• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଥରେ ସାମ୍ନାକୁ ଆସିଲା ଭାରତୀୟ ଯବାନଙ୍କ ଉଦାରତା । ମାନବିକତା ଦେଖାଇବା କ୍ଷେତ୍ରରେ ଭାରତୀୟ ଯବାନ ସବୁବେଳେ ଆଗରେ । ଭାରତୀୟ ଯବାନଙ୍କ ଉଦାରପଣିଆକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି । କିନ୍ତୁ ଏବେ ପୁଣି ଥରେ ଏମିତି କିଛି ଖବର ସାମ୍ନାକୁ ଆସିଛି । 

ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ସୀମାରେ ଆକ୍ରମଣ କରିବାକୁ ଆସିଥିବା ଜଣେ ଆତଙ୍କବାଦୀକୁ ଭାରତୀୟ ସୈନିକମାନେ ରକ୍ତଦାନ କରିଛନ୍ତି । ଭାରତୀୟ ସେନା ପକ୍ଷରୁ ବୁଧବାର ଏନେଇ ସୂଚନା ଦିଆଯାଇଛି ଯେ, ଏହି ଆତଙ୍କବାଦୀ ଜଣକ ସୀମାରେ ଆକ୍ରମଣ କରିବାକୁ ଆସିଥିଲା । ଆଉ ଭାରତୀୟ ଯବାନଙ୍କ ଗୁଳିରେ ଗୁରୁତର ହୋଇଥିଲା । ଅଗଷ୍ଟ ୨୧ ତାରିଖରେ ଘଟିଥିବା ଏହି ଘଟଣାରେ ଆତଙ୍କବାଦୀ ଶରୀରରୁ ପ୍ରବଳ ରକ୍ତ ବୋହିଯାଇଥିଲା । ତେବେ ଭାରତୀୟ ସେନା ପକ୍ଷରୁ ତାର ଚିକିତ୍ସା କରାଯାଉଥିବା ବେଳେ ରକ୍ତ ଆବଶ୍ୟକ ପଡ଼ିଥିଲା । ଫଳରେ ଏହି ଆତଙ୍କବାଦୀକୁ ସୁସ୍ଥ କରିବା ପାଇଁ ଭାରତୀୟ ଯବାନମାନେ ୩ ବୋତଲ ରକ୍ତ ପ୍ରଦାନ କରିଛନ୍ତି । ଏହି ଆତଙ୍କବାଦୀ ଜଣକ ପିଓକେରୁ ଆସିଥିବା ବେଳେ ତାର ନାଁ ତବରାକ ହୁସୈନ୍‌ (୩୨) ବୋଲି ଜଣାପଡ଼ିଛି ।

ସେନାର ୮୦ ଇନ୍‌ଫେଣ୍ଟ୍ରୀ ବ୍ରିଗେଡ୍‌ର କମାଣ୍ଡର ବ୍ରିଗେଡିୟର୍ କପିଲ ରାଣା କହିଛନ୍ତି ଯେ, ଅଗଷ୍ଟ ୨୧ ତାରିଖ ପ୍ରାୟ ସକାଳ ସମୟ ହୋଇଥାଏ । ଝାନଗଡ଼ ପୋଷ୍ଟରେ ନିୟୋଜିତ ଥିବା ଭାରତୀୟ ଯବାନମାନେ ସୀମା (LOC) ନିକଟରେ ଦୁଇରୁ ତିନି ଜଣ ଆତଙ୍କବାଦୀଙ୍କ ଗତିବିଧି ବାରିଥିଲେ ।

ତାଙ୍କ କହିବାନୁଯାୟୀ, ସେହି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ବାଡ଼ କାଟିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ଯବାନମାନେ ଦେଖିଦେବାରୁ ସେ ଦୌଡ଼ି ଖସି ପଳାଇବାକୁ ଚେଷ୍ଟା କରିଥିଲା । ହେଲେ ଦୁର୍ଭାଗ୍ୟ, ଭାରତୀୟ ଯବାନଙ୍କ ଗୁଳି ବାଜିବାରୁ ସେ ଗୁରୁତର ହୋଇଥିଲା । ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ, ଯେତେବଳେ ଜଣଙ୍କୁ ଗୁଳି ବାଜିଲା ଅନ୍ୟ ଦୁଇ ଜଣ ଆତଙ୍କବାଦୀ ଜଙ୍ଗଲ ଭିତରେ ଦୌଡ଼ି ସେଠାରୁ ଖସି ପଳାଇଲେ । କିନ୍ତୁ ଗୁରୁତର ଆତଙ୍କବାଦୀକୁ ସେଠାରୁ ଜୀବତ ଉଦ୍ଧାର କରି ଭାରତୀୟ ସେନା ତୁରନ୍ତ ତାର ଚିକିତ୍ସା ଆରମ୍ଭ କରିଥିଲା । ଏମିତିକି ସର୍ଜରୀ ମଧ୍ୟ କରିଥିଲା ।

 

ରାଜୌରୀ ସେନା ହସ୍ପିଟାଲର କମାଣ୍ଡାଣ୍ଟ ବ୍ରିଗେଡିୟର ରାଜୀବ ନାୟର କହିଛନ୍ତି ଯେ, ଆତଙ୍କବାଦୀର ଜଂଘ ଓ କାନ୍ଧରେ ଗୁଳି ବାଜିଥିଲା । ତେଣୁ ଅଧିକ ରକ୍ତ ବୋହିଯାଇଥିଲା । ଆଉ ତାର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା । ଭାରତୀୟ ସେନାର ଯବାନ ମାନେ ତିନି ବୋତଲ ରକ୍ତଦାନ କରିଥିଲେ । ଯାହାଫଳରେ ତାର ଅପରେସନ୍‌ ହୋଇ ପାରିଲା ଏବଂ ଆଇସିୟୁରେ ଭର୍ତ୍ତି କରାଗଲା ।

୩୦୦୦୦ ଟଙ୍କା ପାଇଁ ଆକ୍ରମଣ କରିବାକୁ ଆସିଥିଲା

ବ୍ରିଗେଡିୟର୍ ରାଣା କହିଛନ୍ତି ଯେ, ଅଧିକ ପଚରାଉଚରା ପରେ ଆତଙ୍କବାଦୀ ଭାରତୀୟ ସେନା ପୋଷ୍ଟ ଉପରେ ଆକ୍ରମଣ କରିବାର ଷଡ଼ଯନ୍ତ୍ରକୁ ସ୍ୱୀକାର କରିଥିଲା । ସେ କହିଛି ଯେ, ପାକିସ୍ତାନ ଗୁଇନ୍ଦା ସଂସ୍ଥାର କର୍ଣ୍ଣେଲ ୟୁନୁସ୍ ଚୌଧୁରୀ ତାଙ୍କୁ ପଠାଇଥିଲେ । ଏହି ଆକ୍ରମଣ ୟୁନୁସ, ଆତଙ୍କବାଦୀକୁ ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଦୀର୍ଘ ଦିନ ଧରି ଆତଙ୍କବାଦ ସହ ଜଡ଼ିତ ଥିବା ନେଇ ହୁସୈନ୍‌ ସ୍ୱୀକାର କରିଛି । ସେ ଆହୁରି କହିଛି ଯେ, ପାକିସ୍ତାନୀ ସେନାର ମେଜର ରଜାକ୍‌ ତାଙ୍କୁ ତାଲିମ ଦେଇଛନ୍ତି ।