଙ୍କ ମୃତ୍ୟୁ ହେଲାଣି । ଏହାସହ ଆଜି ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନବନ୍ଦରରେ ବିମାନ ଅବତରଣ ବନ୍ଦ ରଖାଯାଇଛି । ବର୍ଷା ସାଙ୍ଗକୁ ଜୋରରେ ପବନ ବହୁଥିବାରୁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଏଭଳି ସ୍ଥିତିରେ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ ଗତକାଲି ରାଜ୍ୟର ରାଜସ୍ୱ ମନ୍ତ୍ରୀ ଏନେଇ ସତର୍କତାର ସୂଚନା ଦେଇଛନ୍ତି । ବୁଧବାର ଓ ଗୁରୁବାର ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବର୍ଷା ପାଇଁ ୯ଟି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ଦୁଇ ଦିନ ପାଇଁ ଛୁଟି ମଧ୍ୟ ଘୋଷଣା କରାଯାଇଛି । ଏହି ଜିଲ୍ଲାମାନଙ୍କରେ ଲୋକମାନଙ୍କୁ ଯଥା ସମ୍ଭବ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ତେଣୁ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆଜି ୫ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି ।

ସେହିପରି ଚେନ୍ନାଇ, କାଞ୍ଚୀପୁରମ, ଚେଙ୍ଗାଲପାଟ୍ଟୁ, ଭିଲ୍ଲାପୁରମ ଓ ତିରୁଭାନ୍ନାମାଲାଇରେ ଗୁରୁବାର ପ୍ରବଳ ବର୍ଷା ହୋଇଛି । ନଭେମ୍ବର ୧୩ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହି ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ଲୋକେ ଜଲବନ୍ଦୀ ଅବସ୍ଥାରେ ରହିଛନ୍ତି ।